ଡୁମୁଣି ବଖାଣୁଛି ସରକାର ଡିଣ୍ଡିମ ପିଟୁଥିବା ବିକାଶର ବାସ୍ତବ ଚିତ୍ରକୁ

1- ଡୁମୁଣି ବଖାଣୁଛି ସରକାର ଡିଣ୍ଡିମ ପିଟୁଥିବା ବିକାଶର ବାସ୍ତବ ଚିତ୍ରକୁ
2- ପାନୀୟ ଜଳ ଏବଂ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି ଜନଜାତି ସମ୍ପ୍ରଦାୟର ଲୋକେ
3- ଲୋକଙ୍କ ସମସ୍ୟା ସମାଧାନ ନକରି ସ୍ଥାଣୁ ପାଲଟି ଯାଇଛି ସ୍ଥାନୀୟ ପ୍ରଶାସନ

ଯାଜପୁରର କଳିଙ୍ଗନଗରରେ ଗଡ଼ି ଉଠିଛି ମାଳମାଳ ଶିଳ୍ପ । କୋଟି କୋଟି ଟଙ୍କାର କାରବାର, ଚକଚକିଆ ଆଲୁଅ ଏବଂ ଆଧୁନୀକରଣ ଭିତରେ ସୁକିନ୍ଦା ଓ ଦାନଗଦୀ ବ୍ଳକ୍‌ର କିଛି ଅଞ୍ଚଳରେ ବିକାଶର ଛାଇ ତ ଦୂରର କଥା… ଏ ମାନଙ୍କୁ ଆହା ପଦେ କହିବାକୁ କେହି ନାହାଁନ୍ତି । ଏହି ସବୁ ଅଞ୍ଚଳର ଲୋକମାନେ ନିଜ ମୌଳିକ ସମସ୍ୟାକୁ ନିଜେ ପୂରଣ କରୁଛନ୍ତି ।
ଏପଟେ ଏହିସବୁ ଅଞ୍ଚଳରେ ଖଣିଜ ପାଣ୍ଠି ଓ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ଦ୍ୱାରା ଅନୁଦାନର ଆଖିବୁଜା ଖର୍ଚ୍ଚ କରାଯାଇଛି। ମେଗା ପାନୀୟ ଜଳ ପ୍ରକଳ୍ପ ଅଛି, ଓଭରହେଡ୍ ଟାଙ୍କି ଓ ପାଇପ୍ ବିଛା ଯାଇଛି। ହେଲେ ଅଧାରୁ ଅଧିକ ଘରକୁ ପାଣି ଆସୁନାହିଁ। ଏଠାରେ ରହୁଥିବା ଜନଜାତିଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ମୁକିନ୍ଦା ବ୍ଳକ୍‌ର ଚିଙ୍ଗୁଡ଼ିପାଳ ପଞ୍ଚାୟତ ତୁମୁଣି ଗାଁର ଚିତ୍ର ବିକଶିତ ଭାରତର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି ।

ଜୁଆଙ୍ଗ ଜନଜାତି ବାସ କରୁଥିବା ଏହି ଗାଁର ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏଠାରେ ପିଇବା ପାଇଁ ବିଶୁଦ୍ଧ ଜଳ ଟୋପେ ନାହିଁ… ମାତ୍ର ୫/୬ ଲିଟର ପାଣି ପାଇଁ ସେମାନଙ୍କୁ ଘଣ୍ଟାଘଣ୍ଟା ସମୟ ଦେବାକୁ ପଢୁଛି। ନିକଟସ୍ଥ କୁମ୍ଭାରୁଣି ପାହାଡ଼ ଖୋଲ ଚୁଆ ଉପରେ ଏମାନେ ଭରସା କରନ୍ତି। କଂସା ବେଲାରେ ପାଣି ଛେଦେଇବା ପରେ ଏହାକୁ ଗରାରେ ଭର୍ତ୍ତି କରନ୍ତି। ଏହି ପାଣିକୁ ଆଣି ସେମାନେ ରୋଷେଇ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି

4- ସରକାରଙ୍କ ଦ୍ୱାରା ହୋଇଥିବା ଘରକୁ ଘର ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାହା ପାଇଁ
5- ସରକାରଙ୍କ ସ୍ଥାଣୁତା ପାଇଁ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି

ଅନ୍ୟପଟେ ମଧ୍ୟ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ୨୧ ଜୁଆଙ୍ଗ ଜନଜାତି ପରିବାର। ମୁଣ୍ଡ ଗୁଞ୍ଜିବା ପାଇଁ ଭଲ ଘର ଟେ ନ ଥିବା ବେଳେ ଆବାସ ଯୋଜନା ଏମାନଙ୍କ ପାଇଁ ସାତ ସପନ। ତୁମୁଣି ଗାଁ ବିକାଶରେ ବାଧକ ସାଜିଛି ପ୍ରଶାସନିକ ସ୍ଥାଣୁତା । ନିଜ ଘର ତୋଳିବାକୁ ଏକାଠି ହୋଇଛନ୍ତି । ୨୦୧୫ ମାର୍ଚ୍ଚ ୨୦ରେ ସେଠାରେ ଗାଁର ସବୁ ଘର ପୋଡ଼ି ଯାଇଥିଲା | ଆଜବେଷ୍ଟସ୍ ଘର ତିଆରି କଲେ ଘରେ ନିଆଁ ଲାଗିବ ନାହିଁ ବୋଲି ଏ ପ୍ରକାର ଧାରଣା ନେଇ ସେମାନେ ଏବେ ନିଜ ଘର ନିଜେ ତୋଳୁଛନ୍ତି। ଗାଁକୁ ରାସ୍ତା ନ ଥିବାରୁ ଘର ତିଆରି ପାଇଁ ସାମଗ୍ରୀ, ଆଜବେଷ୍ଟସ୍ ମୁଣ୍ଡରେ ଆଣି ଘର ତୋଳୁଛନ୍ତି । ସେହିପରି ତୁମୁଣିର ସମସ୍ତ ପରିବାର ବିପିଏଲ୍ ତାଲିକାଭୁକ୍ତ ଦୈତାରୀ ସଂରକ୍ଷିତ ଜଙ୍ଗଲର ଫରେଷ୍ଟ ବ୍ଲକ୍-୨୭ରେ ୫୦ ବର୍ଷ ତଳୁ ଗଢ଼ି ଉଠିଥିବା ଏହି ଝାଟିମାଟିର ବସ୍ତିରେ ଆଜି ମଧ୍ୟ କିଛି ପରିବର୍ତ୍ତନ ହୋଇନାହିଁ। ପଡ଼ୋଶୀ ନଗଡ଼ାର ୭୫ ପରିବାର ପାଇଁ ଖଣି ପ୍ରଭାବିତ ବିଜୁ ପକ୍କାଘର ଯୋଜନାରେ ୨୦୧୭ ମସିହାରୁ ଘର ନିର୍ମାଣ ସରିଛି। ଅନ୍ୟତମ ପଡ଼ୋଶୀ ଗୁହିଆଶାଳ ମୌଜାର ୨୬ ଜୁଆଙ୍ଗ ପରିବାର ଲାଗି ଗତବର୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ନିର୍ମାଣ ଜାରି ରହିଛି। ସମାନ ଯୋଜନାରେ ପାହାଡ଼ ତଳ ଅଶୋକଝର ଜୁଆଙ୍ଗ ବସ୍ତିର ୨୦ ପରିବାର ଉପକୃତ ହୋଇଛନ୍ତି । ୨୦୧୭ ମସିହାରୁ ଗାଁର ୨୧ ଜଣ ପରିବାର ମୁଖ୍ୟଙ୍କ ନାଁରେ ଜଙ୍ଗଲ ଜମି ଅଧିକାର ଆଇନ (୨୦୦୬) ଆଧାରରେ ସ୍ଥାୟୀ ଜମିପଟ୍ଟା ରହିଛି। ହେଲେ ଏହି ଜାଗା କିମ୍ବା ଜମି ସେମାନେ ଏପର୍ଯ୍ୟନ୍ତ ଦେଖିନଥିବା କିମ୍ବା ଚିହ୍ନଟ ହୋଇନଥିବା ଗାଁର ୨ ମୁଖିଆ କହିଛନ୍ତି । ଏ ସଂପର୍କରେ ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟିଙ୍କୁ ପଚାରିବାରୁ ତୁମୁଣି ଗାଁକୁ ଗମନାଗମନ ବ୍ୟବସ୍ଥା ନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି କହିଛନ୍ତି । ତେବେ କେବେ ଏହି ଅବହେଳିତ ଜନଜାତି ବିକାଶର ବାସ୍ତବ ଚିତ୍ର ଦେଖିବେ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *