\n\n\n\n\n\n\n

ବିତିଲା ୨ ବର୍ଷ, କଲେ କଣ ? କିଏ ଖୁସି ନେତା ନା ଜନତା ?

ବିତିଲା ୨ ବର୍ଷ, ଏବେ ହେବ ହିସାବ କିତାବ!

କେତେ ଲାଭ କେତେ କ୍ଷତି ? ସବୁର ହେବ ପୋଷ୍ଟମର୍ଟମ !

୨୪ ବର୍ଷର ସରକାରକୁ ମାତ ଦେଇ ନୂଆ ସରକାର ଆସିଲା…

ଓଡିଶା ପାଇଁ କଣ କଲା ?

ଓଡ଼ିଶା ରାଜନୀତିର ମହାମଞ୍ଚରେ ଏବେ ଗୋଟିଏ ପ୍ରଶ୍ନ ସବୁଠୁ ବେଶି ଘୁରି ବୁଲୁଛି। ଦୁଇ ବର୍ଷ ତଳେ ଯେଉଁ ବିରାଟ ପରିବର୍ତ୍ତନର ଆଶା ନେଇ, ଯେଉଁ ଉଲ୍ଲାସର ସହ ଓଡ଼ିଶାବାସୀ ବିଜେପି ହାତରେ ଶାସନ ଡୋରି ଟେକି ଦେଇଥିଲେ… ଆଜି ସେହି ଆଶା କେଉଁଠି ହଜିଯାଇଛି? ଆଜି ଆମେ କରିବୁ ପୋଷ୍ଟମର୍ଟମ୍। ମୋହନ ସରକାରଙ୍କ ଦୁଇ ବର୍ଷର ରିପୋର୍ଟ କାର୍ଡ। କ’ଣ ହେଲା ବଡ଼ ସଫଳତା, ଆଉ କେଉଁଠି ପାସ୍ ବଦଳରେ ଫେଲ୍ ମାରିଲେ ଡବଲ ଇଞ୍ଜିନ ସରକାର?

“କାମ କମ୍, କଥା ବେଶି” – ଏବେ ରାଜ୍ୟ ରାଜନୀତିରେ ଏହି ଗୋଟିଏ ଧାଡ଼ି ଶାସକ ଦଳର ନିଦ ହଜାଇ ଦେଇଛି। ସମୀକ୍ଷକଙ୍କ ମତରେ, ଅନେକ ମନ୍ତ୍ରୀ ତୃଣମୂଳ ବାସ୍ତବତା ଠାରୁ ବହୁ ଦୂରରେ ଅଛନ୍ତି। ଲୋକଙ୍କ କାମ କରିବା ଅପେକ୍ଷା କେବଳ ଟିଭି ପରଦାରେ ନିଜ ଚେହେରା ଦେଖାଇବାକୁ, ଆଉ ଚାଟୁକାରିତାରେ ବେଶି ବ୍ୟସ୍ତ। ସବୁଠୁ ବଡ଼ ପ୍ରଶ୍ନ ଉଠୁଛି ସେହି ‘ଅଫିସରରାଜ’ ଉପରେ। ପୂର୍ବ ସରକାରଙ୍କ ଯେଉଁ ଅମଲାତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ବିଜେପି ରାସ୍ତାକୁ ଓହ୍ଲାଉଥିଲା, ଆଜି ସେହି ଅମଲାମାନେ ହିଁ ପଛପଟୁ ସରକାର ଚଳାଉଛନ୍ତି କି? ଶ୍ରୀମନ୍ଦିର ରତ୍ନଭଣ୍ଡାର ଭଳି ସ୍ପର୍ଶକାତର ପ୍ରସଙ୍ଗରେ ପ୍ରଶାସକଙ୍କ ବିବୃତ୍ତି ହେଉ କିମ୍ବା ଆଇନମନ୍ତ୍ରୀଙ୍କ ଖାମ୍‌ଖିଆଲି ମନ୍ତବ୍ୟ… ସରକାରଙ୍କୁ ବାରମ୍ବାର ଏକ ହାସ୍ୟାସ୍ପଦ ସ୍ଥିତିରେ ଛିଡ଼ା କରାଇଛି।

କେବଳ ସେତିକି ନୁହେଁ, ଦୁର୍ନୀତିର ଚେର ଏବେ ନୂଆ ରୂପରେ ବିସ୍ତାର ହେଉଥିବା ଅଭିଯୋଗ ହେଉଛି। ଗୃହ ବିଭାଗରେ ଜଣେ ଦିବ୍ୟାଙ୍ଗ ଦମ୍ପତିଙ୍କ ଠାରୁ ୮ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଓଏଏସ (OAS) ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ! କାହିଁକି ଚୁପ୍ ପୋଲିସ୍? ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କୁ ସାଇଡ୍ କରି, କିନ୍ନର ବିକାଶ କମିଟିର ମୁଖ୍ୟ ଜଣେ ଅମଲାଙ୍କୁ କରାଯାଉଛି। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋସିଆଲ ମିଡିଆରେ ଟ୍ରୋଲ୍ ହେଉଛନ୍ତି, ଅନ୍ୟପଟେ କେ.ଭି ସିଂହଦେଓଙ୍କ ଶକ୍ତି ବିଭାଗରେ ଦୁର୍ନୀତିର ଗୁଞ୍ଜରଣ। ଏହାକୁ ହିଁ କ’ଣ ‘ପଲିସି ପାରାଲିସିସ୍’ ବା ନୀତିଗତ ପକ୍ଷାଘାତ କୁହାଯାଏ ନାହିଁ କି?

ଏହାର ଅର୍ଥ ଆଦୌ ନୁହେଁ ଯେ ସରକାର ଏହି ଦୁଇ ବର୍ଷରେ କିଛି ଭଲ କାମ କରିନାହାନ୍ତି। ନିଶ୍ଚିତ ଭାବରେ କିଛି ଜନକଲ୍ୟାଣକାରୀ ପଦକ୍ଷେପ ନିଆଯାଇଛି, ନୂଆ ଯୋଜନାର ରୂପରେଖ ତିଆରି ହୋଇଛି। କିନ୍ତୁ ବିଡ଼ମ୍ବନାର ବିଷୟ, ସରକାରଙ୍କ ନିଜସ୍ୱ ପରିଚାଳନାଗତ ତ୍ରୁଟି ଆଉ ଅମଲାଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳତା ଭିତରେ ସେହି ଭଲ କାମ ଗୁଡ଼ିକ ଲୁଚି ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିମ୍ବା ଉପମୁଖ୍ୟମନ୍ତ୍ରୀମାନେ କେବେ ଏହାର ଗ୍ରାଉଣ୍ଡ ଜିରୋ ସମୀକ୍ଷା କରିଛନ୍ତି କି?

ଆପଣଙ୍କ ମତରେ ଏହି ଦୁଇ ବର୍ଷରେ ମୋହନ ସରକାର ପାସ୍ ନା ଫେଲ୍? କେଉଁ କାମ ଆପଣଙ୍କୁ ସବୁଠୁ ଭଲ ଲାଗିଛି ଆଉ କେଉଁଠି ସରକାର ନିରାଶ କରିଛନ୍ତି? କମେଣ୍ଟ ବକ୍ସରେ ନିଜ ମତାମତ ନିଶ୍ଚୟ ଜଣାନ୍ତୁ।