୨୨ କୋଟିର ମହାଦୁର୍ନୀତି! ହରିଶଙ୍କର ମନ୍ଦିର ନୂଆ ଭୋଗମଣ୍ଡପରେ ବଡ଼ ଫାଟ 

ବିକାଶ ନାଁରେ କିଭଳି ବିରାଟ ଦୁର୍ନୀତି ଚାଲିଛି ତାର ଏକ ନଗ୍ନ ଚିତ୍ର ଏବେ ସାମ୍ନାକୁ ଆସିଛି। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ହରିଶଙ୍କର ମନ୍ଦିରରୁ ଆସିଛି ଏହି ସାଙ୍ଘାତିକ ଅଭିଯୋଗ।

୨୦୨୧-୨୨ ମସିହାରେ ପୂର୍ବ ବିଜେଡି ସରକାରଙ୍କ ୫-ଟି (5T) ଯୋଜନାରେ ମନ୍ଦିରର ରୂପାନ୍ତରଣ ପାଇଁ ୨୨ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ରାଜ୍ୟର ବଡ଼ ଠିକା ସଂସ୍ଥା ପିଡବ୍ଲ୍ୟୁଡି (PWD) ଏହାର ଦାୟିତ୍ୱ ନେଇଥିଲା। କିନ୍ତୁ ଅତି ନିମ୍ନମାନର କାମ ଯୋଗୁଁ ଦେବୋତ୍ତର ବିଭାଗକୁ ହସ୍ତାନ୍ତର ହେବା ପୂର୍ବରୁ, ନବନିର୍ମିତ ଭୋଗ ମଣ୍ଡପ ଏବଂ ପୂଜକଙ୍କ ବିଶ୍ରାମାଗାରରେ ଏବେଠାରୁ ବଡ଼ ବଡ଼ ଫାଟ ଦେଖିବାକୁ ମିଳିଲାଣି। ଗୋଟିଏ କି ଦୁଇଟି ନୁହେଁ, ସମ୍ପୂର୍ଣ୍ଣ ବିରାଟକାୟ କୋଠାର ସବୁ ଆଡ଼େ ଫାଟ ସୃଷ୍ଟି ହୋଇଛି।

ପ୍ରକୃତିକ ସୌନ୍ଦର୍ଯ୍ୟରେ ଭରପୂର ବହୁ ଗଛ କାଟି ଲୋକଙ୍କୁ କେବଳ ସୁନ୍ଦର ଡେମୋ ଦେଖାଇ ଭୁଆଁ ବୁଲାଯାଇଛି। ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗ କର୍ଣ୍ଣପାତ କରିନଥିଲା। ଏବେ ଏହି ତ୍ରୁଟିପୂର୍ଣ୍ଣ ମଣ୍ଡପକୁ ତରବରିଆ ଭାବେ ଦେବୋତ୍ତର ବିଭାଗକୁ ଧରାଇ ଦେବାକୁ ପିଡବ୍ଲ୍ୟୁଡି ଚେଷ୍ଟା କରୁଛି

ନେତା, ମନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତୁରାରେ ଏଭଳି ନିମ୍ନମାନର କାମ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ବିଭାଗୀୟ ଅଧିକାରୀ ଏନେଇ ନିରବ ଅଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଦେବୋତ୍ତର ବିଭାଗ ଏହି ଭଙ୍ଗା ଓ ଫାଟକିଆ ମଣ୍ଡପକୁ ଗ୍ରହଣ କରିବ ତ?

Leave a Reply

Your email address will not be published. Required fields are marked *