କେନ୍ଦ୍ରର ବଡ଼ ଭେଟି; ୭୬୯ କୋଟିରେ ବଦଳିବ ଓଡ଼ିଶା !

ଓଡ଼ିଶା ପାଇଁ କେନ୍ଦ୍ରର ବଡ଼ ଭେଟି… ଖୋଲିଲା ପାଣ୍ଠିର ପେଡ଼ି

୭୬୯ କୋଟିର ମେଗା ପ୍ଲାନ୍… ବଦଳିଯିବ ଓଡ଼ିଶାର ଚିତ୍ର

ସିଲ୍କ ସିଟି ବ୍ରହ୍ମପୁର ଠାରୁ କୋରାପୁଟ… ହାଇଟେକ୍ ହେବ ରାସ୍ତାଘାଟ

ଟ୍ରାଫିକ୍ ଜାମ୍‌ରୁ ମିଳିବ ମୁକ୍ତି… ତିଆରି ହେବ ଦୁଇଟି ଅତ୍ୟାଧୁନିକ ଫ୍ଲାଏଓଭର

କେଉଁ ଜିଲ୍ଲାକୁ ମିଳିଲା କେତେ ଲାଭ? ଦେଖନ୍ତୁ ପୂରା ତାଲିକା…

ଓଡ଼ିଶାର ମାନଚିତ୍ରରେ ଏବେ ଟାଣି ହେବାକୁ ଯାଉଛି ବିକାଶର ଏକ ନୂଆ ଗାର। କାରଣ କେନ୍ଦ୍ର ସରକାର ଖୋଲିଛନ୍ତି ପାଣ୍ଠିର ପେଡ଼ି। କେନ୍ଦ୍ରୀୟ ସଡ଼କ ଭିତ୍ତିଭୂମି ପାଣ୍ଠି ବା CRIF ଅଧୀନରେ ଓଡ଼ିଶା ପାଇଁ ମଞ୍ଜୁର ହୋଇଛି ପୂରା ୭୬୯ କୋଟି ୬୯ ଲକ୍ଷ ଟଙ୍କା। ଆଉ ଟାର୍ଗେଟ୍‌ରେ ଅଛି… ରାଜ୍ୟର ୧୦ଟି ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ।

କେଉଁଠି ତିଆରି ହେବ ଅତ୍ୟାଧୁନିକ ଫ୍ଲାଏଓଭର, ତ ଆଉ କେଉଁଠି ଚକାଚକ୍ ହେବ ଉପାନ୍ତ ଅଞ୍ଚଳର ରାସ୍ତାଘାଟ। ଖାସ୍ କରି ସିଲ୍କ ସିଟି ବ୍ରହ୍ମପୁରବାସୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଦୀର୍ଘ ଦିନର ଟ୍ରାଫିକ୍ ସମସ୍ୟା ଏବେ ଇତିହାସ ହେବ। କାରଣ ବ୍ରହ୍ମପୁରର ଟାଟା ବେଞ୍ଜ୍ ଛକ ଓ ଗିରି ରୋଡ୍ ଜଙ୍କସନରେ ମୁଣ୍ଡ ଟେକିବ ଦୁଇଟି ହାଇଟେକ୍ ଫ୍ଲାଏଓଭର।

କେବଳ ବ୍ରହ୍ମପୁର ନୁହେଁ, ବିକାଶ ପହଞ୍ଚିବ ଉପାନ୍ତରୁ ଉପାନ୍ତ ଅଞ୍ଚଳରେ। କୋରାପୁଟର ସେମିଳିଗୁଡ଼ା-ହାଣ୍ଡିପୁଟ ଏବଂ ଲମ୍‌ତାପୁଟ-ମାଛକୁଣ୍ଡ ରାସ୍ତାର ରୂପରେଖ ସମ୍ପୂର୍ଣ୍ଣ ବଦଳିଯିବ। ସେହିପରି ନବରଙ୍ଗପୁରର ଉମରକୋଟ-ଚନ୍ଦାହାଣ୍ଡି-ମାଲଗାଁ ରାସ୍ତା ଏବଂ ନୂଆପଡ଼ାର ଖରିଆର ରୋଡ୍-ଆମୋଦି-ବେଲଟୁକ୍ରି ରାସ୍ତାର ହେବ ସମ୍ପ୍ରସାରଣ।

ଏତିକିରେ ସରିନି ତାଲିକା… ଝାରସୁଗୁଡ଼ାରେ ରାମପେଲା ବ୍ରିଜ୍ ଆପ୍ରୋଚ୍ ନିର୍ମାଣ ଯୋଗାଯୋଗ କ୍ଷେତ୍ରରେ ଆଣିବ ନୂଆ ବିପ୍ଳବ। ଏହା ସହ ଗଜପତି ଏବଂ ବାଲେଶ୍ୱର ଜିଲ୍ଲାର ଏକାଧିକ ଗୁରୁତ୍ୱପୂର୍ଣ୍ଣ ରାସ୍ତାର ମଧ୍ୟ ଉନ୍ନତିକରଣ ହେବ।

ଉନ୍ନତ ସଡ଼କ ହିଁ ଅର୍ଥନୈତିକ ବିକାଶର ମୂଳଦୁଆ। ଓଡ଼ିଶାର ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ମିଳିତ ପ୍ରୟାସ ଏବେ ବିକାଶର ନୂଆ ଦ୍ୱାର ଖୋଲିଛି। ଦେଖିବାକୁ ବାକି ରହିଲା, ଏହି ମେଗା ପ୍ରୋଜେକ୍ଟ କେବେ ସୁଦ୍ଧା ସରିବ ଓ ସାଧାରଣ ଜନତା ଏହାର ସୁଫଳ କେବେଠାରୁ ପାଇବେ।

Leave a Reply

Your email address will not be published. Required fields are marked *