\n\n\n\n\n\n\n

କ୍ୟାପିଟାଲ ହସ୍ପିଟାଲରେ ଡାଇଗ୍ନୋଷ୍ଟିକ ସେବା ଠପ୍ କାରଣରୁ ରୋଗୀ ଅସୁବିଧା ଏବଂ ତୁରନ୍ତ ମରାମତି ପଦକ୍ଷେପ

ଏଣ୍ଡୋସ୍କୋପି ମେସିନ୍ ଅଚଳ !
ନିରାଶ ହୋଇ ଫେରୁଛନ୍ତି ରୋଗୀ !
ପ୍ରାଇଭେଟ୍ ରେ ଖର୍ଚ୍ଚାନ୍ତ ହେଉଛନ୍ତି ପରିବାର ଲୋକେ !
କେବେ ହେବ ମରାମତି ?
ରାଜ୍ୟର ଏକ ବଡ ମେଡିକାଲରେ ସ୍ଥିତି ଏମିତି !
ଅନ୍ୟ ସବୁ ସ୍ଥାନରେ ସ୍ଥିତି କଣ ଥିବ !

ରାଜଧାନୀ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଗୁରୁତ୍ୱପୂର୍ଣ୍ଣ ଏଣ୍ଡୋସ୍କୋପି ପରୀକ୍ଷା ସେବା ଏବେ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏଣ୍ଡୋସ୍କୋପି ମେସିନ ଅଚଳ ହୋଇଯିବା ଫଳରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି। ସାଧାରଣତଃ ପାଚନତନ୍ତ୍ର ସମ୍ପର୍କିତ ସ୍ୱାସ୍ଥ୍ୟ ସମସ୍ୟାର ସଠିକ୍ ଯାଞ୍ଚ ପାଇଁ ଡାକ୍ତର ଏହି ପରୀକ୍ଷା କରିବାକୁ ପରାମର୍ଶ ଦେଇଥାନ୍ତି। ସରକାରୀ ହସ୍ପିଟାଲରେ ଏହା ମାଗଣାରେ ଉପଲବ୍ଧ ହେଉଥିବାରୁ ଆର୍ଥିକ ଦୃଷ୍ଟିରୁ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ ଏହା ବେଶ୍ ସହାୟକ ହେଉଥିଲା।ଏଠାରେ ସପ୍ତାହକୁ ତିନି ଦିନ ଏହି ପରୀକ୍ଷା କରାଯାଉଥିବା ବେଳେ ପ୍ରତିଦିନ ପ୍ରାୟ ୩୦ ରୁ ୪୦ ଜଣ ବ୍ୟକ୍ତି ଏହି ସୁବିଧା ନେଉଥିଲେ। ମାତ୍ର ମେସିନ ଖରାପ ଯୋଗୁଁ ବାଧ୍ୟହୋଇ ବାହାରେ ପରୀକ୍ଷା କରାଇବାକୁ ପଡ଼ୁଥିବାରୁ ସେମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ଚାପ ପଡ଼ୁଛି।ଅନ୍ୟପକ୍ଷରେ, ଏହି ସମସ୍ୟା ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ମେସିନଟି ୱାରେଣ୍ଟି ଅବଧି ମଧ୍ୟରେ ଥିବାରୁ ସମ୍ପୃକ୍ତ କମ୍ପାନିକୁ ତୁରନ୍ତ ତ୍ରୁଟି ସଜାଡ଼ିବାକୁ ଜଣାଇ ଦିଆଯାଇଛି। ଖୁବ୍ କମ୍ ସମୟ ମଧ୍ୟରେ ମରାମତି ଶେଷ କରି ସେବା ସ୍ୱାଭାବିକ କରାଯିବ ବୋଲି ସୂଚନା ମିଳିଛି।
ସାଧାରଣ ଜନତାଙ୍କ ମୌଳିକ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ହସ୍ପିଟାଲ କର୍ତ୍ତୃପକ୍ଷ ଯଥାଶୀଘ୍ର ଏହି ଯନ୍ତ୍ରାଂଶ ସଜାଡ଼ି ଦିଅନ୍ତୁ, ଯାହାଫଳରେ ଗରିବ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ବିନା କୌଣସି ବାଧାରେ ମିଳିପାରିବ।