କମୁଛି ସବୁଜିମା ବଢୁଛି ଚିନ୍ତା
ବିକାଶ ପଛରେ ବଳିପଡ଼ୁଛି ଜଙ୍ଗଲ!
୫ ବର୍ଷରେ ଉଜୁଡ଼ିଲା ବନଭୂମି!
ଲକ୍ଷ୍ୟଠାରୁ ବହୁ ପଛରେ ବନୀକରଣ!
ବଢୁଛି ତାପମାତ୍ରା, ହନ୍ତସନ୍ତ ଲୋକେ!
ଅନୁଗୋଳ: ଗୋଟିଏ ପଟେ ବିକାଶର ବଡ଼ ବଡ଼ ଦାବି, ଆଉ ଅନ୍ୟପଟେ କ୍ରମାଗତ ଭାବେ ଉଜୁଡ଼ି ଚାଲିଛି ସବୁଜ ଜଙ୍ଗଲ। ଅନୁଗୋଳ ଜିଲ୍ଲାରେ ଗତ ୫ ବର୍ଷ ଭିତରେ ପ୍ରାୟ ଏକ ହଜାର ୨୯୫ ହେକ୍ଟର ଜଙ୍ଗଲ ଜମି ବିଭିନ୍ନ ବିକାଶମୂଳକ ଓ ଖନନ କାର୍ଯ୍ୟ ପାଇଁ ବ୍ୟବହାର ହୋଇସାରିଛି। ତାଳଚେର-ଅନୁଗୋଳ ଅଞ୍ଚଳର ପରିବେଶବିତ୍ଙ୍କ ମନ୍ତବ୍ୟ। କୋଇଲା ଖନନ, ନୂତନ ଶିଳ୍ପ ପ୍ରତିଷ୍ଠା, ଜାତୀୟ ରାଜପଥ ପ୍ରଶସ୍ତୀକରଣ, ରେଳପଥ ନିର୍ମାଣ ଓ ଜଳସେଚନ ପ୍ରକଳ୍ପ ପାଇଁ ବ୍ୟାପକ ଜଙ୍ଗଲ କାଟି ସଫା କରିଦିଆଯାଇଛି। ଅନୁଗୋଳ, ଆଠମଲ୍ଲିକ ଓ ସାତକୋଶିଆ ବନଖଣ୍ଡରୁ ହଜାର ହଜାର ହେକ୍ଟର ଜଙ୍ଗଲ ଜମିର କିସମ ବଦଳାଇ ଦିଆଯାଇଛି।ନିୟମ ଅନୁଯାୟୀ ଯେତିକି ଜଙ୍ଗଲ କଟାଯିବ, ସେତିକି ପରିମାଣର ନୂଆ ଜଙ୍ଗଲ ସୃଷ୍ଟି କରାଯିବା ନିହାତି ଜରୁରୀ। କିନ୍ତୁ ସରକାରୀ ତଥ୍ୟ କହୁଛି, ୫ ବର୍ଷରେ ୨୮୫ ହେକ୍ଟର ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଲକ୍ଷ୍ୟ ଥିବା ବେଳେ ମାତ୍ର ପ୍ରାୟ ୩ ହେକ୍ଟର ଜମିରେ ହିଁ ବୃକ୍ଷରୋପଣ ହୋଇପାରିଛି। ଜଙ୍ଗଲ କାଟିବା ପାଇଁ ପ୍ରଶାସନ ତତ୍ପରତା ଦେଖାଉଥିବା ବେଳେ ନୂଆ ଜଙ୍ଗଲ ସୃଷ୍ଟି କରିବାରେ ବନ ବିଭାଗ ଅତ୍ୟନ୍ତ ମନ୍ଥର ପାଲଟିଛି। ଏହାର ସିଧାସଳଖ କୁପ୍ରଭାବ ଏବେ ସ୍ଥାନୀୟ ପରିବେଶ ଓ ଜଳବାୟୁ ଉପରେ ପଡ଼ୁଛି। ଅଞ୍ଚଳରେ ପ୍ରଦୂଷଣ ବଢ଼ିବା ସହ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଉଛି। ବିକାଶ ନିଶ୍ଚିତ ଭାବେ ଆବଶ୍ୟକ, କିନ୍ତୁ ପରିବେଶର ସୁରକ୍ଷାକୁ ଅଣଦେଖା କରି ନୁହେଁ। ଯଦି ତୁରନ୍ତ କ୍ଷତିପୂରଣ ବନୀକରଣକୁ ତ୍ୱରାନ୍ୱିତ କରାନଯାଏ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ମାନଦଣ୍ଡ କଡ଼ାକଡ଼ି ଭାବେ ଲାଗୁ ନହୁଏ, ତେବେ ଆଗାମୀ ଦିନରେ ଅଞ୍ଚଳବାସୀଙ୍କୁ ଆହୁରି ବଡ଼ ପରିବେଶ ସଙ୍କଟର ସାମ୍ନା କରିବାକୁ ପଡ଼ିବ।
