\n\n\n\n\n\n\n

ଛାତ୍ର ନିର୍ବାଚନ: କେନ୍ଦ୍ରର ହଁ ରାଜ୍ୟର ନା !

ଛାତ୍ର ନିର୍ବାଚନ: ସତ ନା ଧୋକା ?

ମନ୍ତ୍ରୀଙ୍କ ‘ନା’, ଭିତରେ ‘ହଁ’ର ପ୍ରସ୍ତୁତି !

ବିଧାୟକ ଅରାଜି, କେନ୍ଦ୍ରର ଜିଦ୍!

କେବଳ ‘ଜେନ୍-ଜି’ ଭୋଟ୍ ଉପରେ ନଜର?

୮ ବର୍ଷର ଅପେକ୍ଷା, ଆଶା ନା ଆଖିଠାର?

ଓଡ଼ିଶାର କ୍ୟାମ୍ପସଗୁଡ଼ିକରେ ୮ ବର୍ଷର ନୀରବତା ଭାଙ୍ଗିବ କି? ପୁଣି ଥରେ ଛାତ୍ର ସଂସଦ ନିର୍ବାଚନର ବିଗୁଲ୍ ବାଜିବ କି? ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ। ଗୋଟିଏ ପଟେ ବିଭିନ୍ନ ଗଣମାଧ୍ୟମରେ ଅକ୍ଟୋବର ୧୪ କିମ୍ବା ୧୫ ତାରିଖରେ ଛାତ୍ର ନିର୍ବାଚନକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ, ଅନ୍ୟପଟେ ସରକାରଙ୍କ ଆଭିମୁଖ୍ୟ ଏବେ ଚିନ୍ତା ରେ ପକାଇଛି । ଛାତ୍ର ନିର୍ବାଚନକୁ ନେଇ ସରକାର ପ୍ରକୃତରେ ସକାରାତ୍ମକ ନା ଏହା କେବଳ ଏକ ରାଜନୈତିକ ଚାଲ୍?

ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍ ସ୍ପଷ୍ଟ କରିଛନ୍ତି ଯେ, ନିର୍ବାଚନ ଆୟୋଜନକୁ ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। କୌଣସି ନିର୍ଦ୍ଦିଷ୍ଟ ତାରିଖ କିମ୍ବା ରୂପରେଖ ସ୍ଥିର ହୋଇନାହିଁ। ମନ୍ତ୍ରୀଙ୍କ ଏହି ବୟାନ ଗଣମାଧ୍ୟମର ଚର୍ଚ୍ଚା ଉପରେ ବିରାମ ଲଗାଇଛି ସତ, କିନ୍ତୁ ସରକାରଙ୍କ ଭିତିରିଆ ଗୁମର କିଛି ଅଲଗା କହୁଛି। ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗରେ ପ୍ରସ୍ତୁତି ଜୋରଦାର ଚାଲିଛି। ଅକ୍ଟୋବର ୫ରୁ ପ୍ରକ୍ରିୟା ଆରମ୍ଭ କରି ୧୫ରେ ଭୋଟ୍ ଗ୍ରହଣ କରିବାକୁ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଥିବା ନେଇ ଚର୍ଚ୍ଚା ହେଉଛି । ତେବେ ପ୍ରଶ୍ନ ଉଠୁଛି, ଯଦି ପ୍ରସ୍ତୁତି ଚାଲିଛି, ତେବେ ମନ୍ତ୍ରୀ ସର୍ବସାଧାରଣରେ ‘ନା’ କାହିଁକି କହୁଛନ୍ତି? କାହିଁକି ଏତେ ଲୁଚକାଳି?

ଏଠାରେ ସବୁଠାରୁ ବଡ଼ ଖବର ହେଉଛି, ଶାସକ ଦଳର ବହୁ ବିଧାୟକ ଛାତ୍ର ନିର୍ବାଚନ ସପକ୍ଷରେ ନାହାନ୍ତି। ବିଜେପି ବୈଠକରେ ଅଧିକାଂଶ ବିଧାୟକ ନିର୍ବାଚନ ଚାହୁଁ ନଥିବା ସ୍ପଷ୍ଟ ହୋଇଥିଲା। ଏହା ସତ୍ତ୍ୱେ, ‘ଉପରୁ’ ନିର୍ଦ୍ଦେଶ ଅଛି ବୋଲି ଦଳୀୟ ସଭାପତି ଜଣାଇଛନ୍ତି। ଆଉ ଏହି ‘ଉପରୁ ନିର୍ଦ୍ଦେଶ’ର ଅର୍ଥ ହେଉଛି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ। ଅଭିଯୋଗ ହେଉଛି, ରାଜ୍ୟ ସରକାର କେବଳ ‘ଜେନ୍-ଜି’ ଅର୍ଥାତ୍ ନୂତନ ପିଢ଼ିର ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ, ନିଜ ଇଚ୍ଛା ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ‘ହଁ’ରେ ‘ହଁ’ ମିଶାଉଛନ୍ତି। ଏହା ଛାତ୍ରଙ୍କ ଗଣତାନ୍ତ୍ରିକ ଅଧିକାର ନୁହେଁ, ବରଂ କେବଳ ଭୋଟ୍ ବ୍ୟାଙ୍କ ରାଜନୀତି ବୋଲି ସ୍ପଷ୍ଟ ଜଣାପଡ଼ୁଛି।

ତେବେ ସରକାରଙ୍କ ଦ୍ୱିଧା ଏତିକିରେ ସରିନାହିଁ। ନିର୍ବାଚନ କେବଳ ସରକାରୀ କଲେଜରେ ହେବ ନା ଅନୁଦାନପ୍ରାପ୍ତ କଲେଜରେ ମଧ୍ୟ ହେବ, ତାହାକୁ ନେଇ ମାନସ ମନ୍ଥନ ଜାରି ରହିଛି। ଅନୁଦାନପ୍ରାପ୍ତ କଲେଜରେ ନିର୍ବାଚନ ନହେଲେ ଛାତ୍ର ଅଶାନ୍ତିର ଭୟ ରହିଛି। ସବୁଠାରୁ ବଡ଼ କଥା ହେଉଛି, ଯଦି କୌଣସିଠାରେ ଗଣ୍ଡଗୋଳ ହୁଏ, ତେବେ ଅଧାରୁ ନିର୍ବାଚନ ବନ୍ଦ କରିଦିଆଯିବ ବୋଲି କୁହାଯାଉଛି। ଏହା କଣ ସରକାରଙ୍କ ପଛଘୁଞ୍ଚା ଦେବାର ଏକ ବାହାନା ନୁହେଁ କି? ଯଦି ସରକାର ନିର୍ବାଚନ ପାଇଁ ପୂର୍ଣ୍ଣ ସମର୍ଥନ ଦେଉନାହାନ୍ତି, ତେବେ ଖାଲି କେନ୍ଦ୍ରକୁ ଖୁସି କରିବା ପାଇଁ ଏହି ନାଟକ କାହିଁକି?

ବିଜୁ ଛାତ୍ର ଜନତା ଦଳ, ଛାତ୍ର କଂଗ୍ରେସ ଏବଂ ABVP ଭଳି ସଂଗଠନଗୁଡ଼ିକ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ। କିନ୍ତୁ ସରକାରଙ୍କ ଏହି ଦ୍ୱିଧାପୂର୍ଣ୍ଣ ଆଭିମୁଖ୍ୟ ଛାତ୍ରସଂସଦ ନିର୍ବାଚନର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଉଛି। ଆସନ୍ତାକାଲି ସୁଦ୍ଧା ସ୍ଥିତି ସ୍ପଷ୍ଟ ହେବ ବୋଲି କୁହାଯାଉଛି। କିନ୍ତୁ ବଡ଼ ପ୍ରଶ୍ନ ହେଉଛି, ୮ ବର୍ଷ ପରେ ଓଡ଼ିଶାର ଛାତ୍ରଛାତ୍ରୀ କଣ ପ୍ରକୃତରେ ନିଜ ନେତା ବାଛିବାର ଅଧିକାର ପାଇବେ, ନା ଏହା କେବଳ ଏକ ରାଜନୈତିକ ଗୋଟିଚାଳନା ହୋଇ ରହିଯିବ? ତାହା ଦେଖିବାକୁ ଏବେ ବାକି ରହିଲା |