\n\n\n\n\n\n\n

ଧର୍ମଗଡ଼ ଧାନ ଫସଲ ସଙ୍କଟ: କୃଷି ସମସ୍ୟାକୁ ନେଇ ଚିନ୍ତାରେ ଚାଷୀ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକର ଦଣ୍ଡପାଟ ସମେତ ବିଭିନ୍ନ ଅଞ୍ଚଳରେ ଏବେ ଧାନ ଫସଲରେ ବ୍ୟାପକ କ୍ଷତି ଦେଖିବାକୁ ମିଳିଛି। ଧାନ ଗଛର ପତ୍ରଗୁଡ଼ିକ ହଳଦିଆ ଓ ଲାଲ୍ ପଡ଼ି ଶୁଖିଯାଉଥିବାରୁ ଏକର ଏକର ଚାଷଜମି ନଷ୍ଟ ହେବାକୁ ବସିଛି।ଫସଲକୁ ବଞ୍ଚାଇବା ପାଇଁ ଚାଷୀମାନେ ନିଜସ୍ୱ ଖର୍ଚ୍ଚରେ ବଜାରରୁ ବିଭିନ୍ନ ପ୍ରକାର କୀଟନାଶକ ଔଷଧ ସିଞ୍ଚନ କରୁଛନ୍ତି। ହେଲେ ଏହି ସମସ୍ୟା କମିବା ବଦଳରେ ବଢ଼ି ଚାଲିଛି, ଯାହା ଚାଷ ଖର୍ଚ୍ଚକୁ ଦୁଇଗୁଣା କରିଦେଇଛି।ବ୍ୟାଙ୍କ ଓ ସାହୁକାରଙ୍କ ଠାରୁ ଋଣ ଆଣି ଚାଷ କରିଥିବା ଚାଷୀ ଏବେ ଚରମ ନୈରାଶ୍ୟ ଭିତରେ ଗତି କରୁଛନ୍ତି। ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲେ ଋଣ ସୁଝିବା ସହ ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇପଡ଼ିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।ବର୍ତ୍ତମାନ ପରିସ୍ଥିତିରେ କୃଷି ବିଭାଗର ଅଧିକାରୀମାନେ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ସମସ୍ୟାର ସଠିକ୍ ସମାଧାନ ବତାଇବା ସହ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ଉପଯୁକ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଜୋରଦାର ଦାବି ହୋଇଛି।ଧର୍ମଗଡ଼ର ଏହି ଅଞ୍ଚଳରେ ଦେଖାଦେଇଥିବା ଫସଲ ସଙ୍କଟ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଚାଷୀଙ୍କ ଆର୍ଥିକ ସ୍ଥିତି ଆହୁରି ସଙ୍ଗିନ ହେବାର ଆଶଙ୍କା ରହିଛି।