ଡେରାସ ସିଫୁଡ୍ ପାର୍କର ଦୁର୍ଦ୍ଦଶା।
୭୧ ପ୍ରତିଶତ ସ୍ଥାନ ଖାଲିପଡ଼ିଛି।
୯ଟି ଶିଳ୍ପ ପ୍ରକଳ୍ପ ବାତିଲ୍ ହେଲା କାହିଁକି?
ପାଣି ଏବଂ ବିଜୁଳିର ନାହିଁ ଭରସା
ଅଚଳ ହୋଇପଡ଼ିଛି ବହୁ ମୌଳିକ ଭିତ୍ତିଭୂମି।
ଖୋର୍ଦ୍ଧା: ଖୋର୍ଦ୍ଧାର ଡେରାସଠାରେ ନିର୍ମାଣ ହୋଇଥିବା ସିଫୁଡ୍ ପାର୍କ ଏବେ ଅବହେଳିତ ଅବସ୍ଥାରେ। ଇଡକୋ ଦ୍ୱାରା ନିର୍ମିତ ଏହି ବୃହତ୍ ପ୍ରକଳ୍ପରେ ଏବେବି ୭୧ ପ୍ରତିଶତରୁ ଅଧିକ ସ୍ଥାନ ଖାଲି ପଡ଼ିଛି। ୮୮. ୭୮ଏକରରୁ ଅଧିକ ଲିଜ୍ ଜମି ମଧ୍ୟରୁ ୨୫.୪୬ ଏକର ଜମି ଆବଣ୍ଟନ କରାଯାଇଥିବା ବେଳେ ବାକି ଜମିକୁ କୌଣସି ସଂସ୍ଥା ନେଇନାହାନ୍ତି। ଏବେ ସୁଦ୍ଧା ମାତ୍ର ୪ଟି ସଂସ୍ଥା ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ବିଭିନ୍ନ କାରଣରୁ ୯ଟି ପ୍ରକଳ୍ପ ବାତିଲ ହୋଇଯାଇଛି।କିଛି ଦିନ ପୂର୍ବେ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏହି ପାର୍କ ପରିଦର୍ଶନ କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ପାର୍କ ଭିତରେ ଥିବାକୋଲ୍ଡ ଷ୍ଟୋରେଜ୍, ବରଫ କଳ, ପ୍ୟାକେଜିଂ ଏବଂ ପଲିଥିନ୍ କାରଖାନା ମଧ୍ୟ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଶିଳ୍ପ ପାଇଁ ସବୁଠୁ ଜରୁରୀ ପାଣି ଓ ବିଜୁଳି ଉପରେ ଏଠାରେ କୌଣସି ଭରସା ନାହିଁ। ବାରମ୍ବାର ବିଦ୍ୟୁତ୍ କାଟ୍, ଭୋଲଟେଜ୍ ସମସ୍ୟା ଏବଂ ଦୈନିକ ଜଳ ଯୋଗାଣ ଅଭାବ ଯୋଗୁଁ କମ୍ପାନୀଗୁଡ଼ିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଡେରାସ ସିଫୁଡ୍ ପାର୍କ ଆଜି ଅନେକ ମୌଳିକ ସୁବିଧାରୁ ବଞ୍ଚିତ। ପରିଚାଳନାଗତ ତ୍ରୁଟି ଏବଂ ଭିତ୍ତିଭୂମିର ଅଭାବ ଯୋଗୁଁ ନୂଆ ଶିଳ୍ପ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ନଦେଲେ ଭବିଷ୍ୟତରେ ଏହି ଶିଳ୍ପାଞ୍ଚଳ ଆହୁରି ବଡ଼ ସଙ୍କଟର ସମ୍ମୁଖୀନ ହେବାର ଆଶଙ୍କା ରହିଛି।
