ଗଣତନ୍ତ୍ର ନାଁରେ ଏ କି ଛଳନା?
ଭୋଟରଙ୍କ ସହ ସରକାରଙ୍କ ବଡ଼ ଧୋକା!
ରାସ୍ତାରେ ନିଜ ଅଧିକାର ମାଗୁଛନ୍ତି ଭୋଟର!
ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କମ୍ପୁଛି ଦେଶ!
ଗୋଟିଏ ଭୋଟ୍ ସରକାର ଗଢିପାରେ… ଆଉ ସରକାର ଭାଙ୍ଗି ମଧ୍ୟ ପାରେ। ହେଲେ ଯଦି ସେହି ଭୋଟ୍ ଦେବାର ଅଧିକାର ହିଁ ଆପଣଙ୍କଠାରୁ ଛଡ଼ାଇ ନିଆଯାଏ, ତେବେ ତାହାଠାରୁ ବଡ଼ ଧୋକା ଆଉ କଣ ହୋଇପାରେ? ରାତି ପାହିଲେ ନିର୍ବାଚନ, ହେଲେ ଏବେବି ଅନେକ ଭୋଟରଙ୍କ ନାମ ତାଲିକାରୁ ଗାଏବ। ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବରେ ଏବେ ସାମ୍ନାକୁ ଆସିଛି ସିଷ୍ଟମର ସବୁଠାରୁ ବଡ଼ ବିଫଳତା।
ଗୋଟିଏ ପଟେ ନିର୍ବାଚନ କମିଶନ ବିଏଲଓ ମାନଙ୍କ ଦ୍ୱାରା ଘର ଘର ବୁଲି ନୂଆ ଭୋଟର ତାଲିକା ସଂଶୋଧନର ପ୍ରତିଶ୍ରୁତି ଦେଉଛନ୍ତି, କିନ୍ତୁ ଅନ୍ୟପଟେ ଦେଶର ରାଜଧାନୀ ଦିଲ୍ଲୀରୁ ନେଇ ଆର୍ଥିକ ରାଜଧାନୀ ମୁମ୍ବାଇ ପର୍ଯ୍ୟନ୍ତ ରାସ୍ତାରେ ତେଜିଲାଣି ଅସନ୍ତୋଷର ନିଆଁ। ଲୋକଙ୍କ ମନରେ ବଡ଼ ପ୍ରଶ୍ନ – ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖାଉଥିବା ସରକାର, ଗୋଟିଏ ନିର୍ଭୁଲ ଭୋଟର ତାଲିକା କାହିଁକି ପ୍ରସ୍ତୁତ କରିପାରୁ ନାହାନ୍ତି? କାହା ଇଙ୍ଗିତରେ ବାଦ୍ ପଡିଲେ ହଜାର ହଜାର ଯୋଗ୍ୟ ଭୋଟର? ନିଜ ଅଧିକାର ଛଡ଼ାଇ ନେବାକୁ ଶାସନ ବ୍ୟବସ୍ଥା କଣ ଏତେ ତତ୍ପର ହୋଇପଡିଛି?
ଏହି ପ୍ରଶ୍ନକୁ ନେଇ ଆଜି ରାସ୍ତାକୁ ଓହ୍ଲାଇଛି ସାଧାରଣ ଜନତା। ଛାତ୍ର ସଂଗଠନ ଏବଂ ବିରୋଧୀଙ୍କ ଦାବି କେବଳ ଗୋଟିଏ – ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଇସ୍ତଫା ଦିଅନ୍ତୁ। ମୁମ୍ବାଇର ପାର୍କ ହେଉ କି ଦିଲ୍ଲୀର ରାସ୍ତା, ସବୁଠି ବ୍ୟବସ୍ଥା ବିରୋଧରେ କେବଳ ଗୋଟିଏ ସ୍ୱର। କିନ୍ତୁ ପ୍ରଶାସନ ନିଜର ତ୍ରୁଟି ସୁଧାରିବା ବଦଳରେ ପୋଲିସ ଲଗାଇ ଆନ୍ଦୋଳନକାରୀ ଓ ବରିଷ୍ଠ ନେତାଙ୍କୁ ଅଟକ ରଖି ସ୍ୱର ଚାପିଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି।
ଯଦି ସମୟ ଥାଉ ଥାଉ ଏହି ତ୍ରୁଟି ନସୁଧୁରେ, ତେବେ ଏହି ଆନ୍ଦୋଳନ ଆଗାମୀ ଦିନରେ ଅନ୍ୟ ରାଜ୍ୟକୁ ବ୍ୟାପିବା ନିଶ୍ଚିତ। ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ବ୍ୟବସ୍ଥା ଏବେ ସାଧାରଣ ଜନତାଙ୍କ କାଠଗଡ଼ାରେ। ଦେଖିବାକୁ ବାକି ରହିଲା, ଜନତାଙ୍କ ଏହି ଆକ୍ରୋଶ ଆଗରେ ସିଷ୍ଟମ ମୁଣ୍ଡ ନୁଆଁଉଛି ନା ଏହା ପଛରେ ରହିଛି ଆଉ କୌଣସି ବଡ଼ ରାଜନୈତିକ ଖେଳ?
