\n\n\n\n\n\n\n

ଆଙ୍ଗୁଠି ଛାପ ନାହିଁ ତ ରାସନ୍ ନାହିଁ!

ଡିଜିଟାଲ୍ ବ୍ୟବସ୍ଥାରେ ଅନ୍ଧ ସରକାର!
ଅସହାୟଙ୍କ ସାଥ୍ ଛାଡିଲା ସିଷ୍ଟମ୍!
ଆଙ୍ଗୁଠି ଛାପ ନାହିଁ, ରାସନ୍ ନାହିଁ!
ଦିବ୍ୟାଙ୍ଗଙ୍କୁ ସରକାରୀ ବ୍ୟବସ୍ଥାର ବଡ଼ ଧୋକା!

ବାଲେଶ୍ୱର: ଗୋଟିଏ ପଟେ ସରକାର ଡିଣ୍ଡିମ ପିଟୁଛନ୍ତି ବିକାଶର… ଆଉ ଲୋକଙ୍କୁ ସ୍ୱପ୍ନ ଦେଖାଯାଉଛି ଡିଜିଟାଲ୍ ଇଣ୍ଡିଆର। ହେଲେ ଯେତେବେଳେ ସେହି ଡିଜିଟାଲ୍ ବ୍ୟବସ୍ଥା ଜଣେ ଅସହାୟ ଦିବ୍ୟାଙ୍ଗଙ୍କ ପେଟକୁ ଲାତ ମାରେ, ସେତେବେଳେ ସରକାରୀ ଯୋଜନାର ଅସଲ ମୁଖା ଖୋଲିଯାଏ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ଶିଖରପୁର ପଞ୍ଚାୟତରୁ ଆସିଥିବା ଏହି ଖବର, ଶୀତଳ ଭଣ୍ଡାରରେ ଶୋଇଥିବା ବାବୁମାନଙ୍କ ଆଖି ଖୋଲିଦେବା ପାଇଁ ଯଥେଷ୍ଟ।

ଭେଟିନ୍ତୁ ଦମୟନ୍ତୀ ଭୂୟାଁଙ୍କୁ। ଦୀର୍ଘ ବର୍ଷ ଧରି ଗୁରୁତର ଶାରୀରିକ ଅକ୍ଷମତା ଭିତରେ କଟୁଛି ତାଙ୍କ ଜୀବନ। ଶରୀର ସାଥ୍ ଦେଉନି, ଆଉ ଏବେ ସରକାରୀ ବ୍ୟବସ୍ଥା ବି ସମ୍ପୂର୍ଣ୍ଣ ସାଥ୍ ଛାଡିଦେଇଛି! ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ… କେବଳ ହାତର ଆଙ୍ଗୁଠି ଛାପ ଏବଂ ଆଖି ସ୍କାନ ହୋଇପାରୁନଥିବାରୁ, ଏହି ଦିବ୍ୟାଙ୍ଗ ମହିଳାଙ୍କର ଆଧାର କାର୍ଡ ହୋଇପାରିଲାନି। ଆଉ ଇ-କେୱାଇସି ଅଭାବରୁ ବନ୍ଦ ହୋଇଗଲା ତାଙ୍କ ପେଟର ଦାନା ଅର୍ଥାତ୍ ରାସନ୍ ସାମଗ୍ରୀ! ମିଳୁଥିବା ମାତ୍ର ୧୨୦୦ ଟଙ୍କାର ଅଫଲାଇନ୍ ଭତ୍ତାରେ ସେ ବଞ୍ଚିବେ କେମିତି? ବର୍ଦ୍ଧିତ ଭତ୍ତାରୁ ବି ସେ ବଞ୍ଚିତ। ଏଠି ସବୁଠୁ ବଡ଼ ପ୍ରଶ୍ନ ଉଠୁଛି- ନିୟମ ମଣିଷ ପାଇଁ ନା ମଣିଷ ନିୟମ ପାଇଁ? ଯେଉଁ ସରକାର ଗରିବଙ୍କ ସୁବିଧା କଥା କହି ବାଃ ବାଃ ସାଉଁଟୁଛନ୍ତି, ତାଙ୍କ ନିୟମ ଜଣେ ଦିବ୍ୟାଙ୍ଗଙ୍କ ପାଇଁ ଏତେ ନିଷ୍ଠୁର କେମିତି ହୋଇପାରେ?

ଶେଷରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ପାଖରେ ନ୍ୟାୟର ଭିକ ମାଗିଛନ୍ତି ଦମୟନ୍ତୀ। ଘଟଣାର ଗୁରୁତ୍ୱ ବୁଝି ଜିଲ୍ଲାପାଳ ତୁରନ୍ତ ବିଡିଓଙ୍କୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ତ ଦେଇଛନ୍ତି… କିନ୍ତୁ ପ୍ରଶ୍ନ ରହୁଛି, ଯଦି ଜିଲ୍ଲାପାଳଙ୍କ ଗସ୍ତ ହୋଇନଥାନ୍ତା, ତେବେ କଣ ଏ ମହିଳାଙ୍କ ଗୁହାରି କେବେ ଶୁଣାଯାଇଥାନ୍ତା? ଏବେ ଦେଖିବାକୁ ବାକି ରହିଲା, ପ୍ରଶାସନର ଏହି ନିର୍ଦ୍ଦେଶ ଫାଇଲ୍ ତଳେ ଚାପି ହୋଇ ରହିଯାଉଛି ନା ଦମୟନ୍ତୀଙ୍କୁ ତାଙ୍କ ନ୍ୟାଯ୍ୟ ଅଧିକାର ଫେରି ମିଳୁଛି!