ଭାଙ୍ଗିଲା ପାକିସ୍ତାନର ଅହଂକାର
ସୁନା ଜିତିଲା ଭାରତ !
ଅଭିଷେକ ଓ ତିଲକଙ୍କ ଝଡ଼ରେ ଉଡିଗଲା ପାକିସ୍ତାନ !
ଶେଷ ଓଭରରେ ଅଟକି ଯାଇଥିଲା ନିଶ୍ୱାସ…
ଏମିତି ସୁନା ଜିତିଲା ଭାରତ !
ଏସିଆନ୍ ଗେମ୍ସରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ ! ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ୍ ଦେଇ ସୁନା ପଦକ ଉପରେ କବଜା କରିଛି ଭାରତ। ଆଉ ଏହି ବିଜୟ ସହ ଏସିଆନ୍ ଗେମ୍ସ ୨୦୨୬ରେ ଦେଶ ପାଇଁ ଆସିଛି ଆଉ ଏକ ସ୍ୱର୍ଣ୍ଣିମ ମୁହୂର୍ତ୍ତ !
ଅକ୍ଟୋବର ୩ ତାରିଖ… ଜାପାନର କୋରୋଗି ପାର୍କ। ସାମ୍ନାରେ ଥିଲା ପାକିସ୍ତାନ, ଆଉ ଟାର୍ଗେଟ୍ ଥିଲା ସୁନା ପଦକ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ମେନ୍-ଇନ୍-ବ୍ଲୁ। ଆରମ୍ଭରୁ ହିଁ ପାକିସ୍ତାନୀ ବୋଲରଙ୍କ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ ଯୁବ ତାରକା ଅଭିଷେକ ଶର୍ମା। ମାତ୍ର ୨୮ଟି ବଲ୍… ଆଉ ଧୂଆଁଧାର ୬୧ ରନର ଇନିଂସ ! ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ୨ଟି ବିଶାଳ ଛକା ମାରି ୧୫ ରନ୍ କରିଥିଲେ। ତେବେ ସଞ୍ଜୁ ସାମସନ ମାତ୍ର ୨ ରନ୍ କରି ଆଉଟ୍ ହେବା ପରେ ଦଳ ଉପରେ ସାମାନ୍ୟ ଚାପ ପଡ଼ିଥିଲା।
କିନ୍ତୁ ପିଚ୍ ଉପରେ ଥିଲେ ଶ୍ରେୟାସ ଆୟର ଓ ଇଶାନ କିଷାନ। ଉଭୟେ ଯଥାକ୍ରମେ ୨୧ ଓ ୨୦ ରନ୍ କରି ପାଳିକୁ ସମ୍ଭାଳି ନେଇଥିଲେ। ଆଉ ତା’ପରେ ଦେଖିବାକୁ ମିଳିଲା ତିଲକ ବର୍ମା ଆଉ ଶିବମ ଦୁବେଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ! ଶିବମ ୨୭ ରନ୍ କରିଥିବା ବେଳେ, ତିଲକ ବର୍ମା ପାକିସ୍ତାନୀ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ମାତ୍ର ୨୨ ବଲରେ ଅପରାଜିତ ୫୧ ରନ୍ ! ଆଉ ଭାରତ ପାକିସ୍ତାନ ଆଗରେ ଛିଡ଼ା କରିଦେଲା ୨୧୧ ରନର ବିଶାଳ ପାହାଡ଼।
ଏବେ ପାଳି ଥିଲା ପାକିସ୍ତାନର। ଟାର୍ଗେଟ୍ ବଡ଼ ଥିଲା। ଆଉ ଆରମ୍ଭରୁ ହିଁ ଭାରତୀୟ ବୋଲରଙ୍କ ଆଗରେ ହାର ମାନିଯାଇଥିଲେ ପାକିସ୍ତାନ ବ୍ୟାଟର। ଅଧିନାୟକ ସାହିବଜାଦା ଫରହାନ ୧୦, ମାଜ୍ ସଦାକତ ୨୩ ଏବଂ ଉସମାନ ଖାନ ମାତ୍ର ୩ ରନ୍ କରି ପାଭିଲିୟନ ଫେରିଗଲେ। ଲାଗୁଥିଲା ଯେମିତି ମ୍ୟାଚ୍ ସମ୍ପୂର୍ଣ୍ଣ ଭାବେ ଭାରତ ହାତକୁ ଆସିଯାଇଛି। କିନ୍ତୁ… ମଇଦାନକୁ ଆସିଲେ ହାସନ ନୱାଜ। ସାଇମ ଆୟୁବଙ୍କ ସହ ମିଶି ସେ ଆରମ୍ଭ କଲେ ଜୋରଦାର କାଉଣ୍ଟର ଆଟାକ୍। ଗୋଟିଏ ପଟେ ଆୟୁବ ୨୯ ରନ୍ କରି ଆଉଟ୍ ହେଲେ, ହେଲେ ଅନ୍ୟପଟେ ନୱାଜଙ୍କ ବ୍ୟାଟ୍ ରୋକିବାର ନାଁ ନେଉନଥିଲା। ମାତ୍ର ୫୧ ବଲରେ ୯୬ ରନର ତୋଫାନୀ ପାଳି ଖେଳି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। କିଛି ସମୟ ପାଇଁ ଭାରତୀୟ କ୍ୟାମ୍ପରେ ଚିନ୍ତା ପଶିଯାଇଥିଲା। ହାତରୁ ଖସିଯାଉଥିଲା କି ବିଜୟ ? କ’ଣ ଏହି ମ୍ୟାଚ୍ ପାକିସ୍ତାନ ଜିତିଯିବ ?
ଆଉ ଏହି ସବୁ ପ୍ରଶ୍ନ ଏବଂ ଚିନ୍ତା କୁ ଦୂର କଲା ଭାରତ ! ଶେଷରେ ନୱାଜଙ୍କ ସବୁ ପ୍ରୟାସ ବିଫଳ ହେଲା। ପାକିସ୍ତାନ ଟିମ୍ ନିର୍ଦ୍ଧାରିତ ଓଭରରେ କେବଳ ୧୯୨ ରନ୍ ହିଁ କରିପାରିଲା। ଆଉ ୧୯ ରନରେ ମ୍ୟାଚ୍ ଜିତି ଏସିଆନ ଗେମ୍ସରେ ସୁବର୍ଣ୍ଣ ଇତିହାସ ରଚିଲା ଟିମ୍ ଇଣ୍ଡିଆ ! ତେବେ ଭାରତର ଏହି ଐତିହାସିକ ବିଜୟ ଉପରେ ଆପଣଙ୍କ ମତ କ’ଣ, କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।
