ରାତି ଅଧରେ ନିଜ ଘରୁ VCଙ୍କୁ ଟାଣିଆଣିଲେ ଛାତ୍ରଛାତ୍ରୀ !
ତା’ପରେ ଯାହା କଲେ ଦେଖିଲେ ଟାଙ୍କୁରି ଉଠିବ ଲୋମ !
ଜବରଦସ୍ତି ଖୁଆଇଲେ ଝିଟିପିଟି ତରକାରୀ !
ଛାତ୍ରଙ୍କ ଭୟଙ୍କର ରଣହୁଙ୍କାର ରେ ଜଳିଲା କ୍ୟାମ୍ପସ !
ଶେଷରେ ବାଜିଲା ପୋଲିସର ଲାଠିଚାର୍ଜ
ଜଳୁଛି ରାଜଧାନୀ ନିକଟସ୍ଥ ନାମିଦାମୀ ୟୁନିଭର୍ସିଟି| ନାମ ସେଞ୍ଚୁରିଅନ୍ ୟୁନିଭର୍ସିଟି, ସମୟ- ରାତିର ନିସ୍ତବ୍ଧତା। କିନ୍ତୁ ହଠାତ୍ ଏହି ନିରବତାକୁ ଚିରି ଦେଇଥିଲା ହଜାର ହଜାର ଛାତ୍ରଛାତ୍ରୀଙ୍କ ଚିତ୍କାର। ଯେଉଁ କ୍ୟାମ୍ପସରେ ଦିନ ବେଳା ବହି ଆଉ ପାଠର ଶବ୍ଦ ଶୁଭେ, ସେଠାରେ ରାତି ଅଧରେ ଶୁଭିଲା କାଚ ଭାଙ୍ଗିବାର ଶବ୍ଦ… ଗାଡ଼ି ଜଳିବାର ଶବ୍ଦ!
କାହିଁକି ଏ ହଙ୍ଗମା? କ’ଣ ଘଟିଥିଲା ସେହି ୟୁନିଭର୍ସିଟିରେ, ଯାହା ପୁରା କ୍ୟାମ୍ପସରେ ନିଆଁ ଲଗାଇଦେଲା? ତେବେ ଦିନେ କି ଦୁଇ ଦିନ ନୁହେଁ… ମାସ ମାସ ଧରି ପିଲାଙ୍କୁ ଦିଆଯାଉଥିଲା ବିଷ! ଖାଦ୍ୟରେ କେବେ ପୋକ ତ କେବେ ଅସରପା । ପିଲାମାନେ ଅଭିଯୋଗ କରି କରି ଥକିଗଲେ, ହେଲେ ଏସି ରୁମ୍ରେ ବସିଥିବା କର୍ତ୍ତୃପକ୍ଷଙ୍କ କାନରେ ଜୁ ଲାଗିଲାନି। କିନ୍ତୁ ସେଦିନ ରାତିରେ ଘଟିଗଲା କିଛି ଏମିତି। ଛାତ୍ରୀଙ୍କ ତରକାରୀରୁ ବାହାରିଲା ସିଧା ଗୋଟା ଝିଟିପିଟି!
ଏହା ପରେ ଯାହା ହେଲା, ତାହା ଦେଖିଲେ ଲୋମ ଟାଙ୍କୁରି ଉଠିବ। ଛାତ୍ରଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଲା। ସେହି ଝିଟିପିଟି ପଡ଼ିଥିବା ତରକାରୀ ବାଲଟି ଧରି ହଜାର ହଜାର ପିଲା ମାଡିଗଲେ ସିଧା ଭାଇସ୍ ଚାନ୍ସେଲର ବା VCଙ୍କ ଘର ଆଡ଼କୁ। ରାତି ଅଧରେ ତାଙ୍କୁ ଘରୁ ଟାଣି ଆଣିଲେ। ଛାତ୍ରଙ୍କ ଗୋଟିଏ ଜିଦ୍- “ଆମକୁ ଯେଉଁ ଖରାପ ଖାଦ୍ୟ ଦେଉଛ, ଆଜି ତୁମେ ନିଜେ ତାକୁ ଖାଇବ।” ଆଉ ତା’ପରେ… ମୋବାଇଲ୍ କ୍ୟାମେରା ଲାଇଟ୍ ସାମ୍ନାରେ, ଉତ୍ତ୍ୟକ୍ତ ଭିଡ଼ ଭିତରେ, ଭିସିଙ୍କୁ ଜବରଦସ୍ତି ଖୁଆଇ ଦିଆଗଲା ସେହି ଝିଟିପିଟି ତରକାରୀ!
କିନ୍ତୁ କଥା ଏତିକିରେ ସରିନଥିଲା। ପ୍ରତିଶୋଧର ନିଆଁରେ ଜଳୁଥିଲେ ଛାତ୍ରଛାତ୍ରୀ। ୟୁନିଭର୍ସିଟି ପାଲଟିଗଲା ରଣକ୍ଷେତ୍ର। କ୍ୟାମ୍ପସ ଭିତରେ ଥିବା ଗାଡି ମୋଟର ଭଙ୍ଗାରୁଜା ହେଲା। କିଛି ଗାଡ଼ିରେ ନିଆଁ ଲଗାଇଦିଆଗଲା। ରାତି ପାହି ସକାଳ ହେଲା, କିନ୍ତୁ ଆନ୍ଦୋଳନର ନିଆଁ ଲିଭିବାର ନାଁ ନେଉନଥିଲା। ଅବସ୍ଥା ଏମିତି ହେଲା ଯେ, କର୍ତ୍ତୃପକ୍ଷ ନିଜ ଜୀବନ ବଞ୍ଚାଇବାକୁ ପୋଲିସର ଶରଣ ପଶିଲେ।
ଶେଷରେ ସାଇରନ୍ ବଜାଇ ଏଣ୍ଟ୍ରି ମାରିଲା ଜଟଣୀ ପୋଲିସ୍। ପରିସ୍ଥିତିକୁ ଆୟତ୍ତ କରିବାକୁ ଯାଇ ପୋଲିସ୍ ଆରମ୍ଭ କଲା ଲାଠିଚାର୍ଜ। ଉଠିଲା ଲାଠି, ଘଉଡ଼ାଗଲେ ଛାତ୍ର। ଏବେ ପୁରା ସେଞ୍ଚୁରିଅନ୍ କ୍ୟାମ୍ପସରେ ପୋଲିସ ଛାଉଣୀ, ଆଉ ଚାରିଆଡେ କେବଳ ଖାକି ବର୍ଦ୍ଦିର ପହରା। ପୋଲିସର ବୁଝାସୁଝା ପରେ ପ୍ରଶାସନ ଏବେ ଆଲୋଚନା ପାଇଁ ରାଜି ହୋଇଛି ସତ,
କିନ୍ତୁ ଏବେ ବଡ଼ ପ୍ରଶ୍ନ ଉଠୁଛି। ଲକ୍ଷ ଲକ୍ଷ ଟଙ୍କା ଫିସ୍ ନେଉଥିବା ଏହି ବଡ଼ ବଡ଼ ଘରୋଇ ୟୁନିଭର୍ସିଟି, ପିଲାଙ୍କୁ ଖାଦ୍ୟ ନାଁରେ କ’ଣ ବିଷ ପରଷୁଛନ୍ତି? ଯଦି ପିଲାଙ୍କ ଜୀବନ ଯାଇଥାନ୍ତା, ଦାୟୀ କିଏ ହୋଇଥାନ୍ତା? ଏଭଳି ଖାମଖିଆଲି କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କେବେ? ନାଁ କେବଳ ପ୍ରତିଶ୍ରୁତି ଦେଇ ପୁଣି ଥରେ ଘଟଣାକୁ ଚାପି ଦିଆଯିବ?
