\n\n\n\n\n\n\n

ଗ୍ରାମସଭାରେ ତୁମୁଳ କାଣ୍ଡ ! ଅଧିକାରୀ-ଜନତା ମୁହାଁମୁହିଁ

ଗାନ୍ଧୀ ଜୟନ୍ତୀ ଅବସରରେ ପାଟଣାଗଡ଼ ଖପ୍ରାଖୋଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ଆୟୋଜିତ ଗ୍ରାମସଭାରେ ଦେଖିବାକୁ ମିଳିଛି ତୀବ୍ର ଅସନ୍ତୋଷ। ବିପର୍ଯ୍ୟସ୍ତ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ମୌଳିକ ସୁବିଧାକୁ ନେଇ ବିଭାଗୀୟ ଅଧିକାରୀ ଏବଂ ଜନତା ମୁହାଁମୁହିଁ ହୋଇଛନ୍ତି।

ମହାତ୍ମା ଗାନ୍ଧୀଙ୍କ ଜନ୍ମୋତ୍ସବ ଅବସରରେ ଖପ୍ରାଖୋଲ ବ୍ଲକର ଘୁନସର, ତେଲେନପାଲି ଓ ରେଙ୍ଗାଲି ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଛି। ତେବେ ସଚେତନତା ଓ ସୂଚନା ଅଭାବରୁ ସାଧାରଣ ଲୋକଙ୍କ ଉପସ୍ଥାନ ନୈରାଶ୍ୟଜନକ ଥିବାବେଳେ, କେବଳ ୱାର୍ଡ ମେମ୍ବର, ଶିକ୍ଷକ, ଅଙ୍ଗନବାଡ଼ି ଓ ମିଶନ ଶକ୍ତି କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଅନେକ ସ୍ଥାନରେ ଗ୍ରାମସଭା କେବଳ କାଗଜ କଲମରେ ସୀମିତ ଥିବା ଅଭିଯୋଗ ହୋଇଛି।

ରେଙ୍ଗାଲି ପଞ୍ଚାୟତରେ ଆବାସ ଯୋଜନା, ରାସ୍ତା, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ନେଇ ଜୋରଦାର ତର୍କବିତର୍କ ହୋଇଥିଲା। ବିଶେଷକରି ଶିକ୍ଷକଙ୍କ ଅନୁପସ୍ଥିତି ରୋକିବାକୁ ମୋବାଇଲରେ ଜିଓ-ଟ୍ୟାଗ୍ ଫଟୋ କିମ୍ବା ଭିଡିଓ କରି ପଠାଇବାକୁ ସିଆରସିସି (CRCC) ପରାମର୍ଶ ଦେଇଛନ୍ତି।

ସେହିପରି ଦାଦନ ପ୍ରବଣ ତେଲେନପାଲି ପଞ୍ଚାୟତରେ ନିଯୁକ୍ତି ପ୍ରସଙ୍ଗ ଜୋର ଧରିଥିଲା। ନୂଆଁଖାଇ ପୂର୍ବରୁ ସର୍ଦ୍ଦାରମାନେ ଲୋକଙ୍କୁ ବଇନା ଦେଇସାରିଛନ୍ତି। ଯୋଜନାର ଠିକ୍ ପରିଚାଳନା ନହେବା କାରଣରୁ ଲୋକେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି, ଯାହା ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ଯୋଜନା ବିଫଳ ହେଉଛି। ଅନ୍ୟପଟେ ଲୋକଙ୍କ ସିଧାସଳଖ ଭାଗିଦାରୀ ନଥିବାରୁ ବିକାଶମୂଳକ ଯୋଜନାର ଆକଳନ କରିବାରେ ସମସ୍ୟା ହେଉଥିବା ସରକାରୀ ବାବୁମାନେ ସ୍ୱୀକାର କରିଛନ୍ତି।