ଓଡ଼ିଶାବାସୀଙ୍କୁ ବଡ଼ ଧୋକା !
ବିଜେପି-ବିଜେଡ଼ିର ସିକ୍ରେଟ୍ ଡିଲ୍ !
ପଦାରେ ପଡ଼ିଲା ଗୁମର…
ଓଡ଼ିଶାରେ ଚାଲିଛି କି ମିଳିତ ସରକାର ?
କ୍ଷମତାକୁ ଆସିବା ପରେ ସବୁ ପ୍ରତିଶ୍ରୁତି ଭୁଲିଗଲେ ସରକାର !
ରାଜନୀତିର ଏକ ଅନ୍ଧାରି ଦିଗ ଆଜି ପଦାକୁ ଆସିଛି । ରାଜ୍ୟରେ ଏବେ ପ୍ରକୃତରେ ଶାସନ କିଏ କରୁଛି ? ବିରୋଧ କେବଳ କ’ଣ ଏକ ଲୋକ ଦେଖାଣିଆ ନାଟକ ? ଓଡ଼ିଶା ସୂଚନା ଅଧିକାର ଅଭିଯାନର ଏକ ରିପୋର୍ଟ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ୨୦୨୪ ନିର୍ବାଚନ ପୂର୍ବରୁ ଦୁର୍ନୀତିମୁକ୍ତ ଏବଂ ସ୍ଵଚ୍ଛ ଶାସନର ପ୍ରତିଶ୍ରୁତି ଦେଇଥିବା ସରକାର, କ୍ଷମତାକୁ ଆସିବା ପରେ କ’ଣ ସତରେ ପୂର୍ବ ଶାସକଙ୍କ ସହ ଗୋପନ ବୁଝାମଣା ବା ସିକ୍ରେଟ୍ ଡିଲ୍ କରିଛନ୍ତି କି?
ରିପୋର୍ଟ ଅନୁଯାୟୀ, ୨୪ ହଜାର କୋଟିର ମେଗା ପାନୀୟ ଜଳ ପ୍ରକଳ୍ପ ହେଉ କିମ୍ବା ୪୩ ଶହ କୋଟିର ୫ଟି ସ୍କୁଲ ଦୁର୍ନୀତି ଅଭିଯୋଗ, ସବୁଥିରେ ବର୍ତ୍ତମାନର ସରକାର ତଥ୍ୟ ପ୍ରମାଣ ଥାଇ ମଧ୍ୟ ତଦନ୍ତ ନକରି ନିରବଦ୍ରଷ୍ଟା ସାଜିଛନ୍ତି। କେବଳ ସେତିକି ନୁହେଁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ କାହିଁକି ଚିରକାଳ ଲୁଚାଇ ରଖାଯାଇଛି? ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପ୍ରତିଶ୍ରୁତି କୁଆଡେ ଗଲା? ସ୍ଵାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡର ତଦନ୍ତ ରିପୋର୍ଟ ହଜିବା ପ୍ରସଙ୍ଗ ଏବେ ଶୀତଳ ଭଣ୍ଡାରରେ କାହିଁକି ପଡିଛି? ଏ ସବୁ ପ୍ରଶ୍ନ ଏବେ ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଛି।
ଆଉ ଗୋଟିଏ ବଡ଼ ପ୍ରଶ୍ନ… ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ସରକାର ଆଜି ଅଣ-ଓଡ଼ିଆ ଠିକାଦାର ଏବଂ ବେପାରୀଙ୍କୁ କାହିଁକି ସୁରକ୍ଷା ଦେଉଛନ୍ତି? ରାଜ୍ୟର ଖଣିଜ ସମ୍ପଦ ଯେମିତି କି ବାଲି, ପଥର, ଲୁହା ପଥର ଏବଂ ବକ୍ସାଇଟ୍ ଲୁଟ୍ ଆହୁରି ଜୋରଦାର ହୋଇଛି ବୋଲି ଅଭିଯୋଗ ହେଉଛି। ଆଉ ଏହି ବାଲିମାଫିଆଙ୍କୁ କୁଆଡେ ନିଜେ କ୍ଷମତାସୀନ ଦଳର ବିଧାୟକମାନେ ସୁରକ୍ଷା ଦେଉଛନ୍ତି ବୋଲି ଏହି ରିପୋର୍ଟରେ ସାଂଘାତିକ ଅଭିଯୋଗ ହୋଇଛି। ଦୁର୍ନୀତିଗ୍ରସ୍ତ ପ୍ରଶାସକଙ୍କୁ ତଦନ୍ତ ପରିସରଭୁକ୍ତ ନକରି କେନ୍ଦ୍ରୀୟ ଡେପୁଟେସନରେ ପଠାଇ ସୁରକ୍ଷା ଦିଆଯାଉଥିବା ପ୍ରସଙ୍ଗ ଏବେ ସମସ୍ତଙ୍କୁ ଚକିତ କରିଛି।
ଲୋକଙ୍କ ସ୍ୱର କୁହାଯାଉଥିବା ସୂଚନା ଅଧିକାର ଆଇନ ଏବଂ ଲୋକାୟୁକ୍ତ ଅନୁଷ୍ଠାନକୁ ଜାଣିଶୁଣି ଅଚଳ କରିଦିଆଯାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଗୋଟିଏ ପଟେ ୩ କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀ ଟଙ୍କିକିଆ ଚାଉଳ ଉପରେ ନିର୍ଭର କରୁଥିବା ବେଳେ, ପଖାଳ ଦିବସ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜକୋଷର ଅର୍ଥ ବରବାଦ କରାଯାଉଛି।
ତେବେ କ’ଣ ଓଡ଼ିଶାରେ ଦୁଇ ରାଜନୈତିକ ଦଳ ମିଶି ଏକ ମିଳିତ ସରକାର ଚଲାଉଛନ୍ତି? ଓଡ଼ିଶାବାସୀଙ୍କୁ ଠକିବା ପାଇଁ ଏହି ଆରୋପ ପ୍ରତ୍ୟାରୋପ କେବଳ ଏକ ନାଟକ କି? ତେବେ, ସତ୍ୟାସତ୍ୟର ହିସାବ ମାଗିବା ପାଇଁ ଏବେ ରାଜରାସ୍ତାକୁ ଓଲ୍ହାଇଛି ଓଡିଶା ସୂଚନା ଅଧିକାର ଅଭିଯାନ। ୫ ଦିନ ଧରି ଦୁର୍ନୀତି ବିରୋଧୀ ସପ୍ତାହ ପାଳନ କରିବ ଓସା | ତେବେ ଦେଖିବାକୁ ବାକି ରହିଲା ଶାସକ ଓ ବିରୋଧିର ଚୋରା ପୀରତି ସାମ୍ନାକୁ ଆସୁଛି ନା ପୁଣି ଆଖି ଠାର ମାରି ଖସିଯିବ |
