୮ ବର୍ଷ ପରେ ଖୋଲିଲା କ୍ୟାମ୍ପସ ତାଲା!
କେନ୍ଦ୍ରର ଚାପ ନା ଦୁର୍ନୀତି ଲୁଚାଇବାକୁ ଢାଲ?
‘ଗଣତନ୍ତ୍ର ହତ୍ୟା’ ଅଭିଯୋଗରେ ବିଜେଡିକୁ ଟାର୍ଗେଟ୍!
ଛାତ୍ର ନିର୍ବାଚନ ପଛରେ କେନ୍ଦ୍ରର କେଉଁ ବଡ଼ ରାଜନୀତି?
ଦୀର୍ଘ ୮ ବର୍ଷର ଲମ୍ବା ଅପେକ୍ଷା… ଆଉ ଶେଷରେ ଖୋଲିଲା କ୍ୟାମ୍ପସର ତାଲା। ଆସନ୍ତା ଅକ୍ଟୋବର ୧୫ରେ ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଏହି ବଡ଼ ଘୋଷଣା ପରେ, ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖେଳିଯାଇଛି ଖୁସିର ଲହରୀ। କ୍ୟାମ୍ପସରେ ପୁଣି ଶୁଭିବ ନେତାଙ୍କ ଭାଷଣ, ପୁଣି ଉଡିବ ଅବିର।
ଗୋଟିଏ ପଟେ ନିର୍ବାଚନ ଘୋଷଣା, ଆଉ ଅନ୍ୟପଟେ ଆରମ୍ଭ ହୋଇଯାଇଛି ଜୋରଦାର ରାଜନୀତି। ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଐତିହାସିକ କହିବା ସହ, ପୂର୍ବତନ ବିଜେଡି ସରକାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ଅନିଲ କହିଛନ୍ତି, ଗଣତନ୍ତ୍ରରେ ବିଶ୍ୱାସ କରୁନଥିବା ନବୀନ ବାବୁ ୫-ଟି ଭଳି ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଜରିଆରେ ଯୁବ ନେତୃତ୍ୱକୁ ହତ୍ୟା କରିଥିଲେ। ଯେଉଁ ବିଜେଡି ନେତା ଆଜି ପାଟି କରୁଛନ୍ତି, ଏତେ ବର୍ଷ ନିର୍ବାଚନ ବନ୍ଦ ଥିବା ବେଳେ ସେମାନଙ୍କ ପାଟିରେ କାହିଁକି ତାଲା ପଡିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
କିନ୍ତୁ ଏଠି ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି… ହଠାତ୍ କାହିଁକି ଏତେ ତରବରିଆ ନିଷ୍ପତ୍ତି? ଛାତ୍ର ସଂସଦ ନିର୍ବାଚନ ପଛରେ ଲୁଚି ରହିଛି କି କିଛି ବଡ଼ ରାଜନୈତିକ ସମୀକରଣ?
ରାଜନୈତିକ କରିଡରରେ ଏବେ ଯେଉଁ ଖୁସରୁଫୁସୁରୁ ଚର୍ଚ୍ଚା ହେଉଛି ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଏହି ନିଷ୍ପତ୍ତି ପଛରେ ରାଜ୍ୟ ସରକାରଙ୍କ ସ୍ୱେଚ୍ଛାକୃତ ଇଚ୍ଛା ନୁହେଁ, ବରଂ ରହିଛି କେନ୍ଦ୍ର ସରକାରଙ୍କ ବଡ଼ ଚାପ! ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି, ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ ଓ ବରିଷ୍ଠ ବିଧାୟକ ଆଦୌ ଚାହୁଁନଥିଲେ ଯେ ଏବେ କ୍ୟାମ୍ପସ ନିର୍ବାଚନ କରାଯାଉ। କିନ୍ତୁ କେନ୍ଦ୍ର ସରକାରଙ୍କ ଜିଦ୍ ଆଗରେ ବାଧ୍ୟ ହୋଇ ମୁଣ୍ଡ ନୁଆଁଇଛନ୍ତି ରାଜ୍ୟ ସରକାର।
ଏହାର କାରଣ ହେଉଛି… ବର୍ତ୍ତମାନ ରାଜ୍ୟରେ ଯେଉଁଭଳି ଭାବେ ସରକାରଙ୍କ ବିରୋଧରେ ଯୁବ ଓ ଛାତ୍ର ସମାଜର ଆକ୍ରୋଶ ବଢୁଛି, ଯୁବକମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି, ତାହା କେନ୍ଦ୍ରୀୟ ନେତୃତ୍ୱଙ୍କ ନିଦ ହଜାଇ ଦେଇଛି। ତେଣୁ ଏହି ଛାତ୍ର ଅସନ୍ତୋଷକୁ ପ୍ରଶମିତ କରିବା ଏବଂ ଯୁବ ପିଢ଼ିଙ୍କ ବଡ଼ ଭୋଟ୍ ବ୍ୟାଙ୍କ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ନିର୍ବାଚନକୁ ଏକ ମାଷ୍ଟରଷ୍ଟ୍ରୋକ୍ ଭାବେ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ, ବିଭିନ୍ନ ବିଭାଗରେ ସରକାରଙ୍କ ନାଁରେ ଉଠୁଥିବା ଦୁର୍ନୀତି ଏବଂ ବିଫଳତାର ଅଭିଯୋଗରୁ ସାଧାରଣ ଲୋକଙ୍କ ଧ୍ୟାନ ହଟାଇବା ପାଇଁ, ଛାତ୍ର ନିର୍ବାଚନକୁ ଏକ ଢାଲ କରାଯାଇଛି।
କ୍ୟାମ୍ପସ ପଲିଟିକ୍ସ ଆଳରେ ଯୁବକଙ୍କୁ ଭୁଆଁ ବୁଲାଇବା ଏବଂ ନିଜର ଦୁର୍ନୀତି ଲୁଚାଇବା ପାଇଁ ଏହା କେନ୍ଦ୍ରର ବ୍ଲୁ-ପ୍ରିଣ୍ଟ୍ ନୁହେଁ ତ? ନିର୍ବାଚନର ଏହି ରାଜନୈତିକ ଗୋଟିଚାଳନା କେତେ ସଫଳ ହେଉଛି, ତାହା ଦେଖିବାକୁ ବାକି ରହିଲା।
