\n\n\n\n\n\n\n

ହସ୍ପିଟାଲ ବିଦ୍ୟୁତ୍ ଅଡିଟ୍‌ରେ ସାମ୍ନାକୁ ଆସିଲା ଇନ୍ଧନ ଅନିୟମିତତା ତଥ୍ୟ

ବିଦ୍ୟୁତ୍ କାଟ୍ ନାଁରେ କାଗଜପତ୍ର!
ଲକ୍ଷାଧିକ ଟଙ୍କାର ତେଲ ହିସାବ କାହିଁ?
ମାସିକ ଲକ୍ଷାଧିକ ଟଙ୍କାର ତେଲ!
ଲଗ୍‌ବୁକ୍ ଯାଞ୍ଚରୁ ଫସିଲେ କର୍ମଚାରୀ!
ସତ ଧରାଇଲା ବିଜୁଳି ରିପୋର୍ଟ!

କଟକ: କଟକର ପ୍ରମୁଖ ଡାକ୍ତରଖାନାରେ ଜରୁରୀକାଳୀନ ବିଦ୍ୟୁତ୍ ବ୍ୟବସ୍ଥା ପାଇଁ ଥିବା ଡିଜେଲ ଜେନେରେଟର ସେଟ୍‌ର ତେଲ ଖର୍ଚ୍ଚକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। କାଗଜପତ୍ର ଅନୁଯାୟୀ ଲମ୍ବା ସମୟ ବିଦ୍ୟୁତ୍ ସେବା ବନ୍ଦ ରହିଥିବା ଦର୍ଶାଇ ପ୍ରତି ମାସରେ ପ୍ରାୟ ୨ ଲକ୍ଷ ଟଙ୍କା ର ଡିଜେଲ ବ୍ୟବହାର ହେଉଥିବା ରେକର୍ଡ କରାଯାଇଥିଲା। ଏ ବାବଦରେ ମାସକୁ ପ୍ରାୟ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଦର୍ଶାଯାଉଥିବା ଜଣାପଡ଼ିଛି। ଡାକ୍ତରଖାନା ପରିସରରେ ୩୬ ଟି ବଡ଼ ଜେନେରେଟର କାର୍ଯ୍ୟକ୍ଷମ ଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି। ନିୟମ ଅନୁଯାୟୀ ବିଦ୍ୟୁତ୍ କଟିଲେ ତୁରନ୍ତ ସେବା ଯୋଗାଇବା ପାଇଁ ହସ୍ପିଟାଲ ପକ୍ଷରୁ ଡିଜେଲ ଯୋଗାଇ ଦିଆଯାଇଥାଏ। ମାତ୍ର ଅନେକ ଦିନ ଧରି ଏତେ ପରିମାଣରେ ତେଲ ଖର୍ଚ୍ଚ ହେବା ଉପରେ କର୍ତ୍ତୃପକ୍ଷଙ୍କ ସନ୍ଦେହ ଉପୁଜିଥିଲା।ସନ୍ଦେହ ଦୂର କରିବା ପାଇଁ ହସ୍ପିଟାଲ ପ୍ରଶାସନ ପକ୍ଷରୁ ବିଦ୍ୟୁତ୍ ଯୋଗାଣ କମ୍ପାନି ଟିପିସିଓଡିଏଲ୍‌କୁ ପତ୍ର ଲେଖି ଲାଇନ୍ କଟିବାର ସଠିକ୍ ସମୟ ମଗାଯାଇଥିଲା। ବିଜୁଳି କମ୍ପାନିର ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ରିପୋର୍ଟ ଅନୁଯାୟୀ ବିଦ୍ୟୁତ୍ ସେବା ବହୁତ କମ୍ ସମୟ ପାଇଁ ବନ୍ଦ ରହିଥିବା ବେଳେ ଡାକ୍ତରଖାନା ଲଗ୍‌ବୁକ୍‌‌ରେ ଘଣ୍ଟା ଘଣ୍ଟା ଧରି ଲାଇନ୍ କଟିଥିବା ଦର୍ଶାଯାଇଥିଲା।ତଥ୍ୟ ଯାଞ୍ଚ ପରେ ଜଣାପଡ଼ିଛି ଯେ, ଯେଉଁଠି ମାସକୁ ମାତ୍ର ୧୫୦ ଲିଟର ତେଲ ଖର୍ଚ୍ଚ ହେବା କଥା, ସେଠାରେ ୨ ହଜାର ଲିଟର ଖର୍ଚ୍ଚ ଦେଖାଯାଇ ନିୟମିତ ଭାବେ ଅନିୟମିତତା ଚାଲିଥିଲା। ଏହି ଘଟଣାର ପର୍ଦ୍ଦାଫାସ ହେବା ପରେ କର୍ତ୍ତୃପକ୍ଷ ଏବେ ସମ୍ପୃକ୍ତ କର୍ମଚାରୀ ଓ ଏଜେନ୍ସି ବିରୋଧରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି। ସରକାରୀ ସମ୍ପତ୍ତି ଏବଂ ସେବା ବ୍ୟବସ୍ଥାରେ ଏପରି ଅନିୟମିତତାକୁ ରୋକିବା ପାଇଁ କଡ଼ା ନିରୀକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉଛି। ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗରେ ସ୍ୱଚ୍ଛତା ଆଣିବା ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।