ଫସିଗଲା କୋଟି କୋଟିର ପ୍ରକଳ୍ପ
ଅଟକିଛି ରାଜପଥ ନିର୍ମାଣ କାମ।
ଅଦାଲତରେ ବିଚାରାଧୀନ ଅନେକ ମାମଲା।
କେବେ ସରିବ ରାସ୍ତା ସମ୍ପ୍ରସାରଣ?
ଭୁବନେଶ୍ବର : ରାଜ୍ୟରେ ଉନ୍ନତ ସଡ଼କ ଭିତ୍ତିଭୂମି ଓ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବଡ଼ ଧରଣର ବାଧା ଉପୁଜିଛି। ଜମି ଅଧିଗ୍ରହଣ ଏବଂ ନ୍ୟାୟାଳୟ ମାମଲାରେ ଫସି ରହିଛି ଅନେକ ବୃହତ୍ ପ୍ରକଳ୍ପ। ଫଳରେ ବିଭିନ୍ନ ଜିଲ୍ଲାରେ ୪୦ରୁ ଅଧିକ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ଭିତରେ ଶେଷ ହୋଇପାରୁ ନାହିଁ। ତଥ୍ୟ ଅନୁଯାୟୀ, ରାୟରଙ୍ଗପୁର ବାଇପାସ୍ ପାଇଁ ଆବଶ୍ୟକ ଜମି ମାମଲା ମଧ୍ୟରୁ ଅନେକ କୋର୍ଟରେ ବିଚାରାଧୀନ ରହିଛି। ଠିକ୍ ସେହିପରି ଝାରସୁଗୁଡ଼ା ବାଇପାସ୍, କୋରାପୁଟ ଜୟପୁର ବାଇପାସ୍ ଏବଂ ବଲାଙ୍ଗୀର ଟିଟିଲାଗଡ଼ ବାଇପାସ୍ ପରି ବଡ଼ ବଡ଼ ପ୍ରକଳ୍ପରେ ମଧ୍ୟ ପ୍ରଶାସନିକ ତଥା ଆଇନଗତ ସମସ୍ୟା ଦେଖାଦେଇଛି। ଅନେକ ସ୍ଥାନରେ କ୍ଷତିପୂରଣ ଟଙ୍କା ପ୍ରଦାନ ଏବଂ ଜମି ହସ୍ତାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରୁ ନାହିଁ। ସ୍ଥାନୀୟ ବାସିନ୍ଦାଙ୍କ ଦାବି ଏବଂ ବିବାଦ କାରଣରୁ ଠିକାଦାରମାନଙ୍କୁ ବିବାଦମୁକ୍ତ ଜମି ପ୍ରଦାନ କରାଯାଇ ପାରୁ ନ ଥିବାରୁ ନିର୍ମାଣ କାମ ମନ୍ଥର ହୋଇପଡ଼ିଛି।ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବକେୟା କ୍ଷତିପୂରଣ ଅର୍ଥ ତୁରନ୍ତ ପ୍ରଦାନ କରିବା ଏବଂ ବିବାଦୀୟ ଜମିର ଅର୍ଥ କୋର୍ଟରେ ଡିପୋଜିଟ୍ କରି କାର୍ଯ୍ୟ ଆଗେଇ ନେବାକୁ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ବିକାଶ ପାଇଁ ସଡ଼କ ଯୋଗାଯୋଗ ଏକାନ୍ତ ଅପରିହାର୍ଯ୍ୟ। ପ୍ରଶାସନିକ ସ୍ତରରେ ସମନ୍ୱୟ ରକ୍ଷା କରି ଯଥାଶୀଘ୍ର ଜମି ବିବାଦର ସମାଧାନ କରାଗଲେ ହିଁ ଲୋକଙ୍କୁ ଉନ୍ନତ ରାଜପଥର ସୁବିଧା ଶୀଘ୍ର ମିଳିପାରିବ।
