ନେଟଫ୍ଲିକ୍ସ ନାଁରେ ବଡ଼ ଧରଣର ଲୁଟ୍।
ଖାଲି ହେଉଛି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ।
ଗୋଟିଏ କ୍ଲିକ୍ ନେବ ସବୁ ଟଙ୍କା।
ଫିସିଂ ମେଲରୁ ବଞ୍ଚିବାକୁ ପୋଲିସର ଚେତାବନୀ।
ଆଜିକାଲି ଘରେ ଘରେ ନେଟଫ୍ଲିକ୍ସର କ୍ରେଜ୍। କିନ୍ତୁ ଯଦି ଆପଣ ବି ନେଟଫ୍ଲିକ୍ସ ବ୍ୟବହାର କରୁଛନ୍ତି, ତେବେ ଟିକେ ସାବଧାନ ହୋଇଯାନ୍ତୁ। କାରଣ ସାଇବର ଠକ ମାନେ ଏବେ ଆପଣଙ୍କୁ ଟାର୍ଗେଟ୍ କରିଛନ୍ତି। ନେଟଫ୍ଲିକ୍ସ ନାଁରେ ଏବେ ଏକ ନୂଆ ଫିସିଂ ସ୍କାମ୍ ଚାଲିଛି, ଯାହା ଆପଣଙ୍କ ବ୍ୟାଙ୍କ ଖାତାକୁ ସମ୍ପୂର୍ଣ୍ଣ ଖାଲି କରିଦେଇପାରେ।ଏହି ସାଇବର ଅପରାଧୀମାନେ ପ୍ରଥମେ ଗ୍ରାହକଙ୍କୁ ଏକ ନକଲି ଇମେଲ୍ ପଠାଉଛନ୍ତି। ଏଥିରେ ଲେଖା ରହୁଛି ଯେ ଆପଣଙ୍କ ନେଟଫ୍ଲିକ୍ସ ସବସ୍କ୍ରିପସନ୍ ବନ୍ଦ ହୋଇଯିବ ଏବଂ ଏହାକୁ ଚାଲୁ ରଖିବା ପାଇଁ ୨୪ ଘଣ୍ଟା ଭିତରେ ଆକାଉଣ୍ଟ ଅପଡେଟ୍ କରିବାକୁ ପଡିବ। ଏଭଳି ମେସେଜ୍ ଦେଖି ଲୋକେ ଭୟଭୀତ ହୋଇ ଇମେଲରେ ଥିବା ଲିଙ୍କ୍ ଉପରେ କ୍ଲିକ୍ କରୁଛନ୍ତି। ଆଉ ସେହି ଗୋଟିଏ କ୍ଲିକ୍ ବନିଯାଉଛି ସବୁଠୁ ବଡ଼ ଭୁଲ।ଲିଙ୍କ୍ କ୍ଲିକ୍ କରିବା ମାତ୍ରେ ଏହା ଆପଣଙ୍କୁ ଏକ ନକଲି ୱେବସାଇଟକୁ ନେଇଯାଉଛି, ଯାହା ଦେଖିବାକୁ ଅବିକଳ ନେଟଫ୍ଲିକ୍ସ ଭଳି ଲାଗିବ। ସେଠାରେ ଏକ କ୍ୟାପଚା କୋଡ୍ ସହ ଆପଣଙ୍କ ଲଗଇନ୍ ତଥ୍ୟ ଏବଂ ଡେବିଟ୍ ବା କ୍ରେଡିଟ୍ କାର୍ଡ ନମ୍ବର ମଗାଯାଉଛି। ଆପଣ ନିଜର ବ୍ୟାଙ୍କ ବିବରଣୀ ସେଠାରେ ଦେବା ମାତ୍ରେ ହିଁ,ସାଇବର ଲୁଟେରାମାନେ ତୁରନ୍ତ ଆକାଉଣ୍ଟରୁ ଟଙ୍କା ଗାଏବ କରିଦେଉଛନ୍ତି।ନିକଟରେ ଦେବଗଡ଼ରେ ଏଭଳି ଏକ ଠକେଇ ଘଟଣା ସାମ୍ନାକୁ ଆସିଛି। ଏହା ପରେ ଓଡ଼ିଶା ପୋଲିସ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସାଇବର ସେଲ୍ ଅନୁରୋଧ କରିଛି, କୌଣସି ଅଚିହ୍ନା ଇମେଲ୍ ଲିଙ୍କରେ ଭୁଲରେ ବି କ୍ଲିକ୍ କରନ୍ତୁ ନାହିଁ। ମନେ ରଖନ୍ତୁ, ଅସଲି ନେଟଫ୍ଲିକ୍ସ ଜାଗାରେ ଏହି ଠକମାନେ axxisgeo.com ନାମକ ଏକ ଫେକ୍ ୱେବସାଇଟ୍ ବ୍ୟବହାର କରୁଛନ୍ତି। ତେଣୁ କିଛି ବି ଡିଟେଲ୍ସ ଦେବା ପୂର୍ବରୁ ସବୁବେଳେ URL ଯାଞ୍ଚ କରନ୍ତୁ।
