\n\n\n\n\n\n\n

ଆଦର୍ଶ ଗ୍ରାମ ଯୋଜନା: ବିକାଶ ପାଇଁ ଆସିଥିବା ଅନୁଦାନ ଅର୍ଥ ଖର୍ଚ୍ଚ ନହୋଇ ଫେରିଗଲା

ଆଦର୍ଶ ଗ୍ରାମରେ ବଡ଼ ଅବହେଳା।
ଖର୍ଚ୍ଚ ନହୋଇ ଫେରିଗଲା ଅର୍ଥ!
ଅବ୍ୟବସ୍ଥାରେ ପଡ଼ିରହିଛି ପୂରା ଗାଁ।
ବିକାଶ ନାଁରେ କେବଳ ପ୍ରହସନ?
ଗ୍ରାମବାସୀଙ୍କ ମୌଳିକ ସୁବିଧା କାହିଁ?

ଖଣ୍ଡପଡ଼ା ବ୍ଲକ ବନମାଳିପୁର ପଞ୍ଚାୟତ ଅଧୀନ ବାହାଡ଼ା ଗ୍ରାମ। ଦୀର୍ଘ ବର୍ଷ ତଳେ ଏହି ଗାଁକୁ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ସାମିଲ କରାଯାଇଥିଲା। ଗ୍ରାମର ସର୍ବାଙ୍ଗୀନ ବିକାଶ ତଥା ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ପ୍ରଶାସନ ଜରିଆରେ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲା।କିନ୍ତୁ ପରିତାପର ବିଷୟ, ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ଅର୍ଥ ଉପଯୁକ୍ତ ଭାବେ ବିନିଯୋଗ ହୋଇପାରିଲା ନାହିଁ। ଫଳରେ ଉନ୍ନୟନ ପାଣ୍ଠି ସିଧାସଳଖ ଫେରିଯାଇଥିବା ଜଣାପଡ଼ିଛି। ଗ୍ରାମସଭା ଓ ପଲ୍ଲୀସଭା ମାଧ୍ୟମରେ ପ୍ରକଳ୍ପ ଅନୁମୋଦନ ପାଇଥିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ଆଜି ବି ରାସ୍ତାଘାଟ ଓ ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛି। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଉଛି। ପ୍ରଶାସନିକ ଉଦାସୀନତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ବାରମ୍ବାର ବ୍ଲକ ଉନ୍ନୟନ ଅଧିକାରୀ, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ମଧ୍ୟ ସ୍ଥିତି ଯଥାପୂର୍ବ ଲାଗିରହିଛି। ଏବେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ବିକାଶ ପାଇଁ ଆସିଥିବା ଅର୍ଥ ଖର୍ଚ୍ଚ ନହୋଇ ଫେରିଯିବା ନିଶ୍ଚିତ ଭାବେ ଏକ ବଡ଼ ପ୍ରଶାସନିକ ବିଫଳତା। ଫେରିଯାଇଥିବା ଏହି ଅନୁଦାନ ଅର୍ଥକୁ ପୁନର୍ବାର ମଞ୍ଜୁର କରାଇ ଗ୍ରାମର ମୌଳିକ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ଏବେ ଉଚ୍ଚ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।