ଗୁହାଳରେ ମଣିଷ ଓ ପଶୁ
କର୍ମଚାରୀ ବିହୀନ ମେଷ ପ୍ରଜନନ କେନ୍ଦ୍ର
୧୩୮ ଏକର ଜମି ଜଙ୍ଗଲ
କେବଳ ନାମକୁ ମାତ୍ର ପ୍ରଜନନ କେନ୍ଦ୍ର
ବଲାଙ୍ଗୀର ଜିଲ୍ଲା ଦେଓଗାଁରେ ଥିବା ମେଷ ପ୍ରଜନନ କେନ୍ଦ୍ର ଏବେ ଅବହେଳାର ଶିକାର ହୋଇଛି। ୧୩୮ ଏକର ଜମିରେ ଥିବା ଏହି ୫୦ ବର୍ଷର ପୁରୁଣା ପ୍ରତିଷ୍ଠାନ ଏବେ ଜଙ୍ଗଲରେ ପରିଣତ ହୋଇଛି। କର୍ମଚାରୀ ଅଭାବ ଓ ରକ୍ଷଣାବେକ୍ଷଣ ନଥିବାରୁ ଏହାର ଅବସ୍ଥା ବହୁତ ଖରାପ ହୋଇଯାଇଛି।୧୯୭୩ ମସିହାରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଉନ୍ନତ ମାନର ମେଷ ପାଳନ କରି ସ୍ଥାନୀୟ ଚାଷୀମାନଙ୍କୁ ଦେବା। ଯାହାଦ୍ୱାରା ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିବ। କିନ୍ତୁ ଆଜି ଏଠାରେ ଆଶା କରାଯାଉଥିବା ଉନ୍ନତି ଦେଖିବାକୁ ମିଳୁନାହିଁ। ଏହି ଫାର୍ମ ପାଇଁ ଅନେକ ପଦବୀ ମଞ୍ଜୁର ହୋଇଥିଲା, କିନ୍ତୁ ଏବେ ସବୁ ଖାଲି ପଡ଼ିଛି। କେବଳ ଜଣେ ଭାରପ୍ରାପ୍ତ ମ୍ୟାନେଜର ଏବଂ ଜଣେ ରାତ୍ର ଜଗୁଆଳିଙ୍କୁ ନେଇ ଫାର୍ମ ଚାଲିଛି। କ୍ୱାର୍ଟର ଗୁଡ଼ିକ ଭାଙ୍ଗି ଯାଇଥିବାରୁ ଜଗୁଆଳି ଜଣକ ନିଜ ପରିବାର ସହ ଗୁହାଳରେ ପଶୁଙ୍କ ସାଥିରେ ରହିବାକୁ ବାଧ୍ୟ ହେଉଛନ୍ତି।ଏତେ ବଡ଼ ପ୍ରକଳ୍ପ ଆଜି ରକ୍ଷଣାବେକ୍ଷଣ ଅଭାବରୁ ନିଜର ଅସ୍ତିତ୍ୱ ହରାଉଛି। ଯଦି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବେ ଏବଂ ଆବଶ୍ୟକ କର୍ମଚାରୀ ନିଯୁକ୍ତି କରିବେ, ତେବେ ଏହି ପ୍ରଜନନ କେନ୍ଦ୍ର ପୁଣି ଥରେ ତା’ର ପୂର୍ବ ଗୌରବ ଫେରିପାଇବ ଏବଂ ସ୍ଥାନୀୟ ଚାଷୀମାନେ ବହୁଳ ଭାବରେ ଉପକୃତ ହୋଇପାରିବେ।
