କ୍ଲବ ଘରେ ପ୍ରାଣୀ ଚିକିତ୍ସାଳୟ!
ଦୀର୍ଘ ଦିନରୁ ନାହିଁ ଗୃହ!
ଅସୁବିଧାରେ ଗ୍ରାମାଞ୍ଚଳର ପଶୁପାଳକ!
ନାହିଁ ନିଜସ୍ୱ ସ୍ଥାୟୀ ଗୃହ!
ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନ ରୟତି ଢୋଲମରା ଗ୍ରାମରେ ଥିବା ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ରର ନିଜସ୍ୱ କୋଠା ନାହିଁ। ଦୀର୍ଘ ବର୍ଷ ଧରି ଏହି କେନ୍ଦ୍ରଟି ଏକ କ୍ଲବ ଘର ଭିତରେ ଚାଲିଆସୁଛି, ଯେଉଁଥିପାଇଁ ସେବା ଯୋଗାଣରେ ବଡ଼ ସମସ୍ୟା ଦେଖାଦେଇଛି। ସ୍ଥାନ ଅଭାବରୁ ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମ ତଥା ଆଖପାଖ ଅଞ୍ଚଳର ଲୋକେ ଗୃହପାଳିତ ପ୍ରାଣୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଏହି କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ଜରୁରୀ ପରିସ୍ଥିତିରେ ଠିକ୍ ସମୟରେ ପରାମର୍ଶ କିମ୍ବା ଚିକିତ୍ସା ନପାଇ ପଶୁପାଳକମାନେ ନିରାଶ ହେଉଛନ୍ତି। ଅନେକ ସମୟରେ ଲୋକଙ୍କୁ ପ୍ରାୟ ୫ କିଲୋମିଟର ଦୂର ଗଣିଆ ବ୍ଲକ କେନ୍ଦ୍ରକୁ ଯିବାକୁ ପଡ଼ୁଛି। ଏଠାରେ ଏକ ସ୍ଥାୟୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ମାଣ ନେଇ ପୂର୍ବରୁ ଅନୁଦାନ ମଞ୍ଜୁର ହୋଇଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରିନାହିଁ। ସରପଞ୍ଚ ଏବଂ ଗ୍ରାମବାସୀ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଗ୍ରାମାଞ୍ଚଳର ଜୀବିକା ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ତୁରନ୍ତ ଏକ ନୂତନ ସ୍ଥାୟୀ ଗୃହ ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ଦୃଢ଼ ଦାବି ଜଣାଇଛନ୍ତି।ପ୍ରାଣୀ ସମ୍ପଦ ଗ୍ରାମୀଣ ଅର୍ଥନୀତିର ଏକ ପ୍ରମୁଖ ମେରୁଦଣ୍ଡ। ତେଣୁ ରୟତି ଢୋଲମରା ପଞ୍ଚାୟତରେ ପ୍ରାଣୀ ଚିକିତ୍ସା କେନ୍ଦ୍ର ପାଇଁ ତୁରନ୍ତ ଏକ ନୂତନ ନିଜସ୍ୱ ଭବନ ନିର୍ମାଣ କରି ପଶୁପାଳକଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବା ଜରୁରୀ ହୋଇପଡ଼ିଛି।
