ଛାତରୁ ଖସୁଛି ସିମେଣ୍ଟ କଂକ୍ରିଟ୍।
କାନ୍ଥରେ ଜମୁଛି ବର୍ଷା ପାଣି।
ବିପଦରେ କର୍ମଚାରୀ ଓ ଲୋକେ।
ସ୍ୱାସ୍ଥ୍ୟକେନ୍ଦ୍ରରେ ଆତଙ୍କର ପରିବେଶ
ସାକ୍ଷୀଗୋପାଳ : ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ଅସୁରକ୍ଷିତ ପରିବେଶ ଦେଖିବାକୁ ମିଳିଛି। ଦୀର୍ଘ ଦିନର ପୁରୁଣା କୋଠାର ଛାତରୁ ପ୍ରତିଦିନ ସିମେଣ୍ଟ କଂକ୍ରିଟ୍ ଖସୁଥିବାରୁ ଏଠାରେ କାର୍ଯ୍ୟରତ କର୍ମଚାରୀ ଏବଂ ସେବା ପାଇଁ ଆସୁଥିବା ଲୋକମାନେ ନିରନ୍ତର ଭୟ ମଧ୍ୟରେ ରହୁଛନ୍ତି। ଯେକୌଣସି ମୁହୂର୍ତ୍ତରେ ଅଘଟଣ ଘଟିବାର ଆଶଙ୍କା ଘନେଇଛି।ପୁରୁଣା କୋଠାରେ ଥିବା ପ୍ରସୂତି ୱାର୍ଡ, ପୁରୁଷ ୱାର୍ଡ, ଫାର୍ମାସି ଏବଂ ସ୍ଥାପନ ଶାଖାର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ବର୍ଷା ସମୟରେ ଛାତ ଓ କାନ୍ଥରୁ ପାଣି ଗଳିବା ଯୋଗୁଁ ବିଦ୍ୟୁତ୍ ତାର ଓ ଯନ୍ତ୍ରପାତି ମଧ୍ୟ ବିପଦସଙ୍କୁଳ ଅବସ୍ଥାକୁ ଚାଲିଆସୁଛି। ଏହା ସହିତ ପାଣି ପାଇପ୍ ସଂଯୋଗ ଦେଇ ଭିତରକୁ ପାଣି ପ୍ରବେଶ କରୁଥିବା ଅଭିଯୋଗ ହୋଇଛି। ୮୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଏହି କୋଠାର ସ୍ଥିତି ଯାଞ୍ଚ ନକରି ତା’ ଉପରେ ପରବର୍ତ୍ତୀ ନିର୍ମାଣ କାର୍ଯ୍ୟ କରାଯାଇଥିବାରୁ ଭାର ବଢ଼ିଯାଇଛି। କୋଠାଟି ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିଥିବାରୁ ଏହାକୁ ଭାଙ୍ଗି ନୂତନ କୋଠା ନିର୍ମାଣ କରିବା ପାଇଁ ବାରମ୍ବାର ଦାବି ହୋଇଆସୁଛି। ଏଠାରେ ଦୈନିକ ବହୁ ସଂଖ୍ୟକ ଲୋକ ସ୍ୱାସ୍ଥ୍ୟସେବା ପାଇଁ ଆସୁଥିବା ବେଳେ ବର୍ତ୍ତମାନର ଅବସ୍ଥା ଯୋଗୁଁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ଦେଖାଯାଇଛି। ଏଭଳି ସ୍ଥିତିରେ କାର୍ଯ୍ୟରତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ପୂର୍ବରୁ ବାରମ୍ବାର ଲିଖିତ ଭାବେ ଜଣାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ନହେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ପୂର୍ବରୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସୁରକ୍ଷିତ ବ୍ୟବସ୍ଥା ଗ୍ରହଣ କରିବାକୁ ଜନସାଧାରଣ ଦାବି କରିଛନ୍ତି।ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଉଦ୍ଦିଷ୍ଟ ଏହି ପୁରୁଣା ଭବନର ସୁରକ୍ଷା ବର୍ତ୍ତମାନ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ଜନସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶୀଘ୍ର ନୂତନ ନିର୍ମାଣ କିମ୍ବା ଉଚିତ ସମାଧାନ ପଦକ୍ଷେପ ଗ୍ରହଣ କରାଯିବା ନିହାତି ଆବଶ୍ୟକ।
