କେନ୍ଦ୍ରାପଡ଼ାରେ ସୂଚନା ଅଧିକାର ଅଭିଯାନ ପକ୍ଷରୁ ବିଶାଳ ସଚେତନତା ପଦଯାତ୍ରା। ପୂର୍ବ ସରକାରଙ୍କ ଅମଳରେ ହୋଇଥିବା ବିଭିନ୍ନ ଦୁର୍ନୀତିର ତଦନ୍ତ ଦାବି କରି ରାସ୍ତାକୁ ଓହ୍ଲାଇଲେ ଶତାଧିକ ଆରଟିଆଇ କର୍ମୀ।
ଅପାରଗ ସୂଚନା କମିଶନରଙ୍କ ବହିଷ୍କାର ଏବଂ ତୁରନ୍ତ ଲୋକାୟୁକ୍ତ ଗଠନ ଦାବିରେ ଗର୍ଜିଛି ସୂଚନା ଅଧିକାର ଅଭିଯାନ, କେନ୍ଦ୍ରାପଡ଼ା ଶାଖା। ଜିଲ୍ଲା ଆବାହକ ପ୍ରତାପ ମହାନ୍ତିଙ୍କ ନେତୃତ୍ୱରେ ଆଜି ଶତାଧିକ କର୍ମୀ ଏକାଠି ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ କୋର୍ଟ ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା କରିଥିଲେ। ପୂର୍ବ ନବୀନ ସରକାରଙ୍କ ସମୟରେ ହୋଇଥିବା ବ୍ୟାପକ ଦୁର୍ନୀତି, ଭି.କେ ପାଣ୍ଡିଆନଙ୍କ ବେଆଇନ ହେଲିକପ୍ଟର ଗସ୍ତ ଏବଂ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛି ସଂଘ।
ଏହି ପଦଯାତ୍ରା ମାଧ୍ୟମରେ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ତଥ୍ୟମୂଳକ ଲିଫଲେଟ୍ ବଣ୍ଟନ କରାଯାଇଥିଲା। ରାଜ୍ୟ ତଥା ଜିଲ୍ଲାରେ ବଢୁଥିବା ଦୁର୍ନୀତି ବିରୋଧରେ ସାଧାରଣ ଜନତା ଏକଜୁଟ ହୋଇ ପ୍ରତିବାଦ କରିବାକୁ ନିବେଦନ କରିଛନ୍ତି ସମାଜସେବୀ ଓ ଆରଟିଆଇ କର୍ମୀ।
