ମୁଣ୍ଡରେ ମାଟି ବୋହିଲେ, ଝାଳ ବୁହାଇ କାମ କଲେ। ହେଲେ ୮ ମାସ ହେବ ମିଳୁନି ପ୍ରାପ୍ୟ। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ପାଖଡ଼ ପଞ୍ଚାୟତରୁ ଆସିଛି ଏଭଳି ଏକ ସାଙ୍ଘାତିକ ଅଭିଯୋଗ। ପାଖଡ଼ ଗ୍ରାମର ମୁଖ୍ୟ ଶ୍ମଶାନକୁ ରାସ୍ତା ଖଣ୍ଡିଏ ନଥିବା ବେଳେ, ଚଳିତ ବର୍ଷ ଫେବୃଆରୀ ମାସରେ ମନରେଗା ଯୋଜନାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଏଥିରେ ନିୟୋଜିତ ହୋଇଥିଲେ ସ୍ଥାନୀୟ ମହିଳା ଓ ପୁରୁଷ ଶ୍ରମିକ।
କାମ ସରିବାର ୮ ମାସ ବିତିବାକୁ ବସିଲାଣି, ହେଲେ ଏହି ଗରିବ ଖଟିଖିଆଙ୍କୁ ଆଜି ଯାଏଁ ସେମାନଙ୍କ ମଜୁରୀ ମିଳିପାରିଲା ନାହିଁ। ପଞ୍ଚାୟତରେ ଅନ୍ୟ ସମାନ କାର୍ଯ୍ୟର ବିଲ୍ ମିଳିସାରିଥିବା ବେଳେ, କେବଳ ଏହି କାମରେ ଅଭିଯୋଗ ଥିବା ଦର୍ଶାଇ ସେମାନଙ୍କୁ ଅଯଥା ହଇରାଣ କରାଯାଉଥିବା ଲୋକେ କ୍ଷୋଭର ସହ କହିଛନ୍ତି।
ମାଟି ସହ ସଂଘର୍ଷ କରି ନିଜ ଝାଳବୁହା ପ୍ରାପ୍ୟ ପାଇବା ପାଇଁ ମାସ ମାସ ହେବ ଚାହିଁ ବସିଛନ୍ତି ଏହି ଶ୍ରମିକ। ତେବେ ସେମାନଙ୍କ ହକ୍ କୁ କିଏ ଓ କାହିଁକି ଛଡାଇ ନେଉଛି, ତାହା ଏବେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଗରଦପୁର ବ୍ଲକ ପ୍ରଶାସନ କେବେ କି ପଦକ୍ଷେପ ନେଉଛି, ତାହା ହିଁ ଦେଖିବାର ବାକି ରହିଲା।
