ୟୁପିରେ ଇଣ୍ଡିଆ ମେଣ୍ଟରେ ମହାଭୂକମ୍ପ: ସିଟ୍ ବଣ୍ଟା ନା କ୍ଷମତାର ଛକାପଞ୍ଝା?
ଅଖିଳେଶଙ୍କ ଡର ନା କଂଗ୍ରେସର ଦମ୍ଭ: କାହା ଖାତାକୁ ଯିବ ବିଜେପିର ଅଭେଦ୍ୟ ଦୁର୍ଗ?
ହାରିବା ସିଟ୍ରେ କିଏ ପଡ଼ିବ ବଳି? ୟୁପି ରାଜନୀତିରେ ଆସନ ବୁଝାମଣାର ହାଇ-ଭୋଲଟେଜ୍ ଡ୍ରାମା
ଜିତିବା ସିଟ୍କୁ ନେଇ ଦାବି, ହାରିବା ସିଟ୍କୁ ନେଇ କନ୍ଦଳ..କେମିତି ତିଷ୍ଠିବ ମେଣ୍ଟ?
ତିନି ଦଶନ୍ଧିର ଅଭେଦ୍ୟ ଗଡ଼: ଜେୱାର୍ରୁ ମେରଠ ପର୍ଯ୍ୟନ୍ତ କାହା କାନ୍ଧରେ ପଡ଼ିବ ପରାଜୟର ବୋଝ?
ଉତ୍ତର ପ୍ରଦେଶ ମହାସଂଗ୍ରାମ ପୂର୍ବରୁ ଇଣ୍ଡିଆ ମେଣ୍ଟରେ ବଡ଼ ଧରଣର ରାଜନୈତିକ ଭୂକମ୍ପ| ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ଆରମ୍ଭ ହୋଇଯାଇଛି ତୀବ୍ର ଛକାପଞ୍ଝା|କାଗଜପତ୍ରରେ ମେଣ୍ଟର ଦମ୍ଭ ଥିଲେ ମଧ୍ୟ ଭିତରେ ଭିତରେ ଚାଲିଛି କ୍ଷମତାର ଛକାପଞ୍ଝା ଓ ପରସ୍ପରକୁ ଚେକ୍ମେଟ୍ କରିବାର ରଣନୀତି|
କଂଗ୍ରେସ ଅଧିକ ଜିତିବା ସମ୍ଭାବନା ଥିବା ସିଟ୍ ଦାବି କରି ବାର୍ଗେନିଂ ପାୱାର ବଢ଼ାଉଥିବା ବେଳେ ଅଖିଳେଶ ଯାଦବଙ୍କ ସପା ୨୦୧୭ର ସେହି ପିତା ସତ୍ୟ ମନେ ପକାଇ ଦେଉଛି। ସେତେବେଳେ କଂଗ୍ରେସକୁ ୧୦୦ରୁ ଅଧିକ ଆସନ ଦିଆଯାଇଥିଲା, ହେଲେ ଫଳାଫଳ ଥିଲା ମାତ୍ର ୭ଟି ଆସନ| ତେଣୁ ସପା ଏଥର ସହଜରେ ଜମି ଛାଡ଼ିବା ମୁଡ୍ରେ ନାହିଁ। କିନ୍ତୁ ଏହି ରାଜନୈତିକ ଲଢ଼େଇରେ ସବୁଠାରୁ ବଡ଼ ପେଞ୍ଚ ଲାଗିଛି ସେହି ସିଟ୍ଗୁଡ଼ିକୁ ନେଇ, ଯେଉଁଠି ଦୁଇ ଦଳର ଜିତିବା ସମ୍ଭାବନା ଶୂନ| ଯେଉଁ ଆସନକୁ କେହି ନେବାକୁ ଚାହୁଁନାହାନ୍ତି, ସେଇଠି ହିଁ ଲାଗିଛି ପ୍ରକୃତ ଟଣାଓଟରା|
ମେରଠ କ୍ୟାଣ୍ଟ୍, ଯେଉଁଠି ୧୯୮୯ରୁ ବିଜେପିର ଏକଚାଟିଆ ରାଜୁତି ଚାଲିଛି; ଗାଜିଆବାଦର ସାହିବାବାଦ, ଯେଉଁଠି ଯୋଗୀ ସରକାରଙ୍କ ମନ୍ତ୍ରୀ ସୁନୀଲ ଶର୍ମାଙ୍କ ବିଶାଳ ଭୋଟ ବ୍ୟାଙ୍କ ଆଗରେ ବିରୋଧୀ ନିଷ୍ପ୍ରଭ..ଏବଂ ନୋଏଡ଼ା, ଯାହା ପ୍ରତିଷ୍ଠା ଦିନରୁ ପଙ୍କଜ ସିଂହ ଓ ମହେଶ ଶର୍ମାଙ୍କ ଭଳି ହେଭିୱେଟ୍ଙ୍କ ସହ ବିଜେପିର ଅଭେଦ୍ୟ ଦୁର୍ଗ ପାଲଟିଛି| ଗୌତମ ବୁଦ୍ଧ ନଗରର ଜେୱାର ଆସନରେ ବି ଗତ ତିନି ଦଶନ୍ଧି ଧରି ସପା କିମ୍ବା କଂଗ୍ରେସ ବିଜୟର ମୁହଁ ଦେଖିନାହାନ୍ତି|
ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଭେଦ୍ୟ ଗଡ଼ ଗୋରଖପୁର ସଦର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ଅଧୀନସ୍ଥ ବାରାଣସୀ କ୍ୟାଣ୍ଟ୍ରେ ବିଜେପି ଦଶନ୍ଧି ଦଶନ୍ଧି ଧରି ଅପରାଜେୟ। ତା’ ଉପରେ ପୁଣି ପ୍ରତାପଗଡ଼ର କୁଣ୍ଡା ଆସନ, ଯେଉଁଠି ୧୯୯୩ରୁ ବାହୁବଳୀ ରାଜା ଭୈୟାଙ୍କ ନିରଙ୍କୁଶ ସାମ୍ରାଜ୍ୟ ଚାଲିଛି|
ଏହି କଠିନ ସିଟ୍ଗୁଡ଼ିକ ଏବେ ମେଣ୍ଟ ପାଇଁ ଗଳଗ୍ରହ ପାଲଟିଛି। କିଏ ବଳି ପଡ଼ିବ ଆଉ କାହା କାନ୍ଧରେ ପରାଜୟର ବୋଝ ଲଦି ଦିଆଯିବ, ତାକୁ ନେଇ ଉତ୍ତର ପ୍ରଦେଶ ରାଜନୀତିରେ ଚରମ ସସପେନ୍ସ ଜାରି ରହିଛି|
