\n\n\n\n\n\n\n

୩୦ ମିନିଟରେ ବଦଳିଲା ସ୍କ୍ରିପ୍ଟ! ପ୍ରଥମେ ‘ହଁ’, ପରେ ‘ନା’

ବିଜେଡ଼ିର ମହା ୟୁ ଟର୍ଣ୍ଣ !

କାହା ଚାପରେ ପ୍ରମିଳା ?

ପ୍ରଥମେ କରିଥିଲେ ସମର୍ଥନ ଏବେ କରୁଛନ୍ତି ମନା !

ଦଳ ଭିତରେ ନାହିଁ କି ତାଳମେଳ ?

ନବୀନ ନିବାସରେ ଏ କେମିତି ରାଜନୀତି ?

‘ସମଦୂରତା’ ବାହାନା ନା ଦ୍ୱନ୍ଦ୍ୱରେ ବିଜେଡି ?

ରାଜନୀତିରେ ଗୋଟିଏ ଦିନ ବହୁତ ଲମ୍ବା ସମୟ ବୋଲି କୁହାଯାଏ… କିନ୍ତୁ ବିଜେଡି ଶିବିରରେ ମାତ୍ର ୩୦ ମିନିଟ୍ ଭିତରେ ବଦଳିଗଲା ପୂରା ସମୀକରଣ ! ନବୀନ ନିବାସରୁ ବାହାରିଲେ… ବନ୍ଦକୁ ସମର୍ଥନ କଲେ… ଆଉ ତା’ପରେ ହଠାତ୍ ମାରିଲେ ୟୁ-ଟର୍ଣ୍ଣ ! ଆଜି ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିଛି ସବୁଠୁ ବଡ଼ ଦ୍ୱନ୍ଦ୍ୱ… ସବୁଠୁ ବଡ଼ କନଫ୍ୟୁଜନ୍…

“ଘଟଣାଟି ଥିଲା କିଛି ଏମିତି.. ପ୍ରଥମେ ଗଣମାଧ୍ୟମ ସାମ୍ନାକୁ ଆସିଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଛାତି ଫୁଲାଇ ସିଧା ସିଧା କହିଲେ- ‘ଆସନ୍ତାକାଲି INDIA ବ୍ଲକ୍‌ର ଓଡ଼ିଶା ବନ୍ଦକୁ ଆମେ ନିଶ୍ଚିତ ଭାବେ ସମର୍ଥନ କରିବୁ, କାରଣ ଆମେ ଇଣ୍ଡି ମେଣ୍ଟରେ ଅଛୁ।’ ବାସ୍… ଏତିକି କଥାରେ ରାଜ୍ୟ ରାଜନୀତିରେ ବଡ଼ ହଲଚଲ ସୃଷ୍ଟି ହେଲା । ଲାଗିଲା ଯେମିତି ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛି ।

କିନ୍ତୁ, ଅଧ ଘଣ୍ଟା ନ ପୁରୁଣୁ, ହଠାତ୍ ସ୍କ୍ରିପ୍ଟ ବଦଳିଗଲା ! ପୁଣି ସାମ୍ନାକୁ ଆସିଲେ ପ୍ରମିଳା ଆଉ କହିଲେ- ‘ଆମେ କାଲି ବନ୍ଦକୁ ସମର୍ଥନ କରିବୁ ନାହିଁ । ଯିଏ ବନ୍ଦ ଡାକରା ଦେଇଛି, ସେ କଣ ଆମକୁ ପଚାରିଥିଲେ ?’ ଆଉ ତା’ସହ ଯୋଡିଦେଲେ ସେହି ପୁରୁଣା ଘୋଷା ଡାଏଲଗ୍- ‘ବିଜେଡି କୌଣସି ମେଣ୍ଟରେ ନାହିଁ, ଆମେ ସମଦୂରତା ନୀତି ଆପଣାଉଛୁ । ଆମେ କେବଳ SIR ଓ ଜ୍ଞାନେଶ୍ କୁମାରଙ୍କ ପ୍ରସଙ୍ଗରେ ହିଁ ସମର୍ଥନ କରିଛୁ ।’

ଏବେ ପ୍ରଶ୍ନ ଉଠୁଛି… ମାତ୍ର ୩୦ ମିନିଟ୍ ରେ ଏମିତି କଣ ଘଟିଲା ଯେ ବିଜେଡିକୁ ଏତେ ଶୀଘ୍ର ନିଜର ବୟାନ ବଦଳାଇବାକୁ ପଡିଲା ? କାହିଁକି ଏହି ୟୁ-ଟର୍ଣ୍ଣ ? ଗତକାଲି ଯେତେବେଳେ ନିର୍ବାଚନ ମୁଖ୍ୟଙ୍କ ଇସ୍ତଫା ଦାବିରେ ବିଜେଡି ନିଜ ପାରମ୍ପରିକ ବିରୋଧୀଙ୍କ ସହ ହାତ ମିଶାଇ ରାଜରାସ୍ତାରେ ଆନ୍ଦୋଳନ କଲା, ସେତେବେଳେ ସମଦୂରତା ନୀତି କୁଆଡେ ଯାଇଥିଲା ? ଆଜି ଯେତେବେଳେ ସମାନ ପ୍ରସଙ୍ଗରେ ବନ୍ଦ ଡାକରା ଦିଆଗଲା, ପ୍ରଥମେ ‘ହଁ’ ମାରି ହଠାତ୍ ‘ନା’ କରିବା ପଛର ରହସ୍ୟ କଣ ?

କଣ ଦଳ ଭିତରେ ନେତାଙ୍କ ମଧ୍ୟରେ ଏବେ କୌଣସି ତାଳମେଳ ନାହିଁ ? ନା ନବୀନ ନିବାସ ଭିତରେ ଗୋଟିଏ ନିଷ୍ପତ୍ତି ନିଆଯାଉଛି ଆଉ ବାହାରକୁ ଆସିଲେ ଆଉ ଗୋଟିଏ କଥା ବାହାରୁଛି ? ସବୁଠୁ ବଡ଼ ପ୍ରଶ୍ନ- କାହାର ଅଦୃଶ୍ୟ ଚାପରେ ବିଜେଡି ଏଭଳି ନିଷ୍ପତ୍ତି ନେଉଛି ? ଗୋଟିଏ ପଟେ ବିରୋଧୀ ଆସନରେ ବସି କଡ଼ା ବିରୋଧୀର ଚେହେରା ଦେଖାଇବାର ପ୍ରୟାସ, ଆଉ ଅନ୍ୟପଟେ କାଳେ କେଉଁଠି ଦିଲ୍ଲୀର ସମୀକରଣ ବିଗିଡିଯିବ, ସେଥିପାଇଁ ଭୟ !

ବିଜେଡିର ଏହି ‘ହଁ’ ଆଉ ‘ନା’ ର ଲୁଚକାଳି ଖେଳ, ରାଜ୍ୟ ରାଜନୀତିରେ ଏବେ ବଡ଼ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଛି । ଦଳର ସ୍ଥିତି ଏବେ ପୂରା ଦୋଛକିରେ… ନା ସମ୍ପୂର୍ଣ୍ଣ ଏପଟେ… ନା ସମ୍ପୂର୍ଣ୍ଣ ସେପଟେ ! ଆଗକୁ ଏହି ‘ସମଦୂରତା’ ବାହାନା କେଉଁ ମୋଡ଼ ନେଉଛି, ତାହା ଦେଖିବା ବାକି ରହିଲା ।