୪ ଦଫା ଦାବି ନେଇ ଆଜି କଳାହାଣ୍ଡି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦର ବ୍ୟାପକ ପ୍ରଭାବ ଏବେ ଗୋଲାମୁଣ୍ଡାରେ ଦେଖିବାକୁ ମିଳିଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।
ବନ୍ଦକୁ ସଫଳ କରିବା ପାଇଁ ସକାଳୁ ସକାଳୁ ରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ କର୍ମୀ। ବିଭିନ୍ନ ଛକରେ ବ୍ୟାରିକେଡିଂ କରିବା ସହ ଜୋରଦାର ପିକେଟିଂ କରାଯାଉଛି। ଯାତାୟାତ ଠପ୍ ରହିଥିବା ବେଳେ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସରକାରୀ-ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ଆନ୍ଦୋଳନକାରୀମାନେ ଆହ୍ୱାନ ଦେଇଛନ୍ତି।
ତେବେ ଏହି ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି। ସାଧାରଣ ଲୋକଙ୍କ ସୁବିଧା ପାଇଁ ହସ୍ପିଟାଲ, ଆମ୍ବୁଲାନ୍ସ, ଔଷଧ ଦୋକାନ ଏବଂ ଅଗ୍ନିଶମ ସେବାକୁ ବନ୍ଦମୁକ୍ତ ରଖାଯାଇଛି। ଏହାସହ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ଯାତାୟାତରେ ମଧ୍ୟ କୌଣସି ବାଧାସୃଷ୍ଟି କରାଯାଉନାହିଁ।
