ଆଖିରେ ଅନ୍ଧାର, ହାତରେ ବଇଁଶି!
ସ୍ତ୍ରୀଙ୍କ ହାତ ଧରି… ଅନ୍ଧାର ବାଟରେ ଜୀବନ!
ବଇଁଶି ସୁରରେ ମେଣ୍ଟୁଛି ପେଟର ଭୋକ!
ଭୁଲିଗଲେ ପୁଅଝିଅ, ସାଥୀ ସାଜିଲା ଏଇ ବଇଁଶି!
ଆଖିରେ ଦୁନିଆ ଦେଖିବାର କ୍ଷମତା ନାହିଁ, ତଥାପି ବଞ୍ଚିବାର ରାହା ଖୋଜିନେଇଛି ମଣିଷ। ଅନ୍ଧାରିଆ ଜୀବନରେ ଏବେ ଏକମାତ୍ର ଆଲୋକ ଓ ସାହାରା ପାଲଟିଛି ଏହି ବଂଶୀର ସୁର। ଏ ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଧାମନପୁର ଗ୍ରାମର ଦୃଷ୍ଟିହୀନ ଦେବରାଜ ତାଣ୍ଡିଙ୍କର।
ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ନିଜର ଘର ନାହିଁ କି ପେଟ ପୋଷିବାକୁ ଚାଷ ଜମି ନାହିଁ। ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି, ପୁଅଝିଅ ଥାଇ ମଧ୍ୟ ଜୀବନର ସଂଘର୍ଷରେ ଏମାନେ ଆଜି ଏକାକୀ ଓ ବେସାହାରା। ବୟସର ଅପରାହ୍ଣରେ ଦୃଷ୍ଟିହୀନ ସ୍ୱାମୀ କେବଳ ନିଜ ସ୍ତ୍ରୀଙ୍କ ହାତ ଧରି ଅନ୍ଧାର ବାଟ ଚାଲୁଛନ୍ତି। ପେଟର ଭୋକ ମେଣ୍ଟାଇବା ପାଇଁ ଗାଁ ଗାଁ ବୁଲି ବଂଶୀ ବଜାଉଛନ୍ତି ଦେବରାଜ। ଆଉ ସେଇଥିରୁ ଯାହା ଦୁଇ ପଇସା ମିଳେ, ସେଥିରେ ଦୁଃଖକଷ୍ଟରେ ବିତୁଛି ଦୁଇ ପ୍ରାଣୀଙ୍କ ସଂସାର।
ଦିନକୁ ଦିନ ଶାରୀରିକ ଦୁର୍ବଳତା ଓ ଆର୍ଥିକ ଅନାଟନ ବଢ଼ୁଥିବା ବେଳେ, ପ୍ରଶାସନର ସହାୟତାକୁ ଚାତକ ପରି ଚାହିଁ ବସିଛନ୍ତି ଏହି ଅସହାୟ ଦମ୍ପତି। ସରକାରୀ ଯୋଜନାର ଲାଭ କ’ଣ ଏମାନଙ୍କ ପାଖରେ ପହଞ୍ଚି ପାରିବ ନାହିଁ? ଏହା ହିଁ ଏବେ ସବୁଠୁ ବଡ଼ ପ୍ରଶ୍ନ।
