ବାତିଲ୍ ନାମାଙ୍କନକୁ ନେଇ ତାତିଲା ଚୌଦ୍ୱାର କଲେଜ!
କମ୍ ଉପସ୍ଥାନ ଥିଲେ ପାସ୍, ଅଧିକ ଥିଲେ ଫେଲ୍?
ଚୌଦ୍ୱାର କଲେଜ ଛାତ୍ର ସଂସଦ ନିର୍ବାଚନରେ ବଡ଼ ବିବାଦ! ଦୀର୍ଘ ୮ ବର୍ଷ ପରେ ନିର୍ବାଚନ ହେଉଥିବା ବେଳେ, ଏବେ ପାତରଅନ୍ତର ନୀତିକୁ ନେଇ ତେଜିଛି ଅସନ୍ତୋଷ।
ମହାବୀର ଗ୍ରୁପ୍ର ଦୁଇ ପ୍ରମୁଖ ପ୍ରାର୍ଥୀ—ଅଧ୍ୟକ୍ଷ ପଦ ପାଇଁ ରାଜଶ୍ରୀ ନାୟକ ଏବଂ ସାଧାରଣ ସମ୍ପାଦକ ପଦ ପାଇଁ ବିଭାସ ସାହୁଙ୍କ ନାମାଙ୍କନ ଖାରଜ ହୋଇଛି। କାରଣ ଦର୍ଶାଯାଇଛି—ଉପସ୍ଥାନ କମ୍!
କିନ୍ତୁ ଏଠି ଉଠିଛି ସବୁଠୁ ସାଂଘାତିକ ପ୍ରଶ୍ନ! ମହାବୀର ଗ୍ରୁପ୍ର ଅଭିଯୋଗ ଅନୁଯାୟୀ, ୬୪ ପ୍ରତିଶତ ଉପସ୍ଥାନ ଥିବା ଅନ୍ୟ ପ୍ରାର୍ଥୀଙ୍କ ନାମାଙ୍କନ କେମିତି ଗ୍ରହଣ କରାଗଲା? ଅଥଚ ୭୫ ପ୍ରତିଶତରୁ ଅଧିକ ଉପସ୍ଥାନ ଥିବା ରାଜଶ୍ରୀ ଓ ବିଭାସଙ୍କ ଫର୍ମ କାହିଁକି ନାକଚ ହେଲା? ସମସ୍ତଙ୍କ ପାଇଁ ସମାନ ନିୟମ କାହିଁକି ନାହିଁ?
ନାମାଙ୍କନ ଖାରଜର ଲିଖିତ କାରଣ ଦେବା ସହ ଉପସ୍ଥାନ ରେଜିଷ୍ଟରର ନିରପେକ୍ଷ ତଦନ୍ତ ଦାବି କରିଛି ମହାବୀର ଗ୍ରୁପ୍। ତୁରନ୍ତ ତ୍ରୁଟି ସୁଧାରି ପୁନର୍ବିଚାର ନକଲେ, କ୍ୟାମ୍ପସରେ ଆନ୍ଦୋଳନ ତୀବ୍ର ହେବ। ସତରେ କ’ଣ ନିର୍ବାଚନ ପ୍ରକ୍ରିୟାରେ ଚାଲିଛି ଛକାପଞ୍ଝା? ତାହା ଉପରେ ଏବେ ସମସ୍ତଙ୍କ ନଜର।
