\n\n\n\n\n\n\n

ଦିଲ୍ଲୀରେ SIR ମହାଲଢ଼େଇ! ଜନ୍ତରମନ୍ତରରେ ଧାରଣା ବନ୍ଦ!

ଦିଲ୍ଲୀରେ କେଉଁ ମୋଡ଼ ନେବ SIR ତାତି

ଗୋଟିଏ ପଟେ ବିରୋଧୀ ଓ ସିଜେପୀ

ଅନ୍ୟପଟେ ବିଜେପି ର ମହିଳା ମୋର୍ଚ୍ଚା

ଯନ୍ତରମନ୍ତର ରେ ଆଉ ହେବନି ଧାରଣା !

ଦିଲ୍ଲୀରେ ଭୋଟ୍ ଚୋରି ଅଭିଯୋଗକୁ ନେଇ ବିରୋଧୀଙ୍କ ରଣହୁଙ୍କାର । ଅନ୍ୟପଟେ କଂଗ୍ରେସ ବିରୋଧରେ ଗର୍ଜୁଛି ବିଜେପି ମହିଳା ମୋର୍ଚ୍ଚା । ରାଜଧାନୀ ଦିଲ୍ଲୀରେ ଏବେ ରାଜନୈତିକ ଲଢ଼େଇ ତୀବ୍ର ହୋଇଥିବା ବେଳେ, ଦୁଇ ପକ୍ଷର ଆନ୍ଦୋଳନ ଜାତୀୟ ରାଜନୀତିକୁ ସରଗରମ କରିଛି ।

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟର ନେତାମାନେ ନିର୍ବାଚନ କମିଶନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ସହ ଭୋଟ୍ ଚୋରି ଅଭିଯୋଗର ତଦନ୍ତ, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍‌ଆଇଆର୍‌ ପ୍ରକ୍ରିୟା ବନ୍ଦ ଏବଂ ଇଭିଏମ୍‌ ବ୍ୟବସ୍ଥାର ସମୀକ୍ଷା ଦାବି କରୁଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ସ୍ମାରକପତ୍ର ଦେବାକୁ ମଧ୍ୟ ଉଦ୍ୟମ ହୋଇଛି । ତେବେ, କୋର୍ଟରେ ବିଚାରାଧୀନ ପ୍ରସଙ୍ଗ ଦର୍ଶାଇ ଆବେଦନକୁ ଗ୍ରହଣ କରାଯାଇନଥିବା ସୂଚନା ମିଳିଛି ।

ଏପଟେ ରାହୁଲ ଗାନ୍ଧୀଙ୍କ ପ୍ରେସ୍‌ମିଟ୍‌ ପରେ ପୁଣି ଗର୍ଜିଛି ବିଜେପି ମହିଳା ମୋର୍ଚ୍ଚା । ମହିଳା ପୋଲିସ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର ଅଭିଯୋଗରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଘେରିଛି ବିଜେପି । ଏହାସହ କଂଗ୍ରେସ ସାଂସଦ ଆଙ୍ଗୋମଚା ବିମୋଲ ଆକୋଇଜାମ ଓ ଜେଏନ୍‌ୟୁର ଜଣେ ପ୍ରଫେସରଙ୍କ ବିରୋଧରେ ଉଠିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ମଧ୍ୟ ପ୍ରତିବାଦ ଜାରି ରହିଛି । ତେବେ ଏହି ଅଭିଯୋଗଗୁଡ଼ିକର ତଦନ୍ତ ଓ ଆଇନଗତ ପ୍ରକ୍ରିୟା ହିଁ ସତ୍ୟ ସ୍ପଷ୍ଟ କରିବ ।

ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ ବନ୍ଦ କରିବା ଏବଂ ଅନ୍ୟ ସ୍ଥାନକୁ ଧାରଣାସ୍ଥଳ ଭାବେ ନିର୍ଦ୍ଧାରଣ କରିବା ନେଇ ପଦକ୍ଷେପ ଚର୍ଚ୍ଚାକୁ ଆସିଛି। ଗୃହ ମନ୍ତ୍ରାଳୟ ଦ୍ୱାରା ଗଠିତ ଏକ କମିଟିର ସୁପାରିସ୍ ପରେ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ତେବେ ପ୍ରଶ୍ନ ଉଠୁଛି, ଯଦି ଜନ୍ତରମନ୍ତରରେ ଆନ୍ଦୋଳନ କରିବାର ସୁଯୋଗ ବନ୍ଦ ହୁଏ, ତେବେ ନିଜ ଦାବି ଜଣାଇବେ କେଉଁଠି ଆନ୍ଦୋଳନକାରୀ? ଏଥିପାଇଁ ଦିଲ୍ଲୀର ରାମଲୀଳା ମଇଦାନ, ବୁରାରୀ ଏବଂ ସିବିଡି ଗ୍ରାଉଣ୍ଡ ଭଳି ସ୍ଥାନକୁ ବିକଳ୍ପ ଧାରଣାସ୍ଥଳ ଭାବେ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଏହି ପରିବର୍ତ୍ତନ କେବଳ ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ଏକ ପଦକ୍ଷେପ, ନା ଏହା ଆନ୍ଦୋଳନକାରୀଙ୍କ ପ୍ରତିବାଦର ସ୍ୱାଧୀନତାକୁ ପ୍ରଭାବିତ କରିବ? ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିପାରେ।

କାରଣ ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ଯେତିକି ଗୁରୁତ୍ୱପୂର୍ଣ୍ଣ, ସେତିକି ଗୁରୁତ୍ୱପୂର୍ଣ୍ଣ ହେଉଛି ସାଧାରଣ ଲୋକଙ୍କ ସୁବିଧା ଏବଂ ଆଇନଶୃଙ୍ଖଳା ବଜାୟ ରଖିବା। ତେବେ ଜନ୍ତରମନ୍ତରରେ ବିକ୍ଷୋଭ ଉପରେ କଟକଣା ନେଇ ଚର୍ଚ୍ଚା ଏବଂ ବିକଳ୍ପ ଧାରଣାସ୍ଥଳର ପ୍ରସ୍ତାବ ମଧ୍ୟରେ ଶେଷ ନିଷ୍ପତ୍ତି କ’ଣ ହେବ? ଆନ୍ଦୋଳନକାରୀଙ୍କ ପାଇଁ ଏହା କେତେ ବଡ଼ ପରିବର୍ତ୍ତନ ଆଣିବ?ଗୋଟିଏ ପଟେ ଭୋଟ୍‌ର ସ୍ୱଚ୍ଛତାକୁ ନେଇ ବିରୋଧୀଙ୍କ ପ୍ରଶ୍ନ, ଅନ୍ୟପଟେ ମହିଳାଙ୍କ ସମ୍ମାନକୁ ନେଇ ବିଜେପିର ପ୍ରତିବାଦ । ଏବେ ପ୍ରଶ୍ନ, ଦିଲ୍ଲୀର ଏହି ରାଜନୈତିକ ଲଢ଼େଇ କେଉଁ ମୋଡ଼ ନେବ? ଜନତା ଅପେକ୍ଷା କରିଛନ୍ତି ଏହାର ଉତ୍ତରକୁ ।