ସିଜେପି ଆନ୍ଦୋଳନରେ ଇମ୍ରାନ ଖାନ୍ କାହିଁକି?
ଓସିଆଇ କାର୍ଡ ନେଇ ବଡ଼ ବିବାଦ!
ବିରୋଧ ପ୍ରଦର୍ଶନରେ ଅଭିନେତାଙ୍କ ଏଣ୍ଟ୍ରି!
ଇମ୍ରାନଙ୍କ ପାଇଁ ରଦ୍ଦ ହେବ ଓସିଆଇ?
ଗିରଫରୁ ମୁକ୍ତି, ଏବେ ଆଇନର ଛାନଭିନ!
ଗୋଟିଏ ରାଜନୈତିକ ଆନ୍ଦୋଳନ… ଗୋଟିଏ ଅଭିନେତାଙ୍କ ଏଣ୍ଟ୍ରି… ଆଉ ତା’ପରେ ଆରମ୍ଭ ହୋଇଗଲା ନୂଆ ବିବାଦ! ଚର୍ଚ୍ଚା ରେ ବଲିଉଡ୍ ଅଭିନେତା ଇମ୍ରାନ ଖାନ୍। କକ୍ରୋଚ୍ ଜନତା ପାର୍ଟି, ଅର୍ଥାତ୍ ସିଜେପିର ଆନ୍ଦୋଳନରେ ସାମିଲ ହେବା ପରେ ଏବେ ଚର୍ଚ୍ଚାର କେନ୍ଦ୍ରରେ ଇମ୍ରାନ।
କିନ୍ତୁ ପ୍ରଶ୍ନ ହେଉଛି, ଇମ୍ରାନ ଖାନ୍ ଏହି ଆନ୍ଦୋଳନରେ କାହିଁକି ସାମିଲ ହେଲେ? ତାଙ୍କର ଏହି ପଦକ୍ଷେପକୁ ନେଇ କାହିଁକି ଉଠିଲା ନାଗରିକତାର ପ୍ରଶ୍ନ? ଆଉ ଜଣେ ଓସିଆଇ କାର୍ଡଧାରୀ ଭାରତରେ ରାଜନୈତିକ ବିରୋଧ ପ୍ରଦର୍ଶନରେ ଭାଗ ନେଇପାରିବେ କି?
ଆସନ୍ତୁ ଜାଣିବା, ପୂରା ଘଟଣାର ପଛର କାହାଣୀ।
ଅକ୍ଟୋବର ୧୦ ତାରିଖ। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ଡକାଯାଇଥିଲା ବିରୋଧ ପ୍ରଦର୍ଶନ। ତେବେ ଏହି ପ୍ରଦର୍ଶନକୁ ପୋଲିସ ଅନୁମତି ଦେଇନଥିବା ସତ୍ତ୍ୱେ ଏଠାରେ ପହଞ୍ଚିଥିଲେ ଅଭିନେତା ଇମ୍ରାନ ଖାନ୍ ଏବଂ ତାଙ୍କ ବନ୍ଧୁ ତଥା ଅଭିନେତ୍ରୀ ଲେଖା ୱାଶିଂଟନ୍।
ଏହାପରେ ଉଭୟଙ୍କୁ ମୁମ୍ବାଇ ପୋଲିସ ହେପାଜତକୁ ନେଇଥିଲା। ତେବେ ଶନିବାର ଦିନ ହିଁ ଇମ୍ରାନଙ୍କୁ ଛାଡ଼ି ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି। କିନ୍ତୁ ଏହି ଘଟଣାର ମୋଡ଼ ବଦଳିଗଲା, ଯେତେବେଳେ ଇମ୍ରାନଙ୍କ ନାଗରିକତା ଏବଂ ଓସିଆଇ କାର୍ଡକୁ ନେଇ ପ୍ରଶ୍ନ ଉଠିଲା।
ପୋଲିସ ହେପାଜତରେ ଥିବା ସମୟର ଏକ ଫଟୋ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି ଇମ୍ରାନ ଲେଖିଥିଲେ—‘ଲାଗୁଛି ମୁଁ ଡ୍ରାଇଭ୍ରେ ଯାଉଛି।’ ତାଙ୍କର ଏହି ପୋଷ୍ଟ ଚର୍ଚ୍ଚାକୁ ଆହୁରି ବଢ଼ାଇଦେଲା। ଏପଟେ ବିଜେପିର ପୂର୍ବତନ ସାଂସଦ କିରିଟ ସୋମାୟା ଇମ୍ରାନଙ୍କ ଏହି ପ୍ରଦର୍ଶନରେ ଯୋଗଦାନକୁ ନେଇ ତଦନ୍ତ ଦାବି କରିଛନ୍ତି। ତାଙ୍କ ଦାବି, ଇମ୍ରାନ ଜଣେ ବିଦେଶୀ ନାଗରିକ। ତେଣୁ ସେ ଏପରି ଆନ୍ଦୋଳନରେ ଭାଗ ନେବାକୁ ଆଇନଗତ ଭାବେ ଅନୁମତିପ୍ରାପ୍ତ କି ନୁହେଁ, ତାହା ଯାଞ୍ଚ ହେବା ଦରକାର।
ତେବେ ଆପଣ ଭାବୁଥିବେ, ଓସିଆଇ କାର୍ଡ କ’ଣ?
ଓସିଆଇର ପୂରା ନାମ ହେଉଛି ‘ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ’। ଏହା ଭାରତୀୟ ମୂଳର କିଛି ବିଦେଶୀ ନାଗରିକଙ୍କୁ ଦିଆଯାଉଥିବା ଏକ ବିଶେଷ ସୁବିଧା। ଏହା ଜରିଆରେ ଭାରତକୁ ଆସିବା ପାଇଁ ଆଜୀବନ ମଲ୍ଟିପଲ୍ ଏଣ୍ଟ୍ରି ଭିସା ସୁବିଧା ସମେତ କେତେକ ଅଧିକାର ମିଳିଥାଏ।
କିନ୍ତୁ ଜାଣି ରଖନ୍ତୁ, ଓସିଆଇ କାର୍ଡ ଭାରତୀୟ ନାଗରିକତା ନୁହେଁ। ଓସିଆଇ କାର୍ଡଧାରୀମାନେ ଭାରତରେ ଭୋଟ୍ ଦେଇପାରନ୍ତି ନାହିଁ, ସଂସଦ କିମ୍ବା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ନାହିଁ ଏବଂ ଭାରତୀୟ ନାଗରିକଙ୍କ ପାଇଁ ସଂରକ୍ଷିତ କେତେକ ରାଜନୈତିକ ଅଧିକାର ମଧ୍ୟ ପାଆନ୍ତି ନାହିଁ।
ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡ଼େଙ୍କ ମତ ଅନୁସାରେ, ଓସିଆଇ କାର୍ଡଧାରୀଙ୍କ ଉପରେ ରାଜନୈତିକ କାର୍ଯ୍ୟକଳାପ ସମ୍ପର୍କିତ ପ୍ରତିବନ୍ଧକ ରହିଛି। ତେବେ କୌଣସି ନିର୍ଦ୍ଦିଷ୍ଟ ଘଟଣାରେ ଆଇନ ଉଲ୍ଲଂଘନ ହୋଇଛି କି ନାହିଁ, ତାହା ସମ୍ପୃକ୍ତ ନିୟମ ଓ ତଥ୍ୟ ଆଧାରରେ ନିର୍ଣ୍ଣୟ କରାଯିବ।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଇମ୍ରାନଙ୍କ ଓସିଆଇ ସ୍ଥିତି ଏବଂ ପ୍ରଦର୍ଶନରେ ଯୋଗଦାନ ସମ୍ପର୍କରେ ଇମିଗ୍ରେସନ୍ ଅଧିକାରୀଙ୍କୁ ଚିଠି ଲେଖିବା ପ୍ରକ୍ରିୟା ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଥିଲା। କିନ୍ତୁ କେବଳ ଅଭିଯୋଗ ଆସିଲେ ହିଁ ଓସିଆଇ କାର୍ଡ ବାତିଲ୍ ହୋଇଯାଏ ନାହିଁ। ଏଥିପାଇଁ ଆଇନଗତ ଆଧାର ଏବଂ ଉଚିତ ପ୍ରକ୍ରିୟା ଆବଶ୍ୟକ।
ତେବେ,୧୩ ଜାନୁଆରୀ ୧୯୮୩ରେ ଆମେରିକାର ମ୍ୟାଡିସନ୍ରେ ଜନ୍ମଗ୍ରହଣ କରିଥିବା ଇମ୍ରାନ, ବଲିଉଡ୍ ଅଭିନେତା ଆମିର ଖାନ୍ଙ୍କ ଭଣଜା। ‘ଜାନେ ତୁ… ୟା ଜାନେ ନା’, ‘ଆଇ ହେଟ୍ ଲଭ୍ ଷ୍ଟୋରିଜ୍’ ଏବଂ ଅନ୍ୟାନ୍ୟ ହିନ୍ଦୀ ଫିଲ୍ମରେ ଅଭିନୟ କରି ସେ ଲୋକପ୍ରିୟତା ହାସଲ କରିଛନ୍ତି। ଶିଶୁ କଳାକାର ଭାବେ ‘କୟାମତ୍ ସେ କୟାମତ୍ ତକ୍’ ଓ ‘ଯୋ ଜିତା ୱହି ସିକନ୍ଦର’ରେ ମଧ୍ୟ ନଜର ଆସିଥିଲେ। କିନ୍ତୁ ଏଥର ତାଙ୍କ ଚର୍ଚ୍ଚାର କାରଣ କୌଣସି ଫିଲ୍ମ ନୁହେଁ। ଏକ ରାଜନୈତିକ ଆନ୍ଦୋଳନରେ ଯୋଗଦାନ ଏବଂ ତାଙ୍କ ଓସିଆଇ ସ୍ଥିତିକୁ ନେଇ ଉଠିଥିବା ପ୍ରଶ୍ନ।
ତେବେ ଏଠି ସବୁଠାରୁ ବଡ଼ ପ୍ରଶ୍ନ—ଜଣେ ବିଦେଶୀ ନାଗରିକ ଭାରତରେ ରହି ଗଣତାନ୍ତ୍ରିକ ବିରୋଧ ପ୍ରଦର୍ଶନରେ କେତେଦୂର ଭାଗ ନେଇପାରିବେ? ଇମ୍ରାନ ଖାନ୍ଙ୍କ ମାମଲାରେ ଆଇନ କ’ଣ କହିବ? ଆଉ ଏହି ବିବାଦ ତାଙ୍କ ଓସିଆଇ ସ୍ଥିତି ଉପରେ କୌଣସି ପ୍ରଭାବ ପକାଇବ କି? ତାହା ଦେଖିବାକୁ ଏବେ ବାକି ରହିଲା |
