ନବରାତ୍ରୀର ରଙ୍ଗରେ ରଙ୍ଗେଇ ହୋଇଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର। ମାଆଙ୍କ ଦର୍ଶନ ପାଇଁ ନକ୍ଟିଗୁଡ଼ା ପୂଜା ମଣ୍ଡପରେ ଜମୁଛି ଭକ୍ତଙ୍କ ପ୍ରବଳ ଭିଡ଼। ଚଳିତ ବର୍ଷ ପ୍ରେମ ମନ୍ଦିର ଢାଞ୍ଚାରେ ହୋଇଥିବା ମଣ୍ଡପର ଆକର୍ଷଣୀୟ ସାଜସଜ୍ଜା ଦର୍ଶକଙ୍କ ମନ ମୋହୁଛି।
ସକାଳୁ ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି। ମଣ୍ଡପରେ ପୂଜାପାଠ ଓ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁ ମାଆଙ୍କ ଆଶୀର୍ବାଦ ନେଉଛନ୍ତି।
କେବଳ ପୂଜା ମଣ୍ଡପ ନୁହେଁ, ମିନାବଜାର ଓ ଦୋକାନ ବଜାରରେ ମଧ୍ୟ ଲାଗିଛି ଗହଳି। ପରିବାର ସହ ମେଳା ବୁଲିବା, କିଣାକିଣି କରିବା ଏବଂ ବିଭିନ୍ନ ମନୋରଞ୍ଜନର ମଜା ନେବାରେ ବ୍ୟସ୍ତ ଲୋକେ। ଛୋଟ ପିଲାଙ୍କ ଖୁସି ଓ ଲୋକଙ୍କ ଉତ୍ସାହରେ ଉତ୍ସବର ମାହୋଲ୍ ହୋଇଉଠିଛି ଆହୁରି ରଙ୍ଗିନ।
ଭକ୍ତି, ଆସ୍ଥା ଓ ଆନନ୍ଦର ଏହି ମିଳନ ନକ୍ଟିଗୁଡ଼ା ପୂଜା ମଣ୍ଡପର ଆକର୍ଷଣକୁ ଦ୍ୱିଗୁଣିତ କରିଛି। ନବରାତ୍ରୀର ଏହି ଉତ୍ସବକୁ ମନଭରି ଉପଭୋଗ କରୁଛନ୍ତି ଭବାନୀପାଟଣାବାସୀ।
