\n\n\n\n\n\n\n

ମୁହଁ ରେ କଳି ; ପଛରେ କୋଳାକୋଳି !

ବିକାଶ ନାଁରେ ଆରମ୍ଭ ହେଲା ମହାଲଢ଼େଇ!

ନବୀନଙ୍କ ଆଟାକ୍, ମୋହନଙ୍କ ପଲଟାବାର!

୨୪ ବର୍ଷର ହିସାବ ମାଗିଲେ ମୋହନ!

ପୂର୍ବ ସରକାରକୁ ନବୀନଙ୍କ ପ୍ରଶ୍ନ!

କିଏ କହୁଛି ସତ, କାହାର ପୋଲ୍ ଖୋଲିବ?

ଗୋଟିଏ ପଟେ ନବୀନଙ୍କ ଆକ୍ରମଣ… ଅନ୍ୟପଟେ ମୋହନଙ୍କ ପଲଟାବାର! ଜଣେ କହୁଛନ୍ତି, ଡବଲ୍ ଇଞ୍ଜିନ୍ ସରକାରରେ ଜନତା ହନ୍ତସନ୍ତ! ଆଉ ଜଣେ କହୁଛନ୍ତି, ୨୪ ବର୍ଷର ସରକାର ଶିଳ୍ପ ବିକାଶକୁ କେବଳ ସ୍ଲୋଗାନ୍‌ରେ ସୀମିତ ରଖିଥିଲା!

ଜଣେ ବର୍ତ୍ତମାନ ସରକାରର ଅପାରଗତା ଗଣାଉଛନ୍ତି… ଆଉ ଜଣେ ପୂର୍ବ ସରକାରର ବିଫଳତାର ହିସାବ ମାଗୁଛନ୍ତି! ତାହେଲେ ପ୍ରକୃତରେ ବିକାଶ କାହାର ଏଜେଣ୍ଡା? ଆଉ ରାଜନୀତିର ଏହି ଆରୋପ-ପ୍ରତ୍ୟାରୋପ ଭିତରେ ସାଧାରଣ ଲୋକ ପାଇବେ କ’ଣ?

ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେଡିର ଚାଲିଛି ଜନସମ୍ପର୍କ ପଦଯାତ୍ରା। ମଞ୍ଚରେ ଦଳୀୟ ନେତା, ରାସ୍ତାରେ କର୍ମୀ… ଆଉ ଭାଷଣର କେନ୍ଦ୍ରବିନ୍ଦୁରେ ଡବଲ୍ ଇଞ୍ଜିନ୍ ସରକାର!

ବିଜେଡି ସଭାପତି ନବୀନ ପଟ୍ଟନାୟକ ସିଧାସଳଖ ସରକାରଙ୍କୁ ଘେରିଛନ୍ତି। ତାଙ୍କ ଅଭିଯୋଗ—ବର୍ତ୍ତମାନ ସରକାରରେ ଚାଷୀଠାରୁ ଆରମ୍ଭ କରି ମହିଳା, ବୟସ୍କ, ଗରିବ ଓ ମଧ୍ୟବିତ୍ତ… ସମସ୍ତେ ହଇରାଣ!

ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢ଼ୁଛି। ଯୁବପିଢ଼ି, ବିଶେଷକରି Gen Zଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି ନବୀନ।

ତାଙ୍କ କଟାକ୍ଷ—ସରକାର ଯେମିତି ନିଦାବିଷ୍ଣୁ ପଲଟିଯାଇଛନ୍ତି! ଅପାରଗତାରେ ଓଡ଼ିଶା ସରକାର ଦେଶରେ ନମ୍ବର ୱାନ୍ ବୋଲି ମଧ୍ୟ ସେ ଆକ୍ଷେପ କରିଛନ୍ତି।

ଏହା ସହ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି—ଲୋକଙ୍କ ସହ ରୁହ, ସରକାରଙ୍କ ବିଫଳତାକୁ ଲୋକଙ୍କ ସାମ୍ନାକୁ ଆଣ!

କିନ୍ତୁ ଏଠି ପ୍ରଶ୍ନ ଉଠୁଛି… ବିରୋଧୀ ଦଳ ଭାବେ ବିଜେଡି ଯେଉଁ ପ୍ରଶ୍ନ ଉଠାଉଛି, ତାହାର ଉତ୍ତର ସରକାର ଦେବେ କି? ନା ଏହା କେବଳ ରାଜନୈତିକ ମଞ୍ଚରେ ଆଉ ଗୋଟିଏ ଆରୋପରେ ସୀମିତ ରହିବ?

କିନ୍ତୁ ରାଜନୈତିକ କାହାଣୀର ଦ୍ୱିତୀୟ ଚିତ୍ର ଦେଖିବାକୁ ମିଳିଛି ଯାଜପୁରରେ!

ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୯ ହଜାର ୩୮୨ କୋଟି ଟଙ୍କାର ୪୬ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଅର୍ଥାତ୍, ଗୋଟିଏ ପଟେ ବିକାଶର ପ୍ରତିଶ୍ରୁତି… ଅନ୍ୟପଟେ ଶିଳ୍ପ ଓ ନିଯୁକ୍ତିକୁ ନେଇ ବଡ଼ ଘୋଷଣା!

ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଯେ, ଯେଉଁ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ହେବ, ସେଠାକାର ଯୁବକ-ଯୁବତୀଙ୍କୁ ନିଯୁକ୍ତିରେ ଗୁରୁତ୍ୱ ଦିଆଯାଉ।

କିନ୍ତୁ ଏହି ଘୋଷଣା ସହିତ ଆରମ୍ଭ ହୋଇଛି ପୂର୍ବ ସରକାର ବିରୋଧରେ ତୀବ୍ର ରାଜନୈତିକ ଆକ୍ରମଣ! ମୋହନ ମାଝୀଙ୍କ ପ୍ରଶ୍ନ—୨୪ ବର୍ଷର ଶାସନରେ ଶିଳ୍ପ କ୍ଷେତ୍ରରେ ପ୍ରକୃତରେ କ’ଣ ହୋଇଥିଲା? ମେକ୍ ଇନ୍ ଓଡ଼ିଶା ନାଁରେ କେତେ ପୁଞ୍ଜିନିବେଶ ଆସିଲା? କେତେ ନିଯୁକ୍ତି ସୃଷ୍ଟି ହେଲା?

ପୂର୍ବ ସରକାର ଶିଳ୍ପ ବିକାଶକୁ କେବଳ ପ୍ରଚାରରେ ସୀମିତ ରଖିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟର ଖଣିଜ ସମ୍ପଦର ଉପଯୋଗ, ଶିଳ୍ପ ପ୍ରକଳ୍ପର ବାସ୍ତବ କାର୍ଯ୍ୟାନ୍ୱୟନ ଓ ଉତ୍ପାଦର ମୂଲ୍ୟବୃଦ୍ଧି ନେଇ ମଧ୍ୟ ପୂର୍ବ ସରକାରକୁ ଘେରିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ, ନବୀନ ପଟ୍ଟନାୟକ ବର୍ତ୍ତମାନ ସରକାରକୁ ପ୍ରଶ୍ନ କରୁଛନ୍ତି—ଦରଦାମ ବୃଦ୍ଧି, ଜନସାଧାରଣଙ୍କ ସମସ୍ୟା ଓ ଯୁବପିଢ଼ିର ଭବିଷ୍ୟତ ପାଇଁ ସରକାର କ’ଣ କରୁଛି?

ଅନ୍ୟପଟେ ମୋହନ ଚରଣ ମାଝୀ ପୂର୍ବ ସରକାରକୁ ପ୍ରଶ୍ନ କରୁଛନ୍ତି—୨୪ ବର୍ଷର ଶାସନରେ ଶିଳ୍ପ, ପୁଞ୍ଜିନିବେଶ ଓ ନିଯୁକ୍ତି କ୍ଷେତ୍ରରେ କେତେ ସଫଳତା ମିଳିଥିଲା?

ଜଣେ କହୁଛନ୍ତି, ବର୍ତ୍ତମାନ ସରକାର ବିଫଳ! ଅନ୍ୟ ଜଣେ କହୁଛନ୍ତି, ପୂର୍ବ ସରକାର କେବଳ ପ୍ରଚାର କରୁଥିଲା! ତେବେ, ଓଡ଼ିଶାର ବିକାଶକୁ ନେଇ ଏହି ଦୁଇ ଦଳ ମଧ୍ୟରେ ଚାଲିଥିବା ବାକ ଯୁଦ୍ଧ ସତ ନା କେବଳ ଲୋକଦେଖାଣିଆ ତାହା ଦେଖିବାକୁ ବାକି ରହିଲା |