\n\n\n\n\n\n\n

ବାଣୀବିହାରରେ ଲେଡିସ ହଷ୍ଟେଲ ସାମ୍ନାରେ ଚାଲିଛି…

ବାଣୀବିହାରରେ ବୋମାମାଡ
ରାତି ଅଧରେ କ୍ୟାମ୍ପସରେ ଆତଙ୍କରାଜ୍..କାହା କଥାରେ ଚାଲିଛି ଲେଡିଜ୍ ହଷ୍ଟେଲ୍ ସାମ୍ନାରେ ରକ୍ତାକ୍ତ ଲଢ଼େଇ?
ରାତି ଅଧରେ ଡିସିପିଙ୍କ ଡେରା…ସମ୍ବେଦନଶୀଳ ହଷ୍ଟେଲଗୁଡ଼ିକରେ କଡ଼ା ପୋଲିସ ଛାଉଣୀ
ଛାତ୍ରଙ୍କ ହାତକୁ ବାରୁଦ ଟେକିଦେଉଛି କିଏ?
ଛାତ୍ର ରାଜନୀତି ନା ବାହୁବଳୀଙ୍କ ଆଖଡ଼ା?….ବାଣୀବିହାରକୁ ଅଶାନ୍ତ କରିବାର ମାଷ୍ଟରମାଇଣ୍ଡ କିଏ?

()ରାତି ଅଧରେ ଶକ୍ତିଶାଳୀ ବିସ୍ଫୋରଣରେ ଥରିଲା ଉତ୍କଳ ବିଶ୍ୱବିଦ୍ୟାଳୟ|୧ ନମ୍ବର ହଷ୍ଟେଲ୍ ସାମ୍ନାରେ ବୋମାମାଡ଼ ନା ନିର୍ବାଚନ ପୂର୍ବରୁ କ୍ଷମତାର ଶକ୍ତି ପ୍ରଦର୍ଶନ? ଶିକ୍ଷାର ମନ୍ଦିରରେ ଏବେ ବାରୁଦର ଗନ୍ଧ… ବାଣୀବିହାରକୁ ଅଶାନ୍ତ କରି ରାଜନୈତିକ ଫାଇଦା ଲୁଟିବାକୁ କିଏ ଚଳାଇଛି ଅପରାଧୀକ ଗୋଟିଚାଳନା?

ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଏବେ ଖୋଲା ଆତଙ୍କରାଜ୍| ଓଡ଼ିଶାର ଶିକ୍ଷା ସଂସ୍କୃତିର ପ୍ରତୀକ କୁହାଯାଉଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର ଏବେ ରାଜନୈତିକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି| ୧ ନମ୍ବର ବଏଜ୍ ହଷ୍ଟେଲ୍ ସମ୍ମୁଖରେ ହଠାତ୍ ପ୍ରଚଣ୍ଡ ଶବ୍ଦରେ ଫାଟିଲା ବାରୁଦ| ଛାତ୍ରମାନଙ୍କ ଅଭିଯୋଗ ସିଧାସଳଖ ବୋମାମାଡ଼ କରି କ୍ୟାମ୍ପସରେ ଭୟର ବାତାବରଣ ସୃଷ୍ଟି କରାଯାଇଛି| ପୋଲିସ ଏହାକୁ ବାଣ ଫୁଟିବା କହି ଘଟଣାକୁ ଚାପିବାକୁ ଚେଷ୍ଟା କରୁଛି ସତ, କିନ୍ତୁ ଭୁବନେଶ୍ୱର ଡିସିପି ସ୍ୱୟଂ ରାତି ଅଧରେ କ୍ୟାମ୍ପସରେ ଡେରା ପକାଇବା ଏବଂ ସମ୍ବେଦନଶୀଳ ହଷ୍ଟେଲଗୁଡ଼ିକରେ କଡ଼ା ଚେକିଂର ଘୋଷଣା କରିବା ସ୍ପଷ୍ଟ କରୁଛି ଯେ ପରିସ୍ଥିତି କେତେ ସଂଗୀନ୍|
ଅସଲ ଖେଳ ଆରମ୍ଭ ହୋଇଛି ଛାତ୍ର ସଂସଦ ନିର୍ବାଚନକୁ ନେଇ| ବର୍ଷ ବର୍ଷ ଧରି ବନ୍ଦ ପଡ଼ିଥିବା କଲେଜ ଇଲେକ୍ସନ୍‌କୁ ନେଇ କ୍ୟାମ୍ପସରେ ରାଜନୈତିକ ପାରା ଚଢ଼ୁଥିବା ବେଳେ, ୭ ନମ୍ବର ଲେଡିଜ୍ ହଷ୍ଟେଲ୍ ଆଗରେ ABVP ଏବଂ BCJD ସମର୍ଥକଙ୍କ ମଧ୍ୟରେ ଚାଲିଲା ମୁହାଁମୁହିଁ ଶକ୍ତି ପ୍ରଦର୍ଶନ| ଶାସକ ବିଜେପିର ଛାତ୍ର ଶାଖା ଏବଂ ବିରୋଧୀ ବିଜେଡିର ଛାତ୍ର ସଙ୍ଗଠନ ନିଜ ନିଜର ଦବ୍‌ଦବା ଜାହିର୍ କରିବା ପାଇଁ ଶିକ୍ଷାନୁଷ୍ଠାନକୁ ଆଖଡ଼ାଶାଳାରେ ପରିଣତ କରିଦେଇଛନ୍ତି|ପରିସ୍ଥିତି ଏପରି ହେଲା ଯେ ରାତାରାତି ୨ ପ୍ଲାଟୁନ୍ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରିବାକୁ ପଡ଼ିଲା|
ପ୍ରଶ୍ନ ଉଠୁଛି ଛାତ୍ରଙ୍କ ହାତରେ କଲମ ବଦଳରେ କ୍ୟାମ୍ପସ ଭିତରକୁ ବୋମା ଆଉ ବାରୁଦ କିଏ ପଠାଉଛି? ଡିସିପି ଯେତେବେଳେ କହୁଛନ୍ତି କ୍ୟାମ୍ପସ ଗେଟ୍‌ରେ ସନ୍ଧ୍ୟା ସମୟରେ କଡ଼ା ଯାଞ୍ଚ ହେବ, ସେତେବେଳେ ସ୍ପଷ୍ଟ ହେଉଛି ଯେ ବାହାର ଅସାମାଜିକ ତତ୍ତ୍ୱ ଏବଂ ରାଜନୈତିକ ବାହୁବଳୀମାନେ ହଷ୍ଟେଲ ଭିତରେ ଆଶ୍ରୟ ନେଉଛନ୍ତି| ଛାତ୍ର ସଂସଦ ନିର୍ବାଚନ ନାଁରେ କ୍ୟାମ୍ପସରେ ହିଂସା ଉସୁକାଇ କେଉଁ ରାଜନୈତିକ ଦଳ ନିଜର ଭୋଟ୍ ବ୍ୟାଙ୍କ ସଜାଡୁଛି? ପୋଲିସ ପ୍ରଶାସନ ବୋମା ବିସ୍ଫୋରଣର ଅସଲ ଦୋଷୀଙ୍କୁ ଗିରଫ କରିବ ନା କେବଳ ବାଣ ଫୁଟିବାର ଆଳ ଦେଖାଇ ମାମଲାକୁ ରଫାଦଫା କରିଦିଆଯିବ? ଉତ୍ତର ମାଗୁଛନ୍ତି ହଜାର ହଜାର ଭୟଭୀତ ଛାତ୍ରଛାତ୍ରୀ ଓ ଅଭିଭାବକ|