\n\n\n\n\n\n\n

ବିଦେଶୀ ହାତରେ ଓଡିଶା ବ୍ୟାଙ୍କ; ଆର୍ଥିକ ସଂସ୍କାର ନା ଜାତୀୟ ସମ୍ପତ୍ତିର ଖୋଲା ସେଲ୍?

ବିଦେଶୀ ହାତରେ ଦେଶର ଶିଳ୍ପଭାଗ୍ୟ…IDBI ବ୍ୟାଙ୍କ୍‌ର ମାଲିକ ଏବେ କାନାଡ଼ା କମ୍ପାନୀ?
ଜନତାଙ୍କ ଟଙ୍କାରେ ଗଢ଼ା ବ୍ୟାଙ୍କ ବିଦେଶୀ ହାତରେ ଟେକିଦେଲା କିଏ?
ବଡ଼ ବାବୁମାନେ ଟଙ୍କା ଗିଳିଲେ, ଦେଶ ଉପରେ ବୋଝ ଲଦିଲେ…ଆତ୍ମନିର୍ଭର ଭାରତ ନା ବିଦେଶୀ କମ୍ପାନୀ ଆଗରେ ଆତ୍ମସମର୍ପଣ?
ଦେଶର ଆର୍ଥିକ ନିୟନ୍ତ୍ରଣ ବିଦେଶୀଙ୍କ ହାତକୁ ଯିବା କେତେ ସୁରକ୍ଷିତ?ମାତ୍ର କେଇ ହଜାର କୋଟି ପାଇଁ ଲଜ୍ଜାଜନକ ସାଲିସ୍ କାହିଁକି?
ଆର୍ଥିକ ସଂସ୍କାର ନା ଜାତୀୟ ସମ୍ପତ୍ତିର ଖୋଲା ସେଲ୍?

ଦେଶର ଶିଳ୍ପ ଭାଗ୍ୟକୁ ବିଦେଶୀ ହାତରେ ବନ୍ଧା ପକାଇଦେଲେ ମୋଦୀ ସରକାର| ଯେଉଁ IDBI ବ୍ୟାଙ୍କ୍ ଭାରତର କ୍ଷୁଦ୍ର ଶିଳ୍ପ ଆଉ ଚାଷୀଙ୍କ ମେରୁଦଣ୍ଡ ଥିଲା, ତା’ର ମାଲିକାନା ଏବେ ଚାଲିଗଲା କାନାଡ଼ା କମ୍ପାନୀ ହାତକୁ| ପୁଞ୍ଜିପତିଙ୍କ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରି, ମାତ୍ର କେଇ ହଜାର କୋଟି ପାଇଁ ଦେଶର ସମ୍ପତ୍ତିକୁ ନିଲାମ କଲା କିଏ?

ଆତ୍ମନିର୍ଭର ଭାରତର ଡିଣ୍ଡିମ ପିଟୁଥିବା କେନ୍ଦ୍ର ସରକାର ଆଜି ଦେଶର ସାର୍ବଭୌମତ୍ୱକୁ ବିଦେଶୀ ପୁଞ୍ଜିପତିଙ୍କ ପାଦତଳେ ସମର୍ପଣ କରିଦେଇଛନ୍ତି|ଯେଉଁ ବ୍ୟାଙ୍କର ମାଲିକ ଭାରତ ସରକାର ଓ ଭାରତର ଜନତା ଥିଲେ, ସେହି ପ୍ରତିଷ୍ଠିତ IDBI ବ୍ୟାଙ୍କ୍‌ର ପ୍ରାୟ ୬୧ ପ୍ରତିଶତ ଅଂଶଧନ ଏବେ ବିକ୍ରି ହୋଇଯାଇଛି କାନାଡ଼ାର କମ୍ପାନୀ ଫେୟାରଫ୍ୟାକ୍ସ ହାତକୁ ସରକାର ନିଜର ୩୦.୪୮ ପ୍ରତିଶତ ଏବଂ ଏଲ୍‌ଆଇସି ନିଜର ୩୦.୨୪ ପ୍ରତିଶତ ଅଂଶଧନ ବିକ୍ରି କରି ମାତ୍ର କେଇ ହଜାର କୋଟି ଟଙ୍କାରେ ଏହି ଐତିହାସିକ ଆର୍ଥିକ ପ୍ରତିଷ୍ଠାନକୁ ବିଦେଶୀଙ୍କ ହାତକୁ ଟେକି ଦେଇଛନ୍ତି|

୧୯୬୪ ମସିହାରେ ସ୍ଥାପିତ ହୋଇଥିବା ଏହି ଡେଭଲପ୍‌ମେଣ୍ଟ ଫାଇନାନ୍ସିଆଲ୍ ଇନ୍‌ଷ୍ଟିଚ୍ୟୁସନ୍ ଦେଶର ଛୋଟବଡ଼ ଶିଳ୍ପ, ଭିତ୍ତିଭୂମି ଏବଂ କୃଷି କ୍ଷେତ୍ରର ବିକାଶ ପାଇଁ ସୁଲଭ ଋଣ ଯୋଗାଉଥିଲା| କିନ୍ତୁ ବଡ଼ ବଡ଼ କର୍ପୋରେଟ୍ ଶାଗୁଣାମାନେ ହଜାର ହଜାର କୋଟି ଟଙ୍କାର ଋଣ ନେଇ ଫେରାର୍ ହୋଇଗଲେ, ବ୍ୟାଙ୍କର ଏନ୍‌ପିଏ ବଢ଼ି ୨୦୧୭ ସୁଦ୍ଧା ୨୭ ପ୍ରତିଶତ ଟପିଗଲ|ବ୍ୟାଙ୍କକୁ ବଞ୍ଚାଇବା ନାଁରେ ପୂର୍ବରୁ LIC ଟଙ୍କାରେ ୫୧% ଶେୟାର କିଣାଯାଇଥିଲା, କିନ୍ତୁ କ୍ଷତିର ବୋଝ କମିଲାନି | ଆଉ ଶେଷରେ ଠକ ପୁଞ୍ଜିପତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସରକାର ସିଧାସଳଖ ବ୍ୟାଙ୍କକୁ ବିଦେଶୀ କମ୍ପାନୀ ହାତକୁ ଟେକିଦେଲେ|

ସବୁଠୁ ବଡ଼ ପ୍ରଶ୍ନବାଚୀ ଏହିଠାରେ ଉଠୁଛି ଯେଉଁ କେନ୍ଦ୍ର ସରକାର ଅମ୍ବାନୀ, ଆଦାନୀଙ୍କ ଭଳି କ୍ରୋନି ପୁଞ୍ଜିପତିଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ଚୁପ୍‌ଚାପ୍ ବ୍ୟାଙ୍କ ଖାତାରୁ ରାଇଟ୍-ଅଫ୍ ବା ଛାଡ଼ କରିଦେଉଛନ୍ତି, ସେହି ସରକାର ମାତ୍ର ୫ ହଜାର କୋଟି ଟଙ୍କା ପାଇଁ ଦେଶର ଶିଳ୍ପ ଭାଗ୍ୟକୁ ବିଦେଶୀଙ୍କ ହାତରେ ବନ୍ଧା ପକାଇଲେ କାହିଁକି? ଏବେ କାନାଡ଼ା କମ୍ପାନୀ କ’ଣ ଭାରତର କ୍ଷୁଦ୍ର ଶିଳ୍ପୋଦ୍ୟୋଗୀ ଆଉ କୃଷକଙ୍କୁ ଶସ୍ତାରେ ଋଣ ଦେବ? ନା ଦେଶର ଆର୍ଥିକ ତଥ୍ୟ ଆଉ ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ ଉପରେ ବିଦେଶୀ ଶକ୍ତିର ରାଜୁତି ଚାଲିବ?
ପ୍ରଥମେ ବିମାନବନ୍ଦର, ପରେ ରେଳବାଇ, ଆଉ ଏବେ ଦେଶର ସରକାରୀ ବ୍ୟାଙ୍କ! ଗୋଟିଏ ପରେ ଗୋଟିଏ ଜାତୀୟ ସମ୍ପତ୍ତିକୁ ବିକ୍ରି କରି କେନ୍ଦ୍ର ସରକାର କାହାର ଖଜଣା ଭରୁଛନ୍ତି? ଏହା ସଂସ୍କାର ନା ଗଣତନ୍ତ୍ରର ଅର୍ଥନୀତି ଉପରେ ବିଦେଶୀ ଦଲାଲି?