ଭୋକ ପାଇଁ ବଳି ପଡିଗଲା ପାଠ ପଢା, ଶେଷରେ ମାଟ୍ରିକ ପରୀକ୍ଷା ନଦେଇ ଦାଦନ ଖଟିବାକୁ ଚାଲିଗଲେ ଗୋଆ

1- ହାରିଗଲା ପାଠ ଜିତିଗଲା ଭୋକ
2- ଭୋକ ପାଇଁ ବଳି ପଡିଗଲା ପାଠ ପଢା
3- ଶେଷରେ ମାଟ୍ରିକ ପରୀକ୍ଷା ନଦେଇ ଦାଦନ ଖଟିବାକୁ ଚାଲିଗଲେ ଗୋଆ

ଗତକାଲି ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା। ହସଖୁସିରେ ପିଲାମାନେ ପରୀକ୍ଷା ଦେଇ ଦେଇ ଫେରୁଛନ୍ତି। କିନ୍ତୁ ଏହାରି ଭିତରେ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଉତ୍କଟ ଦାରିଦ୍ର୍ୟ ଏବଂ ଅସମ୍ଭାଳ ପେଟର ଭୋକ ଆଗରେ ବଳି ପଡ଼ିଲା ପାଠ ପଢା । ସେଥିପାଇଁ ଛାତ୍ରଜଣକ ଦାଦନ ଖଟିବାକୁ ଗୋଆ ଯିବେ ବୋଲି ଦେଲେନି ମାଟ୍ରିକ୍ ପରୀକ୍ଷା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟାଳୟ ଲୁହୁରାଢ଼ିପାରୁ ଏଭଳି ଏକ ଘଟଣା ସାମନାକୁ ଆସିଛି । ତେବେ ଧର୍ମଶାଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିଲେ ଉତ୍ତମ ରୋହିଦାସ ମାଟ୍ରିକ୍ ପରୀକ୍ଷା ଦେଇଥାନ୍ତେ ୧୮ ତାରିଖରେ ବିଦ୍ୟାଳୟର ଶିକ୍ଷକ ଘରକୁ ଯାଇ ତାଙ୍କୁ ପ୍ରବେଶପତ୍ର ଦେଇ ଭବାନୀଶଙ୍କର ଉଚ୍ଚ ମାଧ୍ୟମିକବିଦ୍ୟାଳୟ କେନ୍ଦ୍ରରେ ସକାଳୁ ପହଞ୍ଚିବାକୁ କହିଥିଲେ । ହେଲେ ୧୯ ତାରିଖ ସକାଳ ୯ଟାରେ ପରୀକ୍ଷା କେନ୍ଦ୍ରରେ ଉତ୍ତମ ରୋହିଦାସ ଅନୁପସ୍ଥିତ ଥିବା ସୂଚନା ଦିଆଯାଇଥିଲା। ପ୍ରଧାନଶିକ୍ଷକ ଅଶୋକ ନାଏକଙ୍କ ସମେତ ଅନ୍ୟ ଶିକ୍ଷକମାନେ ଲୁହୁରାଢିପା ଯାଇ ଛାତ୍ରଙ୍କୁ ଭେଟିବା ପରେ ପରୀକ୍ଷା ନ ଦେବାର କରୁଣ ଚିତ୍ର ପଦାକୁ ଆସିଥିଲା। ପାଠପଢା ଖେଳକୁଦ କରିବା ବୟସରେ ସେ କାନ୍ଧରେ ବହିବସ୍ତାନି ବଦଳରେ ଦାରିଦ୍ର୍ୟ ବୋଝ ଉଠାଇବାକୁ ଗୋଆ ଯାଉଥିବା ଜାଣିବାକୁ ପାଇଥିଲେ ଶିକ୍ଷକ।

ସୂଚନା ଅନୁସାରେ ଉତ୍ତମଙ୍କ ବାପା ଦିବରାଜ ରୋହିଦାସଙ୍କ ଗତ ୨ ବର୍ଷ ତଳୁ ଦେହାନ୍ତ ହୋଇଯାଇଛି.. ବାପାଙ୍କୁ ହରାଇ ବାପ ଛେଉଣ୍ଡ ହୋଇଯାଇଛନ୍ତି ଉତ୍ତମ । ବାପା ଚାଲିଯିବା ଘରେ କେବଳ ବିଧବା ମା’ ଯଶୋଦାରାଣୀ, ସାନଭାଇ ଓ ସେ ଅଛନ୍ତି । ବାପାଙ୍କ ପରେ ମା’ କୁଲିମଜୁରି କରି ଯାହା ଆଣୁଥିଲେ ସେଥିରେ ଚଳୁଥିଲେ ତିନି ପ୍ରାଣୀ। ଏ ସ୍ଥିତିରେ ମଧ୍ୟ ପୁଅକୁ ପାଠ ପଢ଼ାଇବାକୁ ଭୁଲି ନଥିଲେ ମା’ ଯଶୋଦାରାଣୀ । ହେଲେ ମାଆ ଏମିତି ବାହାରେ କାମ କରିବା ଏବଂ ଘରର ଦାରିଦ୍ର୍ୟ ଓ ଉତ୍ତମଙ୍କୁ ସବୁବେଳେ ଚିନ୍ତାରେ ପକାଉଥିଲା । ସେଥିପାଇଁ ସେ ବର୍ଷେ ତଳେ ମା’ଙ୍କୁ ନ ଜଣାଇ ଦାଦନ ଖଟିବାକୁ ଦୁଇଥର ଗୋଆ ଚାଲି ଯାଇଥିଲେ। ସମୁଦ୍ରରେ ମାଛ ଧରି ଦୁଇ ଥର କିଛି ଟଙ୍କା ନେଇ ଘରକୁ ଫେରିଥିଲେ । ହେଲେ ମା’ ତାଙ୍କୁ ଦାଦନ ଖଟିବାକୁ ନ ଯିବା ପାଇଁ କହିବା ସହ ପାଠ ପଢ଼ିବାକୁ କହୁଥିଲେ । ମାଆଙ୍କ କଥା ଶୁଣି ଉତ୍ତମ ବି ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ଭରିଥିଲେ।

କିନ୍ତୁ ଭାଗ୍ୟର ବିଡମ୍ବନା କିଛି ଅଲଗା ଥିଲା ଯେଉଁଦିନ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା ସେହିଦିନ ଉତ୍ତମଙ୍କୁ ଗୋଆ ଯିବାକୁ ଡାକରା ପହଞ୍ଚିଥିଲା | ଅନ୍ୟ କିଛି ଶ୍ରମିକଙ୍କ ସହ ସୁନ୍ଦରଗଡ଼ ବସ୍‌ରେ ଯାଇ ସେଠାରୁ ରେଳ ଯୋଗେ ଗୋଆ ଯିବାର ଥିଲା । ସେଥିପାଇଁ ପରୀକ୍ଷା ଦେବାକୁ ଯାଇ ନଥିବା କହିଛନ୍ତି। ଶିକ୍ଷକମାନେ ଯେତେ ବୁଝାଇଲେ ମଧ୍ୟ କାମ ନକଲେ ଆମକୁ କିଏ ଖାଇବାକୁ ଦେବ କହି ସିଧାସିଧା ମନା କରି ଦେଇଥିଲେ। ତେବେ ଏମିତି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମୁରଲୀଧର ବେହେରା, ଉତ୍ତମଙ୍କୁ ଭେଟିବା ସହ ତାଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ଏବଂ ପଢ଼ା ଜାରି ରଖିବାକୁ ବୁଝାଇଛନ୍ତି।

Leave a Reply

Your email address will not be published. Required fields are marked *