ବିଜେଡ଼ିର ପଶା ପାଲି ଖେଳରେ ବାଜି ମାରିନେଲେ ପ୍ରଭାତ

ଶଙ୍ଖ ଭବନରେ ପଡିଲା ମରୁଡି !

ନା ଅଛନ୍ତି ନେତା, ନା ଅଛନ୍ତି ମନ୍ତ୍ରୀ, ନା ଅଛନ୍ତି ପ୍ରାର୍ଥୀ

ବହିଷ୍କୃତ ନେତାଙ୍କ ପଛେ ପଛେ ଧାଡ଼ି ବାନ୍ଧିଛନ୍ତି ବିଜେଡ଼ି ନେତା

ଖୁବ ଶୀଘ୍ର ଭୁଷୁଡି ଯିବ କି ବିଜେଡ଼ି ଗଡ ?

ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ଏବେ ରାଜନୀତି ସରଗରମ। ଯେଉଁ ଦଳରୁ ବହିଷ୍କାର କରାଯାଇଥିଲା, ସେହି ଦଳର ନିର୍ବାଚିତ ପ୍ରତିନିଧିମାନେ ଏବେ ବହିଷ୍କୃତ ନେତାଙ୍କ ପଛରେ ଧାଡ଼ି ବାନ୍ଧିଛନ୍ତି। ବିଜେଡି ଶିବିରରେ ଏବେ ଅକଳ ପରିସ୍ଥିତି। ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଏକାକୀ ନୁହନ୍ତି, ବରଂ ତାଙ୍କ ସହ ଅଛନ୍ତି ଚୌଦ୍ୱାର ପୌର ପରିଷଦର ୧୩ ଜଣ ବିଜେଡି କାଉନସିଲର ଏବଂ ୪ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି।

ବର୍ତମାନ ଚୌଦ୍ୱାର ଏବଂ କଟକ ରାଜନୀତିରେ ଏକ ବଡ଼ ଧରଣର କମ୍ପନ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଚୌଦ୍ୱାର ପୌର ପରିଷଦର ୧୩ ଜଣ ବିଜେଡି କାଉନସିଲର ଏବଂ ଟାଙ୍ଗୀ-ଚୌଦ୍ୱାର ପଞ୍ଚାୟତ ସମିତିର ୪ଟି ପଞ୍ଚାୟତର ପ୍ରତିନିଧିମାନେ ମହାନଦୀ ବିହାର ସ୍ଥିତ ପ୍ରଭାତ ବିଶ୍ୱାଳଙ୍କ ବାସଭବନରେ ଏକାଠି ହୋଇଛନ୍ତି। ବିଜେଡିର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ବେଖାତିର କରି ଏହି ପ୍ରତିନିଧିମାନେ ପ୍ରଭାତଙ୍କ ନେତୃତ୍ୱକୁ ସମର୍ଥନ ଜଣାଇଛନ୍ତି।

ଏହି ବୈଠକରେ କେବଳ କାଉନସିଲର ନୁହନ୍ତି, ବରଂ ପୌର ପରିଷଦର ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ଏବଂ ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ମଧ୍ୟ ଉପସ୍ଥିତ ଥିଲେ। ଏଥିସହ ପ୍ରେମତାପ ନାୟକ, ଅଶୋକ ମହାନ୍ତି, ବିମଲ ବେହେରାଙ୍କ ଭଳି ବରିଷ୍ଠ ନେତାମାନେ ପ୍ରଭାତଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

ଏହି ବୈଠକ ପରେ ଏକ ସ୍ପଷ୍ଟ ସଂକେତ ମିଳିଛି ଯେ, ଚୌଦ୍ୱାରରେ ବିଜେଡିର ସଂଗଠନ ଏବେ ଦୁଇ ଭାଗରେ ବିଭକ୍ତ ହୋଇଛି। କାଉନସିଲରମାନଙ୍କ ମତରେ, ପ୍ରଭାତ ବିଶ୍ୱାଳ ଯାହା ନିଷ୍ପତ୍ତି ନେବେ, ସେମାନେ ତାହା ଗ୍ରହଣ କରିବେ। ସେପଟେ କଟକ ପୌର ନିଗମର ବିଜେଡି କର୍ପୋରେଟରମାନେ ମଧ୍ୟ ପୂର୍ବରୁ ପ୍ରଭାତଙ୍କୁ ସମର୍ଥନ ଜଣାଇ ସାରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି— କଣ ବିଜେଡି ନେତୃତ୍ୱ ଏହି ପ୍ରତିନିଧିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାହସ କରିବେ? କାରଣ ଏତେ ସଂଖ୍ୟକ ପ୍ରତିନିଧିଙ୍କୁ ବାହାର କରିବା ଅର୍ଥ ହେଉଛି ଅଞ୍ଚଳରେ ଦଳକୁ ସମ୍ପୂର୍ଣ୍ଣ ରୂପେ ଦୁର୍ବଳ କରିଦେବା।

ମୋଟ ୧୯ଟି ୱାର୍ଡ ମଧ୍ୟରୁ ବିଜେଡି ପାଖରେ ୧୪ଟି ରହିଛି। ସେଥିରୁ ୧୩ ଜଣ ଏବେ ପ୍ରଭାତଙ୍କ ଶିବିରରେ। ଏଭଳି ସ୍ଥିତିରେ ବିରୋଧୀ ବିଜେପି ଏବଂ କଂଗ୍ରେସ ପାଇଁ ସୁଯୋଗ ସୃଷ୍ଟି ହୋଇପାରେ କି? ନା ପ୍ରଭାତ ବିଶ୍ୱାଳ ନୂଆ କୌଣସି ରଣନୀତି ପ୍ରସ୍ତୁତ କରୁଛନ୍ତି?

ରାଜନୀତିରେ କେହି ଚିରସ୍ଥାୟୀ ଶତ୍ରୁ କିମ୍ବା ମିତ୍ର ନୁହନ୍ତି। କିନ୍ତୁ ଚୌଦ୍ୱାର-କଟକରେ ଯେଉଁ ଧରଣର ବିଦ୍ରୋହ ଦେଖିବାକୁ ମିଳିଛି, ତାହା ବିଜେଡି ପାଇଁ ଆଗାମୀ ଦିନରେ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ହେବ। କଣ ହେବ ପ୍ରଭାତଙ୍କ ପରବର୍ତ୍ତୀ ପଦକ୍ଷେପ? ଦଳ କଣ ଏହାକୁ ଚୁପଚାପ୍ ସହିଯିବ ନା ପୁଣି ଏକ ବହିଷ୍କାର ପର୍ବ ଆରମ୍ଭ ହେବ? ଏହା ଉପରେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *