ପୋଷ୍ଟରରେ ହସୁଛି ବାସ୍ତବରେ କାନ୍ଦୁଛି !
ସଫଳତାର ବିଜ୍ଞାପନ ଭିତରେ ଲୁଚିଯାଉଛି କଟନୀ-ଛଟନୀର କଳା ସତ !
କାଗଜରେ କୃଷକ ମାଲାମାଲ୍, ହେଲେ ମଣ୍ଡିରେ ଚାଷୀ ବେହାଲ !
ଅର୍ଥର ପ୍ରଲୋଭନ ନା ଚାଷୀଙ୍କୁ ଶୋଷଣ?
ଖୋଲିବ ସରକାରଙ୍କ ପୁରା ସତ !
୨୨ ହଜାର କୋଟିର ହିସାବ… ୭୫ ଲକ୍ଷ ମେଟ୍ରିକ ଟନର ସଫଳତା… ଆଉ ୧୮ ଲକ୍ଷ କୃଷକଙ୍କ ମୁହଁରେ ହସ! ଶୁଣିବାକୁ କେତେ ଭଲ ଲାଗୁଛି ନା? ସୋସିଆଲ ମିଡିଆରେ ଚମକୁଥିବା ଏହି ପୋଷ୍ଟର ଦେଖିଲେ ଲାଗୁଛି ଯେମିତି ଓଡ଼ିଶାର ଚାଷୀ ଏବେ ସୁନାର ମଣିଷ ପାଲଟିଯାଇଛି। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ଚମକଦାର ବିଜ୍ଞାପନ ଭିତରେ କାହିଁକି ଲୁଚି ରହିଛି ଚାଷୀର ଲୁହ? ସରକାରୀ ତଥ୍ୟର ଏହି ପାହାଡ଼ ତଳେ କାହିଁକି ଚାପି ହୋଇଯାଉଛି ଅନ୍ନଦାତାର ସ୍ୱର? ପ୍ରୋତ୍ସାହନ ନା ଶୋଷଣ? ଆଜି ଆମେ ଖୋଲିବୁ ସରକାରୀ ସଫଳତାର ଏହି ପୋଷ୍ଟର ପଛର ଅସଲ କଳା ଚିତ୍ର!
ସରକାର କହୁଛନ୍ତି କୃଷକଙ୍କ କଲ୍ୟାଣ ପାଇଁ ସେମାନେ ନିରନ୍ତର ଉଦ୍ୟମ କରୁଛନ୍ତି। ୨୭ ମାର୍ଚ୍ଚ ସୁଦ୍ଧା କୁଆଡ଼େ ୨୨ ହଜାର ୪୧୯ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇଛି। ହେଲେ ସରକାର ଭୁଲିଯାଉଛନ୍ତି, ଏହି ଟଙ୍କା ତ ଚାଷୀର ହକ୍, ସେ ଝାଳବୁହା ପରିଶ୍ରମ କରି ଫଳାଇଥିବା ସୁନା ଫସଲର ମୂଲ୍ୟ! ଏହାକୁ ସଫଳତା କହି ବାଃ ବାଃ ନେଉଥିବା ବେଳେ ସେହି ମଣ୍ଡିକୁ ଥରେ ଚାହିଁ ଦେଖନ୍ତୁ। ଯେଉଁଠି ଚାଷୀ ଆଜି ବି ‘କଟନୀ-ଛଟନୀ’ ନାଁରେ ଲୁଟ୍ ହେଉଛି। ପ୍ରତି କୁଇଣ୍ଟାଲରେ ୫ ରୁ ୮ କେଜି ଧାନକୁ ଅଦରକାରୀ କହି କାଟି ଦିଆଯାଉଛି। ଚାଷୀର ଆକାଉଣ୍ଟକୁ ଯାଉଥିବା ଟଙ୍କାରୁ ମିଲର ଆଉ ଦଲାଲ୍ ମାନେ ଆଗୁଆ ନିଜ ଭାଗ କାଟି ନେଉଛନ୍ତି। ଏହା କ’ଣ ସରକାରୀ କଲ୍ୟାଣ?
ଅଭାବୀ ବିକ୍ରି ବନ୍ଦ ହେବାର ନାଁ ନେଉନି। ମଣ୍ଡିରେ ଧାନ ଗଦା କରି ଚାଷୀ ଶୀତ କାକରରେ ରାତି କାଟୁଛି। କିନ୍ତୁ ସରକାର ବ୍ୟସ୍ତ ଅଛନ୍ତି ଡିଜିଟାଲ୍ ପୋଷ୍ଟର ବନାଇବାରେ। ₹୩୧୦୦ ଟଙ୍କାର ବୋନସ ପ୍ରଲୋଭନ ଦେଖାଇ ଚାଷୀକୁ ଭୋଟ୍ ବ୍ୟାଙ୍କ ଭାବୁଥିବା ସରକାର, କାହିଁକି ମିଲରଙ୍କ ଗୁଣ୍ଡାଗର୍ଦ୍ଦି ରୋକିପାରୁ ନାହାନ୍ତି? କାହିଁକି ଆଜି ବି ଚାଷୀ ଦଲାଲଙ୍କ ପାଖରେ ନିଜ ଫସଲକୁ ଶସ୍ତାରେ ବିକିବାକୁ ବାଧ୍ୟ ହେଉଛି? ସରକାରୀ ଆକାଉଣ୍ଟରେ ଟଙ୍କା ପହଞ୍ଚିବା ଯଦି ସଫଳତା, ତେବେ ମଣ୍ଡିରେ ଚାଷୀର ଅପମାନ କାହିଁକି? ଏହା ପ୍ରୋତ୍ସାହନ ନୁହେଁ, ବରଂ ଅନ୍ନଦାତାର ସରଳତା ସହ ଖେଳାଯାଉଥିବା ଏକ କ୍ରୁର ପରିହାସ!
ରାଜ୍ୟର ଅନ୍ନଦାତାଙ୍କ ଜୀବନରେ ନୂତନ ସମ୍ଭାବନା ଆସିଛି ବୋଲି ଦାବି କରୁଥିବା ସରକାର ମନେ ରଖନ୍ତୁ- ପେଟର ଭୋକ ଆଉ ପକେଟର ଶୋଷଣ ପୋଷ୍ଟରରେ ମିଟେନି। ଯେଉଁଦିନ ମଣ୍ଡିରୁ କଟନୀ-ଛଟନୀ ଶବ୍ଦଟି ଲିଭିଯିବ, ଯେଉଁଦିନ ଚାଷୀକୁ ନିଜ ହକ୍ ପାଇଁ ମଣ୍ଡିରେ ଧାରଣା ଦେବାକୁ ପଡ଼ିବନି, ସେହିଦିନ ହିଁ ପ୍ରକୃତ ସଫଳତା ଆସିବ। ଅର୍ଥର ପ୍ରଲୋଭନ ଦେଖାଇ ଚାଷୀର ସମସ୍ୟାକୁ ଚାପି ଦେବାର ଏହି ପ୍ରୟାସ ବହୁତ ଦିନ ଚଳିବ ନାହିଁ। ଆଜିର ସମୟରେ ଚାଷୀ ସଚେତନ। ସେ କେବଳ ସଂଖ୍ୟାର ହିସାବ ଚାହେଁନି, ସେ ଚାହେଁ ସମ୍ମାନ ଆଉ ଅଧିକାର। ତେବେ ଦେଖିବାକୁ ବାକି ରହିଲା କେବଳ ପୋଷ୍ଟରରେ ନୁହେଁ ବାସ୍ତବରେ କେବେ ଚାଷୀଙ୍କୁ ଟଙ୍କା ପ୍ରକୃତ ଅଧିକାର ମିଳୁଛି |
