\n\n\n\n\n\n\n

ବେଦାନ୍ତର ବିଷ: ସରକାରଙ୍କୁ NGT ର ଛାଟ !

https://youtu.be/DIjJfN-qDQ8?si=2l60r2ULZLAr_3u7

ବିକାଶ ନାଁରେ ବିଷ ପିଉଛି ଓଡ଼ିଶା !

ଲାଞ୍ଜିଗଡ଼ରେ ବହୁଛି ରକ୍ତର ନଦୀ !

ବେଦାନ୍ତର ‘ରେଡ୍ ମଡ୍’ କଲା ସର୍ବନାଶ

ଚିନ୍ତାରେ ଚାଷୀ ନିଘୋଡ ନିଦରେ ସରକାର !

ଓଡ଼ିଶାର ଜଳ, ଜମି ଆଉ ଜଙ୍ଗଲ କ’ଣ କେବଳ ପୁଞ୍ଜିପତିଙ୍କ ପାଇଁ? ସାଧାରଣ ଲୋକଙ୍କ ଜୀବନ ସହ ଖେଳ ଖେଳିବାକୁ ବେଦାନ୍ତ ଭଳି ବଡ଼ ବଡ଼ କମ୍ପାନୀମାନଙ୍କୁ କିଏ ଦେଉଛି ଖୋଲା ଛୁଟି? ଲାଞ୍ଜିଗଡ଼ରେ ବେଦାନ୍ତର ବିଷାକ୍ତ ‘ରେଡ୍ ମଡ୍’ ପାଣି ଗରିବ ଚାଷୀର ପେଟକୁ କାଟି ସାରିଲାଣି, ବଂଶଧାରା ନଦୀର ଅସ୍ତିତ୍ୱକୁ ଶେଷ କଲାଣି। ଆଉ ଏବେ ଏହି ଘଟଣାରେ ଜାତୀୟ ଗ୍ରୀନ ଟ୍ରିବୁନାଲ ବା NGT ର ନୋଟିସ୍, ରାଜ୍ୟ ସରକାର ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖା ଖୋଲି ଦେଇଛି।

ଘଟଣାଟି ଥିଲା ୨୦୨୪ ସେପ୍ଟେମ୍ବର ମାସର। ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ରିଫାଇନାରିର ରେଡ୍ ମଡ୍ ପଣ୍ଡ୍ ବନ୍ଧ ଭାଙ୍ଗିଗଲା। କେବଳ ଭାଙ୍ଗିଲାନି, ପ୍ରାୟ ୪ ଲକ୍ଷ କ୍ୟୁବିକ୍ ମିଟର ଅତ୍ୟଧିକ କ୍ଷାରୀୟ ଓ ବିଷାକ୍ତ ବର୍ଜ୍ୟବସ୍ତୁ ୫୦ରୁ ଅଧିକ ଗାଁର ଶହ ଶହ ଏକର ଚାଷଜମିକୁ ମାଡ଼ିଗଲା। ଯେଉଁ ମାଟି ସୁନା ଫଳାଉଥିଲା, ସେଠି ଆଜି ବିଷର ଆସ୍ତରଣ। ବଂଶଧାରା ନଦୀରେ ମାଛ, ସାପ ଓ ଜଳଜୀବ ମରି ଭାସିଲେ। କିନ୍ତୁ ବିଡ଼ମ୍ବନା ଦେଖନ୍ତୁ, ଏହା ମଧ୍ୟରେ ଦେଢ଼ ବର୍ଷ ବିତିଯାଇଥିଲେ ବି, ପ୍ରଦୂଷଣ ବୋର୍ଡର ରିପୋର୍ଟ ସତ୍ତ୍ୱେ କମ୍ପାନୀ ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। କାହା ଚାପରେ ଚୁପ୍ ରହିଥିଲେ ସରକାର? କାହିଁକି ଆଦାୟ ହେଲାନି ପରିବେଶ କ୍ଷତିପୂରଣ?

ଶେଷରେ ନ୍ୟାୟ ପାଇଁ ପରିବେଶକର୍ମୀ ଦିଲ୍ଲୀପ ସାମନ୍ତରାୟଙ୍କୁ NGT ର ଦ୍ୱାରସ୍ଥ ହେବାକୁ ପଡ଼ିଲା। ଆଡଭୋକେଟ୍ ଅଖଣ୍ଡଙ୍କ ଜରିଆରେ ଦାୟର ଏହି ପିଟିସନ୍ ଉପରେ ଶୁଣାଣି କରି NGT ଏବେ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାପାଳଙ୍କୁ ଜବାବ ମାଗିଛନ୍ତି। ୪ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ପ୍ରଶ୍ନ ଉଠୁଛି, କୋର୍ଟ ନିର୍ଦ୍ଦେଶ ଦେଲେ ଯାଇ ସରକାରଙ୍କ ନିଦ ଭାଙ୍ଗିବ କି? ବିକାଶ ନାଁରେ ବିଷ ପିଉଥିବା ଏହି ଗରିବ ଲୋକଙ୍କ କ୍ଷତିପୂରଣ କିଏ ଦେବ? ବେଦାନ୍ତ ଭଳି ଶିଳ୍ପପତିଙ୍କୁ ସୁହାଇଲା ଭଳି ନୀତି ନିୟମ ଓଡ଼ିଶାର ପରିବେଶକୁ କେଉଁଆଡ଼େ ନେଇଯାଉଛି? ଆଗାମୀ ମେ ୧୫ ତାରିଖରେ NGT ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ଉପରେ ସମସ୍ତଙ୍କ ନଜର। ଦେଖିବାକୁ ବାକି ରହିଲା, ଗରିବ ଚାଷୀଙ୍କୁ ନ୍ୟାୟ ମିଳୁଛି ନା ଶିଳ୍ପପତିଙ୍କ ଚାପରେ ପୁଣି ଦବିଯାଉଛି ସତ୍ୟ।