ନିର୍ବାଚନ ପୂର୍ବରୁ କୁବେରଙ୍କ ଭଣ୍ଡାର
ଜବତ ହେଲା ୬୫୧ କୋଟି !
ମଦ, ମାଂସ ଆଉ ନଗଦ ଟଙ୍କା…
ଭୋଟରଙ୍କୁ କିଣିବାକୁ ଚାଲିଛି ବଡ଼ ଖେଳ !
ଇସିଙ୍କ ଆକ୍ସନରେ ଥରୁଛନ୍ତି ନେତା
ଭୋଟ୍ ପାଇଁ ନୋଟ୍: ଧରାପଡ଼ିଲା ୫ ରାଜ୍ୟର କଳା କାରନାମା।
ନିର୍ବାଚନ ଆସିଲେ ନେତାଙ୍କର ନିଦ ହଜିଯାଏ, ହେଲେ ଏଥର ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଯେଉଁ କଳା ସାମ୍ରାଜ୍ୟ ବିଛାଯାଇଥିଲା, ତାର ପର୍ଦ୍ଦାଫାଶ କରିଛନ୍ତି ଭାରତୀୟ ନିର୍ବାଚନ କମିସନ। ଗୋଟିଏ କି ଦୁଇଟି କୋଟି ନୁହେଁ, ପାଞ୍ଚଟି ନିର୍ବାଚନୀ ରାଜ୍ୟରୁ ଜବତ ହେଲାଣି ମୋଟ ୬୫୧.୫ କୋଟି ଟଙ୍କାର ସାମଗ୍ରୀ। ଏଥିରେ ଅଛି ନଗଦ ଟଙ୍କା, ବିଦେଶୀ ମଦ, ନିଷିଦ୍ଧ ଡ୍ରଗ୍ସ ଏବଂ ମୂଲ୍ୟବାନ ଅଳଙ୍କାର।
ଏହି ତାଲିକାର ସବୁଠାରୁ ଆଗରେ ଅଛି ପଶ୍ଚିମବଙ୍ଗ। ବଙ୍ଗଳା ନିର୍ବାଚନ ଯେତିକି ସରଗରମ, ସେଠାରେ ଲାଞ୍ଚ କାରବାର ମଧ୍ୟ ସେତିକି ଭୟଙ୍କର। ନିର୍ବାଚନ କମିସନଙ୍କ ରିପୋର୍ଟ ଅନୁସାରେ, କେବଳ ପଶ୍ଚିମବଙ୍ଗରୁ ୩୧୯ କୋଟି ଟଙ୍କା ଜବତ କରାଯାଇଛି। ସେଥିମଧ୍ୟରୁ ୧୫୦ କୋଟିର ମାଗଣା ଉପହାର, ୫୫ କୋଟିର ମଦ ଏବଂ ୬୫ କୋଟି ଟଙ୍କାର ମାରାତ୍ମକ ଔଷଧ ବା ଡ୍ରଗ୍ସ ରହିଛି। ଆଶ୍ଚର୍ଯ୍ୟର କଥା ହେଉଛି, ପାଞ୍ଚଟି ରାଜ୍ୟରୁ ଜବତ ହୋଇଥିବା ପ୍ରାୟ ୩୦ ଲକ୍ଷ ଲିଟର ମଦରୁ କେବଳ ପଶ୍ଚିମବଙ୍ଗରୁ ମିଳିଛି ୨୧ ଲକ୍ଷ ଲିଟରରୁ ଅଧିକ ମଦ।
ଅନ୍ୟପଟେ ଦକ୍ଷିଣ ଭାରତର ତାମିଲନାଡୁ ମଧ୍ୟ ପଛରେ ନାହିଁ। ସେଠାରୁ ୧୭୦ କୋଟିର ସମ୍ପତ୍ତି ଜବତ ହୋଇଥିବା ବେଳେ କେରଳରୁ ୫୮ କୋଟି ଟଙ୍କାର ଲାଞ୍ଚ ସାମଗ୍ରୀ ଜବତ ହୋଇଛି। ଆସାମରୁ ମଧ୍ୟ ଫ୍ଲାଇଂ ସ୍କ୍ୱାଡ୍ ୯୭ କୋଟି ଟଙ୍କାର ନିଷିଦ୍ଧ ସାମଗ୍ରୀ ଧରିବାରେ ସଫଳ ହୋଇଛନ୍ତି। ପୁଡୁଚେରୀ ଭଳି ଛୋଟ ଅଞ୍ଚଳରୁ ମଧ୍ୟ ୭ କୋଟି ଟଙ୍କାର ସାମଗ୍ରୀ ଜବତ ହେବା ସମସ୍ତଙ୍କୁ ଚକିତ କରିଦେଇଛି।
ନିର୍ବାଚନକୁ ସ୍ୱଚ୍ଛ ଏବଂ ପ୍ରଲୋଭନମୁକ୍ତ କରିବା ପାଇଁ ନିର୍ବାଚନ କମିସନ ଏଥର ପୂରା ଆକ୍ସନ ମୋଡ୍ରେ ଅଛନ୍ତି। ସାରା ଦେଶରେ ପ୍ରାୟ ୫,୧୭୩ଟି ଫ୍ଲାଇଂ ସ୍କ୍ୱାଡ୍ ଏବଂ ୫,୨୦୦ରୁ ଅଧିକ ଷ୍ଟାଟିକ୍ ସର୍ଭିଲେନ୍ସ ଟିମ୍ ନିୟୋଜିତ କରାଯାଇଛି। କମିସନଙ୍କ ସ୍ପଷ୍ଟ ନିର୍ଦ୍ଦେଶ- କୌଣସି ବି ଅଭିଯୋଗ ଆସିଲେ ମାତ୍ର ୧୦୦ ମିନିଟ୍ ମଧ୍ୟରେ ତାହାର ସମାଧାନ କରାଯିବ।
ପ୍ରଶ୍ନ ଉଠୁଛି, ନେତାମାନେ ଜନତାଙ୍କ ଭୋଟ୍ ସେବା କରି ଜିତିବାକୁ ଚାହୁଁଛନ୍ତି ନା ଟଙ୍କା ଓ ମଦ ବାଣ୍ଟି? କ’ଣ ରୋକି ପାରିବେ ଇସି ଏହି କଳା ଟଙ୍କାର ଖେଳ? ତାହା ଦେଖିବାକୁ ବାକି ରହିଲା |
