ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶେଷ ଚେତାବନୀ! ଆଜି ରାତି ୮ଟା ଭିତରେ ଡିଲ୍ କର, ନଚେତ୍ ଇରାନକୁ ପୁଣି ଥରେ ପ୍ରସ୍ତର ଯୁଗକୁ ଫେରାଇ ଦେବୁ। ହ୍ୱାଇଟ୍ ହାଉସରୁ ଟ୍ରମ୍ପଙ୍କ ଏହି ଧମକ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ୱାଶିଂଟନ ତେହେରାନକୁ ଯଥେଷ୍ଟ ସମୟ ଦେଇଛି। ଇରାନ ୭ ଦିନ ମାଗିଥିଲା, କିନ୍ତୁ ଆମେରିକା ୧୦ ଦିନ ସମୟ ଦେଇଥିଲା। ଏହି ସମୟସୀମା ଆଜି ଶେଷ ହେଉଛି। ଯଦି ଇରାନ ସର୍ତ୍ତ ନମାନେ, ତେବେ ଗୋଟିଏ ରାତିରେ ହିଁ ଇରାନର ସ୍ଥିତି ବିଗାଡି ଦେବାକୁ ପ୍ରସ୍ତୁତ ରହିଛି ଆମେରିକାର ଶକ୍ତିଶାଳୀ ସେନା। ସେପଟେ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଆହୁରି ଭୟଙ୍କର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, “ରାଷ୍ଟ୍ରପତି ଖେଳନ୍ତି ନାହିଁ।” ଆଜି ସଂଘର୍ଷ ଆରମ୍ଭ ହେବା ପରଠାରୁ ସବୁଠାରୁ ବଡ଼ ଆକ୍ରମଣ ହେବ। ଆଜିଠାରୁ ମଧ୍ୟ ଅଧିକ ଭୟଙ୍କର ହେବ ଆସନ୍ତାକାଲିର ସ୍ଥିତି। ଇରାନରେ କୌଣସି ସେତୁ କିମ୍ବା ପାୱାର ପ୍ଲାଣ୍ଟ ବାକି ରହିବ ନାହିଁ। ତେବେ ଏତେ ଧମକ ସତ୍ତ୍ୱେ ଇରାନ ନଇଁବାକୁ ନାରାଜ। ସାମୟିକ ଯୁଦ୍ଧବିରତି ପ୍ରସ୍ତାବକୁ ଇରାନ ପ୍ରତ୍ୟାଖ୍ୟାନ କରିଛି ଏବଂ ଯୁଦ୍ଧର ସ୍ଥାୟୀ ସମାଧାନ ଚାହୁଁଛି। ୪୭ ବର୍ଷ ତଳେ ଯେଉଁ ପଦକ୍ଷେପ ନିଆଯିବା କଥା, ଟ୍ରମ୍ପ ଏବେ ସେହି କଠୋର ଆଭିମୁଖ୍ୟ ଆପଣାଇଛନ୍ତି। ତେବେ ନଜର ରହିଛି ଆଜି ରାତି ୮ଟା ଉପରେ। ଇରାନ ବୁଦ୍ଧିମାନର ସହ ବିକଳ୍ପ ବାଛୁଛି ନା ପୁଣି ଏକ ମହାଯୁଦ୍ଧ ଆଡକୁ ବିଶ୍ୱ ଠେଲି ହୋଇଯାଉଛି?
