ଝିଅର ଛାଡ଼ପତ୍ର, ବାପାର ଉତ୍ସବ! ନାଚି ନାଚି ଘରକୁ ଫେରିଲା ଝିଅ !

ଝିଅର ଛାଡପତ୍ରରେ ନାଚିଲେ ବାପା

ବାଜିଲା ବାଜା, ଖୁଆଇଲେ ମିଠା

ସମାଜ ପାଇଁ କଳଙ୍କ, ବାପାଙ୍କ ପାଇଁ ଗର୍ବ

ବାଜା ବଜାଇ ଡିଭୋର୍ସି ଝିଅକୁ ଘରକୁ ଆଣିଲେ ବାପା

ଆମ ଭାରତୀୟ ସମାଜରେ ‘ଛାଡ଼ପତ୍ର’ ବା ‘ଡିଭୋର୍ସ’ ଶବ୍ଦଟାକୁ ଆଜି ବି ଏକ କଳଙ୍କ ବୋଲି ଧରି ନିଆଯାଏ। ସମ୍ପର୍କ ଭାଙ୍ଗିଲେ, ସାହି ପଡ଼ିଶାଙ୍କ ଠାରୁ ଆରମ୍ଭ କରି ସମ୍ପର୍କୀୟଙ୍କ ପର୍ଯ୍ୟନ୍ତ… ସମସ୍ତଙ୍କ ଆଙ୍ଗୁଠି କେବଳ ମହିଳାଙ୍କ ଆଡ଼କୁ ହିଁ ଉଠିଥାଏ। ଲୋକଲଜ୍ଜା ଆଉ ଅପମାନ ଭୟରେ ଅନେକ ଝିଅ ନିର୍ଯାତନା ସହି ଗୁମୁରି ଗୁମୁରି କାନ୍ଦନ୍ତି। ଏପରିକି ନିଜ ପରିବାର ଲୋକେ ବି ସମାଜ ଭୟରେ ହାତ ଛାଡ଼ି ଦିଅନ୍ତି। କିନ୍ତୁ… ଏବେ ସ୍କ୍ରିନ୍‌ରେ ଆପଣ ଯେଉଁ ଫଟୋ ଦେଖୁଛନ୍ତି, ତାହା ଆମ ସମାଜର ଏହି ପୁରୁଣା ଚିନ୍ତାଧାରାକୁ ଏକ ଶକ୍ତ ଧକ୍କା ଦେଇଛି।

ଦେଖନ୍ତୁ ଏହି ଦୃଶ୍ୟକୁ। ବାଜା ବାଜୁଛି, ଲୋକେ ନାଚୁଛନ୍ତି, ମିଠା ବଣ୍ଟା ଯାଉଛି। କିନ୍ତୁ ଏହା କୌଣସି ବାହାଘରର ଶୋଭାଯାତ୍ରା ନୁହେଁ। ଏହା ହେଉଛି ଉତ୍ତର ପ୍ରଦେଶର ମିରଟର ଏକ ଦୃଶ୍ୟ। ଯେଉଁଠି ଗୋଟିଏ ପରିବାର ନିଜ ଝିଅର ‘ଛାଡ଼ପତ୍ର’କୁ ଏକ ଉତ୍ସବ ଭଳି ପାଳନ କରୁଛନ୍ତି। କୋର୍ଟରୁ ଛାଡ଼ପତ୍ର ମଞ୍ଜୁର ହେବା ପରେ, ଯେମିତି ଆନନ୍ଦ ଉଲ୍ଲାସର ସହ ଝିଅ ଘରୁ ବିଦା ହୋଇଥିଲା, ଠିକ୍ ସେମିତି ତାକୁ ପୁଣି ଥରେ ନିଜ ଘରକୁ ଫେରାଇ ଆଣିଛନ୍ତି ତାଙ୍କ ବାପା-ମା’।

ଏହି ଝିଅଙ୍କ ନାମ ହେଉଛି ପ୍ରଣିତା। ୨୦୧୮ ମସିହାରେ ସେ ମେଜର ଗୌରବ ଅଗ୍ନିହୋତ୍ରୀଙ୍କୁ ବିବାହ କରିଥିଲେ। ହେଲେ ବିବାହ ପରେ ଶାଶୁଘର ଲୋକେ ପ୍ରଣିତାଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଦେଲେ। ଏପରିକି ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ବି ଏହି ନିର୍ଯାତନା ଥମି ନଥିଲା। ଶେଷରେ ବାଧ୍ୟ ହୋଇ ୨୦୨୧ରେ ପ୍ରଣିତା ଛାଡ଼ପତ୍ର ପାଇଁ ଆବେଦନ କଲେ। ଦୀର୍ଘ ଦିନର ଲଢ଼େଇ ପରେ ଯେବେ କୋର୍ଟ ଛାଡ଼ପତ୍ର ଉପରେ ମୋହର ମାରିଲେ, ପ୍ରଣିତାଙ୍କ ଘରେ ଖେଳିଯାଇଥିଲା ଖୁସିର ଲହରୀ। ଏକ ନର୍କ ଯନ୍ତ୍ରଣାରୁ ଝିଅକୁ ମୁକ୍ତି ମିଳିଥିବାରୁ ଏହାକୁ ସେଲିବ୍ରେଟ୍ କରିଥିଲେ ପରିବାର ଲୋକେ।

ପ୍ରଣିତାଙ୍କ ବାପା ତଥା ଅବସରପ୍ରାପ୍ତ ବିଚାରପତି ଡାକ୍ତର ଜ୍ଞାନେନ୍ଦ୍ର ଶର୍ମାଙ୍କର ଗୋଟିଏ କଥା ଏବେ ସମସ୍ତଙ୍କ ହୃଦୟ ଜିଣିନେଇଛି। ସେ କହିଛନ୍ତି, “ମୋ ଝିଅ ଜନ୍ମ ହେବା ସମୟରେ ବି ଢୋଲ ବାଜିଥିଲା। ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଜଣେ ଝିଅର ମୂଲ୍ୟ ସମାନ ରହିଥାଏ।” ସମାଜକୁ ଏକ ବାର୍ତ୍ତା ଦେବା ପାଇଁ, ନିଜ କନ୍ୟାକୁ ଏକ ନୂଆ ଜୀବନ ଦେବା ପାଇଁ ସେ ଏହି ନିଆରା ପଦକ୍ଷେପ ନେଇଛନ୍ତି।

ଏହି ଭିଡିଓ ଏବେ ଇଣ୍ଟରନେଟରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଲୋକେ କହୁଛନ୍ତି, ଯଦି ସବୁ ପରିବାରର ଚିନ୍ତାଧାରା ଏମିତି ହୋଇଯାଏ, ତେବେ ବୋଧହୁଏ କୌଣସି ଝିଅ ଅତ୍ୟାଚାରିତ ହୋଇ ଶାଶୁଘରେ ରହିବାକୁ ବାଧ୍ୟ ହେବେ ନାହିଁ କି କେହି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବେ ନାହିଁ। ବାସ୍ତବରେ, ଏହି ବାପା ସମଗ୍ର ସମାଜ ପାଇଁ ଏକ ବଡ଼ ଉଦାହରଣ ପାଲଟିଛନ୍ତି।

Leave a Reply

Your email address will not be published. Required fields are marked *