ବିଜେଡ଼ିରେ କୋଣଠେସା; ବିଜେପି ମୁହାଁ ସସ୍ମିତ !

ବିଜେପିରେ ମିଶିପାରନ୍ତି ସସ୍ମିତ ପାତ୍ର !

ବିଜେଡ଼ିରେ କୋଣଠେସା ହେବ ପରେ ଏବେ ବିଜେପି ମୁହାଁ ସସ୍ମିତ !

ବଦଳିବାକୁ ଯାଉଛି ଓଡ଼ିଶା ରାଜନୀତିର ସମୀକରଣ !

ପଂଚାୟତ ନିର୍ବାଚନ ପୂର୍ବରୁ ଭାଙ୍ଗିଯିବ କି ବିଜେଡ଼ି ଗଡ ?

ରାଜ୍ୟ ରାଜନୀତିରେ ଏବେ ଗୋଟିଏ ଖବର ସବୁଠୁ ବେଶୀ ଚର୍ଚ୍ଚାରେ। ବିଜୁ ଜନତା ଦଳ ଭିତରେ ସବୁ କିଛି ଠିକ୍ ଚାଲିନାହିଁ | ଦିଲ୍ଲୀ ଦରବାରରେ, ଖାସ୍ କରି ରାଜ୍ୟସଭାରେ ବିଜେଡିର ମୁଖ୍ୟ ସ୍ଵର ସାଜିଥିବା ସସ୍ମିତ ପାତ୍ର ହଠାତ୍ କାହିଁକି ଦେଲେ ଇସ୍ତଫା? ନିଜ ଆଡ଼ୁ ପଦ ଛାଡିଲେ, ନା ତାଙ୍କୁ ଛାଡିବାକୁ ବାଧ୍ୟ କରାଗଲା? ଆସନ୍ତୁ ଖୋଲିବା ଏହି ହାଇ-ପ୍ରୋଫାଇଲ୍ ଇସ୍ତଫା ପଛର ଅସଲ ରାଜନୈତିକ ଗୁମର।

ବୁଧବାର ଅର୍ଥାତ ଗତକାଲି ରାଜ୍ୟ ରାଜନୀତିକୁ ସରଗରମ କରିଛି ଏକ ବଡ଼ ଖବର। ସସ୍ମିତ ପାତ୍ର, ଯିଏକି ୨୦୨୨ ମସିହାରୁ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ଥିଲେ, ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫା ପତ୍ର ସେ ସିଧାସଳଖ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ତେବେ ଆପଣଙ୍କର ମନେ ଥିବ, ନିକଟରେ ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସସ୍ମିତ ଏକ ସଂସଦୀୟ କମିଟିରୁ ମଧ୍ୟ ଇସ୍ତଫା ଦେଇଥିଲେ। କିନ୍ତୁ ଏଥର ତାଙ୍କ ଇସ୍ତଫାର କାରଣ ବିଜେପି ନୁହେଁ, ବରଂ ନିଜ ଦଳର ଆଭିମୁଖ୍ୟ ବୋଲି ସ୍ପଷ୍ଟ ବାରି ହୋଇପଡ଼ୁଛି। କୁହାଯାଉଛି, ନିଜ ପାର୍ଟିର କାର୍ଯ୍ୟକଳାପକୁ ନେଇ ସେ ତୀବ୍ର ଅସନ୍ତୁଷ୍ଟ ଥିଲେ।

ତେବେ ଖେଳର ଅସଲ ଟ୍ୱିଷ୍ଟ୍ ଆରମ୍ଭ ହୋଇଥିଲା ଏପ୍ରିଲ ୬ ତାରିଖରୁ। ଯେଉଁ ଦିନ ସଂତୃପ୍ତ ମିଶ୍ର ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ, ଠିକ୍ ସେହି ଦିନ ହିଁ ସସ୍ମିତ ପାତ୍ରଙ୍କ ଚେୟାର ଟଳମଳ ହେବା ଆରମ୍ଭ ହୋଇଯାଇଥିଲା। ବିଜେଡିର ଅନ୍ୟ ସାଂସଦମାନେ ଏକାଠି ହୋଇ ସସ୍ମିତଙ୍କୁ ନେତା ପଦରୁ ହଟାଇବାକୁ ସଭାପତିଙ୍କୁ ଲିଖିତ ଚିଠି ଦେଇଥିଲେ ବୋଲି ଭିତିରି ଚର୍ଚ୍ଚା ହେଉଛି। ବର୍ତ୍ତମାନ ବିଜେଡିର ୬ ଜଣ ସାଂସଦ ଅଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ଯେଉଁ ସସ୍ମିତ ଦିଲ୍ଲୀରେ ବିଜେଡିର ଚେହେରା ପାଲଟିଥିଲେ, ହଠାତ୍ ତାଙ୍କ ବିରୋଧରେ ନିଜ ଦଳର ନେତା କାହିଁକି ମେଳି କଲେ? ଏତେ ବଡ଼ ବିଦ୍ରୋହ ହେଲା, କିନ୍ତୁ କେହି ଗଣମାଧ୍ୟମ ଆଗରେ ପାଟି ଫିଟାଇଲେ ନାହିଁ।

ଚାରିଆଡୁ ଘେରିଯିବା ପରେ ଓ ନିଜ ପାଇଁ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଦେଖି ସସ୍ମିତ ପାତ୍ର ବାଧ୍ୟ ହୋଇ ବୁଧବାର ନିଜ ଆଡ଼ୁ ଇସ୍ତଫା ଦେଇଦେଲେ ବୋଲି ସୂଚନା ମିଳୁଛି। ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଦଳ ଭିତରେ ସସ୍ମିତଙ୍କୁ ଏବେ ସମ୍ପୂର୍ଣ୍ଣ କୋଣଠେସା କରିଦିଆଯାଇଛି। ଆଉ ଏହି ଖାଲି ସ୍ଥାନ ପୂରଣ କରିବାକୁ ଯାଉଛନ୍ତି କର୍ପୋରେଟ୍ ଜଗତରୁ ଆସିଥିବା ସଂତୃପ୍ତ ମିଶ୍ର। ତାଙ୍କୁ ହିଁ ରାଜ୍ୟସଭାରେ ଦଳର ମଙ୍ଗୁଆଳ କରିବା ପାଇଁ ଶୀର୍ଷ ନେତୃତ୍ୱ ପଥ ପ୍ରସ୍ତୁତ କରିସାରିଛନ୍ତି।

ଗୋଟିଏ ପଟେ ପୁରୁଣା ଓ ଅଭିଜ୍ଞ ନେତାଙ୍କୁ ସାଇଡ୍, ଆଉ ଅନ୍ୟପଟେ ନୂଆ କର୍ପୋରେଟ୍ ଚେହେରାକୁ ଦାୟିତ୍ୱ। କଣ ଏହା ବିଜେଡିର କୌଣସି ବଡ଼ ରଣନୀତି, ନା ଦଳ ଭିତରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ୍ୱର ଆଉ ଏକ ଝଲକ?

Leave a Reply

Your email address will not be published. Required fields are marked *