ରକ୍ତାକ୍ତ ଏ ଦେଶର ମୂଳ ଅଧିବାସୀ
ବିକାଶ ନାଁରେ ବର୍ବରତା, ପୁଞ୍ଜିପତିଙ୍କ ମୁନାଫା ପାଇଁ
ସରକାରୀ କଳର ଲାଠି ଓ ଲୁହବୁହା ଗ୍ୟାସରେ
ଲୁଚିଗଲାଣି ଗଣତନ୍ତ୍ରର ସ୍ୱର
ଆଦିବାସୀ… ଏ ଦେଶର ପ୍ରକୃତ ଓ ମୂଳ ଅଧିବାସୀ। ଯେଉଁମାନେ ପ୍ରକୃତିକୁ ନିଜର ସର୍ବସ୍ୱ ମାନନ୍ତି, ପାହାଡ଼କୁ ଦେବତା ସାଜି ପୂଜା କରନ୍ତି। ହେଲେ ଆଜି ନିଜକୁ ବଡ଼ ‘ରାଷ୍ଟ୍ରବାଦୀ’ ବୋଲାଉଥିବା ସରକାର, ଏହି ମୂଳ ଅଧିବାସୀଙ୍କୁ ନିଜ ଭିଟାମାଟିରୁ ତଡ଼ି ଦେଶର ବିକାଶ କରିବାକୁ ଚାହୁଁଛନ୍ତି। ଯେଉଁ ରାଷ୍ଟ୍ରବାଦ ନିଜ ଦେଶର ସବୁଠାରୁ ପୁରୁଣା ନାଗରିକଙ୍କୁ ଉଚ୍ଛେଦ କରି ପୁଞ୍ଜିପତିଙ୍କ ହାତରେ ସମ୍ପତ୍ତି ଟେକିଦିଏ, ତାହା କିଭଳି ରାଷ୍ଟ୍ରବାଦ? ମୂଳବାସୀଙ୍କୁ ଶରଣାର୍ଥୀ ସଜାଇଦେବା କ’ଣ ସରକାରଙ୍କ ନୂଆ ନୀତି?
ବିକାଶର ନାଁରେ ବିନାଶର ଖେଳ। ଏ ଦୃଶ୍ୟ ହେଉଛି ରାୟଗଡ଼ା ଜିଲ୍ଲା ସିଜିମାଳିର। ଯେଉଁଠି ନିଜର ଜଳ, ଜଙ୍ଗଲ ଏବଂ ଜମି ପାଇଁ ଶେଷ ରକ୍ତବିନ୍ଦୁ ଦେଇ ଲଢେଇ କରୁଛନ୍ତି ଏ ମାଟିର ମୂଳ ଅଧିବାସୀ। ଆଉ ସେମାନଙ୍କ ଉପରେ ଚାଲିଛି ସରକାରୀ କଳର ବର୍ବର ଲାଠିଚାଳନା। ଗୋଟିଏ ପଟେ କର୍ପୋରେଟ୍ କମ୍ପାନୀର ସୁରକ୍ଷା ପାଇଁ ପୋଲିସ ଫୋର୍ସ, ଆଉ ଅନ୍ୟ ପଟେ ମାଟି କାମୁଡ଼ି ପଡ଼ିଥିବା ନିରୀହ ଆଦିବାସୀଙ୍କ ଲୁହ ଓ ରକ୍ତ। ଏହାକୁ କ’ଣ ବିକାଶ କୁହନ୍ତି?”
ଖଣିକୁ ରାସ୍ତା ନିର୍ମାଣକୁ ବିରୋଧ କରି ଗ୍ରାମବାସୀ ରାତିଦିନ ପହରା ଦେଉଥିବା ବେଳେ ଏପ୍ରିଲ ୭ ତାରିଖ ରାତି ଏବଂ ୮ ତାରିଖ ଭୋର ସମୟରେ (ପ୍ରାୟ ୩ଟାରୁ ୫ଟା ମଧ୍ୟରେ) ପୋଲିସ ଓ ଆଦିବାସୀଙ୍କ ମଧ୍ୟରେ ଭୟଙ୍କର ଖଣ୍ଡଯୁଦ୍ଧ ହୋଇଥିଲା। ପୋଲିସ ଏକ ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କଣ୍ଟାମାଳ ଗାଁକୁ ଯାଇଥିବା ଦର୍ଶାଇଥିବା ବେଳେ, ଲୋକେ ପାରମ୍ପରିକ ଅସ୍ତ୍ରଶସ୍ତ୍ର (ଟାଙ୍ଗିଆ, ତୀର) ଏବଂ ପଥର ମାଡ଼ କରିଥିଲେ। ପରିସ୍ଥିତି ଆୟତ୍ତ କରିବାକୁ ପୋଲିସ ଲୁହବୁହା ଗ୍ୟାସ୍ ଏବଂ ଲାଠିଚାର୍ଜ କରିଥିଲା। ଏହି ସଂଘର୍ଷରେ ଏସଡିପିଓ (SDPO) ଏବଂ ଆଇଆଇସି (IIC)ଙ୍କ ସମେତ ୫୮ ଜଣ ପୋଲିସ କର୍ମଚାରୀ ଓ ଶତାଧିକ ଗ୍ରାମବାସୀ ଆହତ ହୋଇଥିଲେ।
ବର୍ତ୍ତମାନ ସିଜିମାଳି ଅଞ୍ଚଳରେ ଛାତିଥରା କୋକୁଆ ଭୟ ଏବଂ ଅଶାନ୍ତ ପରିବେଶ ଲାଗିରହିଛି। ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ ଗିରଫଦାରୀ ଆଶଙ୍କାରେ ସାଗାବାରି ଏବଂ କାନ୍ତମାଳ ଗାଁର ଶତାଧିକ ଆଦିବାସୀ ନିଜ ଘର ଛାଡ଼ି ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନିକଟସ୍ଥ ଜଙ୍ଗଲରେ ଡେରା ପକାଇଛନ୍ତି। ପୋଲିସର ଲାଠିଚାର୍ଜରେ ପ୍ରାୟ ୧୦୦ ରୁ ଅଧିକ ଆଦିବାସୀ ଆହତ ହୋଇଥିବା ଦାବି କରାଯାଉଛି, କିନ୍ତୁ ପୋଲିସ ଭୟରେ କେହିବି ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁନାହାନ୍ତି।
ତେବେ ବର୍ତ୍ତମାନ ସମ୍ପୂର୍ଣ୍ଣ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ଲାଗୁ କରାଯାଇ ଲୋକଙ୍କ ପ୍ରବେଶ ଉପରେ କଡ଼ା କଟକଣା ଲଗାଯାଇଛି।
