ବବି ତଳକୁ ଖସିଲେ ସନ୍ତୃପ୍ତ ଉପରକୁ ଉଠିଲେ କେମିତି ?
ସସ୍ମିତ ହଟିବା ପରେ ସନ୍ତୃପ୍ତଙ୍କୁ ମିଳିବ ସବୁ ଦାୟିତ୍ବ !
ସନ୍ତୃପ୍ତ ଏପରି ଉପରକୁ ଉଠିବା ପଛରେ ଅପଣାଇଲେ କେଉଁ କୌଶଳ ?
କର୍ପୋରେଟ ଜଗତରେ ଜିଆଣ୍ଟ ଏବେ ରାଜନୀତି ଜଗତରେ ବି ଜିଆଣ୍ଟ
ବିଜେଡ଼ିର ସବୁ ନେତା ଏବେ ସନ୍ତୃପ୍ତଙ୍କୁ କରିବେ ସାଲ୍ୟୁଟ !
ଗତ ସୋମବାର ଦିନ ରାଜ୍ୟସଭା ସାଂସଦ ଭାବେ ଡକ୍ଟର ସନ୍ତୃପ୍ତ ମିଶ୍ର ଶପଥ ନେବା ପରେ, ବିଜୁ ଜନତା ଦଳ ଭିତରେ ଯେମିତି ଭୂମିକମ୍ପ ସୃଷ୍ଟି ହୋଇଛି । ଦୀର୍ଘ ୩-୪ ଦିନ ହେବ ଶଙ୍ଖ ଶିବିରରେ ଲାଗିରହିଛି ଜୋରଦାର ହଲଚଲ । ଗୋଟେ ପଟେ ସନ୍ତୃପ୍ତ ଦିଲ୍ଲୀରେ ନିଜର ଶକ୍ତି ବଢ଼ାଉଛନ୍ତି, ଆଉ ଏପଟେ ରାଜ୍ୟ ରାଜନୀତିରେ ନୂଆ ନୂଆ ସମୀକରଣ ଦେଖିବାକୁ ମିଳୁଛି । ପ୍ରମିଳା ମଲ୍ଲିକଙ୍କ ବାସଭବନରେ ବିଜେଡି ନେତାଙ୍କ ମେଳି ହେଉଛି, ଭଦ୍ରକର ମଣ୍ଡଳୀ ଦମ୍ପତିଙ୍କୁ ଦଳରୁ ନିଲମ୍ବନ କରାଯାଉଛି, ଆଉ ସବୁଠୁ ବଡ଼ କଥା- ବିଜେଡିର ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ର ଅଚାନକ ଇସ୍ତଫା ଦେଉଛନ୍ତି । ଏସବୁ କେବଳ କାକତାଳୀୟ ନୁହେଁ, ବରଂ ଏହା ପଛରେ ରହିଛି ଏକ ବଡ଼ ରାଜନୈତିକ ବ୍ଲୁ-ପ୍ରିଣ୍ଟ ।
ଏହି ସମସ୍ତ ଘଟଣାକ୍ରମ ଭିତରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି- ବିଜେଡିର ସେକେଣ୍ଡ ଇନ୍ କମାଣ୍ଡ କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ କୁଆଡେ ଗଲେ? ଦିନେ ଯିଏ ଭି.କେ ପାଣ୍ଡିଆନଙ୍କ ଗୁଣଗାନ କରି ଥକୁନଥିଲେ, ଆଜି ତାଙ୍କର ହିଁ ଦଳରେ ପତ୍ତନ ଘଟୁଛି ବୋଲି ଖୋଲାଖୋଲି ଚର୍ଚ୍ଚା ହେଉଛି । ସନ୍ତୃପ୍ତ ମିଶ୍ର ଗୋଟେ ପରେ ଗୋଟେ ସଫଳତାର ପାହାଚ ଚଢୁଥିବା ବେଳେ, ବବି ଦାସଙ୍କ ରାଜୁତି ଯେମିତି କେଉଁଠି ଉଭେଇ ଗଲାଣି । ଖୋଦ୍ ନବୀନ ପଟ୍ଟନାୟକ ମଧ୍ୟ ଏହାକୁ ନେଇ ପରୋକ୍ଷରେ ପ୍ରତିକ୍ରିୟା ରଖିସାରିଲେଣି । କିନ୍ତୁ କାହିଁକି ଏମିତି ହେଉଛି?
ଏବେ ଆସନ୍ତୁ ବୁଝିବା ସନ୍ତୃପ୍ତଙ୍କ ଏହି ରକେଟ୍ ଭଳି ଉତ୍ଥାନ ପଛର ଅସଲ କାହାଣୀ । ରାଜନୈତିକ ମହଲରେ ଚର୍ଚ୍ଚା, ‘ଇଲେକ୍ଟୋରାଲ ବଣ୍ଡ’ ମାଧ୍ୟମରେ ଦଳକୁ ବଡ଼ ଧରଣର ସାହାଯ୍ୟ କରିବା ଠାରୁ ହିଁ ଆରମ୍ଭ ହୋଇଥିଲା ଏହି ନୂଆ ସମ୍ପର୍କ । ପରବର୍ତ୍ତୀ ସମୟରେ ଭି.କେ ପାଣ୍ଡିଆନଙ୍କ ସିଧାସଳଖ ପରାମର୍ଶରେ ନବୀନ ପଟ୍ଟନାୟକ ତାଙ୍କୁ ଦଳକୁ ଆଣିଲେ ଏବଂ ନିଜର ପଲିଟିକାଲ୍ ସେକ୍ରେଟାରୀ ବା ରାଜନୈତିକ ସଚିବ ଭାବେ ଅବସ୍ଥାପିତ କଲେ । ନିର୍ବାଚନ ପରେ ଯେବେ ପାଣ୍ଡିଆନ ନିଜକୁ ରାଜନୀତିରୁ ଦୂରେଇ ରଖିବାର ଘୋଷଣା କଲେ, ସେବେଠାରୁ ନୂଆପଡ଼ା ନିର୍ବାଚନ ଠାରୁ ଆରମ୍ଭ କରି ବିରୋଧୀଙ୍କୁ କାଉଣ୍ଟର କରିବା ପର୍ଯ୍ୟନ୍ତ, ରାଜ୍ୟ ରାଜନୀତିରେ ସନ୍ତୃପ୍ତ ମିଶ୍ର ହିଁ ପାଣ୍ଡିଆନଙ୍କ ‘ଛାଇ’ ପରି କାମ କରିଆସିଛନ୍ତି । ଆଉ ଏବେ ରାଜ୍ୟସଭାକୁ ଯାଇ ନିଜର ସ୍ଥିତି ଆହୁରି ମଜବୁତ କରିଛନ୍ତି ।
ସସ୍ମିତ ପାତ୍ରଙ୍କ ଇସ୍ତଫା ଏହି କଥାକୁ ଆହୁରି ସ୍ପଷ୍ଟ କରୁଛି ଯେ, ସନ୍ତୃପ୍ତଙ୍କୁ ଏବେ ବିଜେଡିର ଏକ ନୂଆ ଏବଂ ଶକ୍ତିଶାଳୀ ଚେହେରା ଭାବେ ଦିଲ୍ଲୀରେ ପ୍ରୋଜେକ୍ଟ କରାଯିବ । କିନ୍ତୁ ବିଶ୍ଳେଷକଙ୍କ ମତରେ, ଏହା କେବଳ ଏକ ଢାଲ । ସନ୍ତୃପ୍ତ ମିଶ୍ର ହେଉଛନ୍ତି ଭି.କେ ପାଣ୍ଡିଆନଙ୍କ ଏକ ପରଫେକ୍ଟ ‘ଡମି’ । ଆଗକୁ ବିଜେଡି ପାଇଁ ସାମ୍ନା ପଟେ ସନ୍ତୃପ୍ତ ଦୃଶ୍ୟମାନ ହେବେ ସତ, କିନ୍ତୁ ପରଦା ପଛରେ ରହି ପୂର୍ବଭଳି ସେହି ଭି.କେ ପାଣ୍ଡିଆନ ହିଁ ନିଜର ରିମୋଟ୍ କଣ୍ଟ୍ରୋଲ୍ ଚଲାଇବେ । ସନ୍ତୃପ୍ତ ମିଶ୍ରଙ୍କ ଜରିଆରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ରାଜନୀତିରେ ପାଣ୍ଡିଆନ ନିଜର ନିୟନ୍ତ୍ରଣ ଓ ପ୍ରଭାବ ବଜାୟ ରଖିବା ପାଇଁ ଏହା ଏକ ମାଷ୍ଟରଷ୍ଟ୍ରୋକ୍ । ନେତା ବଦଳିଛନ୍ତି, ମୁହଁ ବଦଳିଛି, ହେଲେ ଖେଳ ଏବଂ ଖେଳାଳି ସେହି ଏକା ଅଛନ୍ତି । ତେବେ କ୍ଷମତା ହସ୍ତାନ୍ତରର ଏହି ଲୁଚକାଳି ଖେଳରେ ଆଗକୁ ଓଡ଼ିଶା ରାଜନୀତିରେ ଆଉ କେତେ ମୁଣ୍ଡ ଗଡ଼ୁଛି, ତାହା ଦେଖିବା ବାକି ରହିଲା ।
