ଓଡ଼ିଶାକୁ ଶୋଷିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ !
ମହାନଦୀ ପରେ ଏବେ ବଂଶଧାରାକୁ ଝଟକା
ଶୁଖିଯିବ କି ଓଡ଼ିଶାର ଜୀବନରେଖା ?
ଓଡ଼ିଶାର ଏପରି ସ୍ଥିତି ପାଇଁ ଦାୟୀ କି ନବୀନ ପଟ୍ଟନାୟକ ?
ପାଣି ଟୋପାଏ ପାଇଁ ହାହାକାର କରିବେ ଓଡ଼ିଶାବାସୀ !
କଥାରେ ଅଛି ‘ଜଳ ହିଁ ଜୀବନ’। କିନ୍ତୁ ଓଡ଼ିଶା ପାଇଁ ଏବେ ‘ଜଳ ହିଁ ମରଣ’ ପାଲଟିବାକୁ ଯାଉଛି। ରାଜ୍ୟର ଗୋଟିଏ ପରେ ଗୋଟିଏ ନଦୀ ଏବେ ଶୁଖିବାକୁ ବସିଲାଣି। ଆଜି ଆସିଛି ଆଉ ଏକ ସାଂଘାତିକ ଖବର। ମହାନଦୀ ପରେ ଏବେ ଓଡ଼ିଶାକୁ ଲାଗିଛି ବଂଶଧାରା ଝଟକା। ଆନ୍ଧ୍ରପ୍ରଦେଶର ନେରେଡି ବ୍ୟାରେଜକୁ ମିଳିଯାଇଛି ସବୁଜ ସଂକେତ। ଆଉ ଏହା ପଛରେ ଯଦି କାହାର ସବୁଠାରୁ ବଡ଼ ବିଫଳତା ଥାଏ, ତେବେ ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ୨୪ ବର୍ଷର ସରକାର। ଭୋଟ୍ ବ୍ୟାଙ୍କ ପାଇଁ ପାଣିକୁ ନେଇ କେବଳ ରାଜନୀତି ହେଲା, ହେଲେ ନିଜ ରାଜ୍ୟରେ ଗୋଟିଏ ବି ବ୍ୟାରେଜ୍ ନିର୍ମାଣ ହୋଇପାରିଲାନି। ଆସନ୍ତୁ ଦେଖିବା କିଭଳି ଓଡ଼ିଶା ପ୍ରତି ରଚାଯାଇଛି ଏକ ବଡ଼ ଷଡ଼ଯନ୍ତ୍ର ଏବଂ ଆଗାମୀ ଦିନରେ ଆମ ପିଲାମାନେ କିଭଳି ଟୋପେ ପାଣି ପାଇଁ ଡହଳ ବିକଳ ହେବେ…
କେନ୍ଦ୍ର ସରକାରଙ୍କ ଗେଜେଟ୍ ନୋଟିଫିକେସନ୍ ଓଡ଼ିଶା ପାଇଁ ଆଣିଛି ଏକ ବଡ଼ ବିପଦ। ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ସହ ନେରେଡି ବ୍ୟାରେଜ୍ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶକୁ ମିଳିଯାଇଛି ଖୋଲା ଛାଡ଼ପତ୍ର। ସବୁଠାରୁ ଦୁର୍ଭାଗ୍ୟର କଥା ହେଉଛି, ଆନ୍ଧ୍ରପ୍ରଦେଶକୁ ଏଥିପାଇଁ ଓଡ଼ିଶା ନିଜର ୧୦୬ ଏକର ଜମି ଅଧିଗ୍ରହଣ କରି ପ୍ରଦାନ କରିବ। ଆନ୍ଧ୍ର ଜଳସେଚିତ ହେବ, ଆଉ ଦକ୍ଷିଣ ଓଡ଼ିଶାର ଚାଷୀ ମୁଣ୍ଡରେ ହାତ ଦେଇ କାନ୍ଦିବ।
ଏହା କୌଣସି ନୂଆ ଘଟଣା ନୁହେଁ। ମହାନଦୀ କ୍ଷେତ୍ରରେ ମଧ୍ୟ ଠିକ୍ ଏୟା ହିଁ ଘଟିଥିଲା। ଛତିଶଗଡ଼ ସରକାର ମହାନଦୀ ଉପରେ ଗୋଟିଏ ପରେ ଗୋଟିଏ ବ୍ୟାରେଜ୍ ବାନ୍ଧି ଚାଲିଲେ, ଆଉ ଏପଟେ ତତ୍କାଳୀନ ବିଜେଡି ସରକାର କେବଳ ଚିଠି ଲେଖି ଏବଂ ଟ୍ରିବ୍ୟୁନାଲର ଦ୍ୱାହି ଦେଇ ସମୟ କାଟିଦେଲେ। ନବୀନ ସରକାରଙ୍କ ୨୪ ବର୍ଷର ଶାସନ କାଳରେ ରାଜ୍ୟରେ ଗୋଟିଏ ବି ବୃହତ୍ତ ବ୍ୟାରେଜ୍ ନିର୍ମାଣ ହୋଇପାରିଲାନି। ପାଣି ଅଟକାଇବା ନାଁରେ କୋଟି କୋଟି ଟଙ୍କାର ଚେକ୍ ଡ୍ୟାମ୍ ତିଆରି ହେଲା ସତ, ହେଲେ ପ୍ରଥମ ବର୍ଷାରେ ତାହା ଭାସିଗଲା। କେବଳ ଠିକାଦାର ଓ ନେତା ପୋଷା ହେଲେ, କିନ୍ତୁ ଓଡ଼ିଶାର ଜୀବନରେଖା ଶୁଖି ଶୁଖି ଗଲା।
ଏବେ ପ୍ରଶ୍ନ ଉଠୁଛି, ବର୍ତ୍ତମାନର ମୋହନ ସରକାର କଣ ଏହି ସଙ୍କଟରୁ ରାଜ୍ୟକୁ ଉଦ୍ଧାର କରିପାରିବେ? ନା ପୂର୍ବ ସରକାରଙ୍କ ଭୁଲ୍ ପାଇଁ ସବୁଦିନ ପାଇଁ ତୃଷାର୍ତ୍ତ ରହିବେ କୋଟି କୋଟି ଓଡ଼ିଆ? ତାହା ଦେଖିବାକୁ ବାକି ରହିଲା |
