ପୁରୁଷ ଅପେକ୍ଷା ମହିଳାଙ୍କ ମଧ୍ୟରେ ବଢୁଛି ଡେଟିଂ ଆପ ନିଶା !
ବିବାହ ପରେ ବି ରଖୁଛନ୍ତି “ଏକ୍ସଟ୍ରା ମାରିଟାଲ୍ ଆଫେୟାର୍ସ”
ରାତି ୧୦ ରୁ ୧୨ ଡେଟିଂ ଆପ ରେ ଦେଖିବାକୁ ମିଳୁଛି ମହିଳାଙ୍କ ଭିଡ଼
“ଏକ୍ସଟ୍ରା ମାରିଟାଲ୍ ଆଫେୟାର୍ସ” ରେ ଦୁଇଟି ସହର ପାଲଟିଛି ନମ୍ବର 1
ଭାରତ… ଯେଉଁଠି ବିବାହକୁ ସାତ ଜନ୍ମର ପବିତ୍ର ବନ୍ଧନ ବୋଲି ମାନିନିଆଯାଏ । ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ବିଶ୍ୱାସର ସବୁଠାରୁ ବଡ଼ ଉଦାହରଣ ବୋଲି କୁହାଯାଏ । କିନ୍ତୁ, ଆଧୁନିକତା ଏବଂ ଡିଜିଟାଲ୍ ଯୁଗର ଚାକଚକ୍ୟ ଭିତରେ ବୋଧହୁଏ ଏହି ପରିଭାଷା ଏବେ ବଦଳିବାରେ ଲାଗିଛି । ବନ୍ଦ କୋଠରୀରୁ ବାହାରି ଏବେ ସମ୍ପର୍କର ନୂଆ ଠିକଣା ପାଲଟିଛି ‘ଡେଟିଂ ଆପ୍’ । ଆଉ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି… ବିବାହ ବାହାରେ ସମ୍ପର୍କ ବା ‘ଏକ୍ସଟ୍ରା ମାରିଟାଲ୍ ଆଫେୟାର୍ସ’ ମାମଲାରେ ଏବେ ପୁରୁଷଙ୍କଠାରୁ ଆଦୌ ପଛରେ ନାହାନ୍ତି ମହିଳା !
ନିକଟରେ ସାମ୍ନାକୁ ଆସିଥିବା ଏକ ରିପୋର୍ଟ ସଭିଙ୍କ ହୋସ୍ ଉଡ଼ାଇ ଦେଇଛି । ଦେଶରେ ଏକ୍ସଟ୍ରା ମାରିଟାଲ୍ ଡେଟିଂ ପ୍ଲାଟଫର୍ମ ‘ଗ୍ଲିଡନ’ (Gleeden) ବ୍ୟବହାରକାରୀଙ୍କ ସଂଖ୍ୟା ୪୦ ଲକ୍ଷ ପାର୍ କରିସାରିଲାଣି । ଏହା ମୋଟ୍ ଟାର୍ଗେଟ୍ ଅଡିଏନ୍ସର ପାଖାପାଖି ୬୫ ପ୍ରତିଶତ । କିନ୍ତୁ ସବୁଠୁ ଚମକାଇ ଦେବା ଭଳି ତଥ୍ୟ ହେଉଛି ମହିଳାଙ୍କ ଭାଗିଦାରୀ । ବର୍ତ୍ତମାନ ଏହି ଆପ୍ରେ ମହିଳା ୟୁଜର୍ସଙ୍କ ସଂଖ୍ୟା ୩୫ ପ୍ରତିଶତରେ ପହଞ୍ଚିଛି । ଆଉ ଗତ ମାତ୍ର ଦୁଇ ବର୍ଷ ଭିତରେ ଏହି ସଂଖ୍ୟା ଦୁଇଗୁଣାରୁ ଅଧିକ ବଢିଛି । ଅର୍ଥାତ୍ ମେଟ୍ରୋ ସହରଗୁଡ଼ିକରେ ମହିଳାମାନେ ନିଜ ପାରିବାରିକ ଜୀବନରେ ସ୍ଥିରତା ତ ଚାହୁଁଛନ୍ତି, କିନ୍ତୁ ରୋମାନ୍ସ ଏବଂ ନିଜ ଖୁସି ପାଇଁ ବାହାରେ ସାଥୀ ଖୋଜିବାକୁ ଆଉ ଭୟ କରୁନାହାନ୍ତି । ବୋଲ୍ଡ ନିଷ୍ପତ୍ତି ନେବାରେ ସେମାନେ ଆଗରେ ରହୁଛନ୍ତି ।
କିନ୍ତୁ ପ୍ରଶ୍ନ ଉଠୁଛି, କାହିଁକି ବଢୁଛି ଏହି ଦୂରତା? ସାତ ଜନ୍ମର ସାଥୀ ପାଖରେ ଥାଉ ଥାଉ ଡିଜିଟାଲ୍ ଦୁନିଆରେ କାହିଁକି ସାହାରା ଖୋଜୁଛନ୍ତି ମହିଳା? ଏହାର ସବୁଠାରୁ ବଡ଼ କାରଣ ପାଲଟିଛି କର୍ପୋରେଟ୍ ଦୁନିଆର ବ୍ୟସ୍ତବହୁଳ ଜୀବନ । ପ୍ରଫେସନାଲ୍ ଲାଇଫ୍ ସାଙ୍ଗକୁ ପାରିବାରିକ ଦାୟିତ୍ୱବୋଧର ଚାପ ଭିତରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଇମୋସନାଲ୍ କନେକ୍ସନ୍ ବା ଭାବନାତ୍ମକ ସଂଯୋଗ ହଜିଯାଉଛି । ଦୈନନ୍ଦିନ ଜୀବନର ଏହି ବୋରିୟତ୍ ଏବଂ ଏକାକୀପଣରୁ ମୁକୁଳିବା ପାଇଁ ଅନେକ ମହିଳା ବିଳମ୍ବିତ ରାତି ଯାଏଁ ଡିଜିଟାଲ୍ ଦୁନିଆରେ ସମୟ ବିତାଉଛନ୍ତି । ଆଉ ଏହି ଅଦୃଶ୍ୟ ଦୁନିଆ ସେମାନଙ୍କୁ ନୂଆ ରୋମାନ୍ସ ଆଡ଼କୁ ଟାଣି ନେଉଛି ।
ଜାଣନ୍ତି କି, ଏହି ଟ୍ରେଣ୍ଡ୍ରେ କେଉଁ ସହର ସବୁଠାରୁ ଆଗରେ ରହିଛି? ଦେଶର ପ୍ରମୁଖ ଆଇଟି ହବ୍ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଏହି ତାଲିକାର ଶୀର୍ଷରେ ଅଛନ୍ତି । ଆଉ ଆପ୍ ବ୍ୟବହାରର ସମୟ ଆପଣଙ୍କୁ ଆହୁରି ଚକିତ କରିବ । ରିପୋର୍ଟ ଅନୁସାରେ, ଦିନ ୧୨ଟାରୁ ୩ଟା ଏବଂ ରାତି ୧୦ଟାରୁ ୧୨ଟା ଭିତରେ ଏହି ଆପ୍ରେ ସବୁଠାରୁ ଅଧିକ ଭିଡ଼ ଦେଖିବାକୁ ମିଳୁଛି ।
ଏହା କେବଳ ଏକ ଆପ୍ର ଡାଟା ନୁହେଁ, ବରଂ ଏହା ଆମ ବଦଳୁଥିବା ସମାଜ, ଆଧୁନିକ ଜୀବନଶୈଳୀ ଏବଂ ଖୋଲାପଣର ଏକ ନିଚ୍ଛକ ଚିତ୍ର । ସମ୍ପର୍କର ଏହି ନୂଆ ମୋଡ଼ ଆଗାମୀ ଦିନରେ ସମାଜକୁ କେଉଁ ଦିଗକୁ ନେଇଯିବ, ତାହା ଦେଖିବା ବାକି ରହିଲା ।
