ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ; ପ୍ରମାଣ ନଷ୍ଟ ପାଇଁ ବଡ଼ ଷଡ଼ଯନ୍ତ୍ର !
କୁଆଡେ ଗଲା ସିସିଟିଭି ମେମୋରୀ କାର୍ଡ ?
କିଏ କଲା ଗାୟବ ?
ନା ଅଛି NOC, ନା ଅଛି ସୁରକ୍ଷା..।
ଡବଲ ଇଞ୍ଜିନ ସରକାରରେ ଏମିତି ମିଳୁଛି ସ୍ୱାସ୍ଥ୍ୟ ସେବା !
ସରକାରଙ୍କ ବଡ ବ୍ଳଣ୍ଡରର ହେଲା ପର୍ଦ୍ଦାଫାଶ !
ନୂଆ ଓଡ଼ିଶା, ନୂଆ ସରକାର… ଆଉ ଡବଲ ଇଞ୍ଜିନର ଡିଣ୍ଡିମ ପିଟୁଥିବା ବିଜେପି ସରକାରର ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅସଲ ମୁଖା ଖୋଲିଦେଇଛି କଟକ ବଡ଼ ମେଡିକାଲ ବା ଏସସିବିର ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣା। ରାଜ୍ୟର ସବୁଠାରୁ ବଡ଼ ଡାକ୍ତରଖାନାରେ ରୋଗୀଙ୍କ ଜୀବନ ସହ କେମିତି ଖେଳ ଖେଳାଯାଉଛି, ତାହାର ନଗ୍ନ ଚିତ୍ର ଏବେ ପଦାକୁ ଆସିଛି। କେନ୍ଦ୍ରୀୟ ତଦନ୍ତକାରୀ ଦଳ ସାମ୍ନାରେ ଧରାପଡ଼ିଯାଇଛି ଏସସିବି କର୍ତ୍ତୃପକ୍ଷଙ୍କ ଡାହା ମିଛ!
ଘଟଣା ଘଟିଲା, ହେଲେ ପ୍ରମାଣ ନାହିଁ! ନିଜ ଦୋଷ ଲୁଚାଇବାକୁ ଯାଇ ଏସସିବି କର୍ତ୍ତୃପକ୍ଷ ସିସିଟିଭିର ମେମୋରୀ କାର୍ଡ ହିଁ ଗାଏବ କରିଦେଇଛନ୍ତି। କେନ୍ଦ୍ରୀୟ ଦଳ ଯେତେବେଳେ ତଦନ୍ତ କଲେ, ଜଣାପଡିଲା ଯେ ବରିଷ୍ଠ ଅଧିକାରୀଙ୍କ କଥାରେ କୌଣସି ତାଳମେଳ ନାହିଁ। ଆଶ୍ଚର୍ଯ୍ୟର କଥା ହେଉଛି, ଟ୍ରମା ଆଇସିୟୁ ଭଳି ଏକ ଅତି ସମ୍ବେଦନଶୀଳ ୱାର୍ଡ ପାଇଁ ଅଗ୍ନିଶମ ବିଭାଗର ‘NOC’ ନାହିଁ, କି ମେଡିକାଲର ନିଜସ୍ୱ ‘ଅଗ୍ନି ନିରାପତ୍ତା କମିଟି’ ବି ଗଠନ ହୋଇନାହିଁ। ଜୀବନ ରକ୍ଷାକାରୀ ମେସିନକୁ ହଠାତ୍ ହଟାଇ ସୁରକ୍ଷାକର୍ମୀମାନେ ଯେପରି ରୋଗୀଙ୍କୁ ଉଦ୍ଧାର କଲେ, ତାହା ମଧ୍ୟ ସାଙ୍ଘାତିକ ବିପଦ ଡାକି ଆଣିପାରିଥାନ୍ତା। ଏସବୁ ଦେଖି କେନ୍ଦ୍ରୀୟ ଦଳ ଅସନ୍ତୋଷ ପ୍ରକାଶ କରିବା ସହ ୩ ଦିନ ମଧ୍ୟରେ SOP ପ୍ରସ୍ତୁତ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଏବେ ପ୍ରଶ୍ନ ଉଠୁଛି, କଣ ଏଇୟା ଥିଲା ବିଜେପି ସରକାରଙ୍କ ‘ସୁଶାସନ’ର ପ୍ରତିଶ୍ରୁତି? ଯେଉଁଠି ପ୍ରମାଣ ନଷ୍ଟ କରିବାକୁ ଖୁଲମଖୁଲା ଷଡ଼ଯନ୍ତ୍ର ହେଉଛି, ସେଠି ସାଧାରଣ ରୋଗୀଙ୍କ ସୁରକ୍ଷା କେଉଁଠି? ସ୍ୱାସ୍ଥ୍ୟମନ୍ତ୍ରୀ କେବଳ ବଡ଼ ବଡ଼ ଭାଷଣ ଦେବେ ନା ଏହି ଖାମଖିଆଲି ଅଧିକାରୀଙ୍କ ବିରୋଧରେ କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ? ରାଜ୍ୟବାସୀ ଏବେ ଉତ୍ତର ଖୋଜୁଛନ୍ତି।
