କୁଆଡ଼େ ଗଲା ମହାପ୍ରଭୁଙ୍କ ୩ଟି ରତ୍ନ ?
ରତ୍ନଭଣ୍ଡାର ଗଣତିରେ ବଡ଼ ବିଭ୍ରାଟ !
ଭିତର ଭଣ୍ଡାରକୁ କେମିତି ଗଲା ବାହାର ଭଣ୍ଡାର ରତ୍ନ ?
ରତ୍ନ ଚୋରି ନା ହେରଫେର? କାହିଁକି ଚୁପ୍ ପ୍ରଶାସନ?
ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ନେଇ ପୁଣି ଏକ ବଡ଼ ବିବାଦ। ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ଖୋଲିବାକୁ ନେଇ ଯେଉଁ ଲୁଚକାଳି ଖେଳୁଥିଲେ, ତାହା ଏବେ ପଦାରେ ପଡ଼ିଛି। ଓଡ଼ିଶାବାସୀଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ- କୁଆଡ଼େ ଗଲା ମହାପ୍ରଭୁଙ୍କ ୩ଟି ରତ୍ନ? କାହିଁକି ଗଣତି ମଣତିର ହିସାବ ଓଡ଼ିଶାବାସୀଙ୍କୁ ଦିଆଯାଉ ନାହିଁ? କ’ଣ ଲୁଚାଉଛି ପ୍ରଶାସନ?
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନଭଣ୍ଡାର ଗଣତି ପାଇଁ ତତ୍ପରତା ପ୍ରକାଶ ପାଇଥିଲା। କିନ୍ତୁ ଗଣତି ଆରମ୍ଭ ହେବା ପୂର୍ବରୁ ହିଁ ବିବାଦ। ଖବର ଅନୁଯାୟୀ, ୧୯୭୮ ମସିହା ତାଲିକାରେ ବାହାର ଭଣ୍ଡାରରେ ଯେଉଁ ୪୫୪ଟି ଅଳଙ୍କାର ଥିଲା, ଏବେ ସେଥିରୁ ୩ଟି ରତ୍ନ କମିଥିବା ଚର୍ଚ୍ଚା ହେଉଛି। ଆଶ୍ଚର୍ଯ୍ୟର କଥା ହେଉଛି, ବାହାର ଭଣ୍ଡାରର କିଛି ରତ୍ନ ଭିତର ଭଣ୍ଡାରକୁ ଚାଲିଗଲା କେମିତି? ଯେତେବେଳେ ଭିତର ଭଣ୍ଡାର ୪୫ ବର୍ଷ ହେବ ଖୋଲାଯାଇ ନାହିଁ, ତେବେ ବାହାର ଭଣ୍ଡାରର ଜିନିଷ ଭିତରକୁ ଗଲା କିପରି?
ଏହା କୌଣସି ସାଧାରଣ ତ୍ରୁଟି ନୁହେଁ, ବରଂ ଏକ ବଡ଼ ଷଡ଼ଯନ୍ତ୍ରର ଗନ୍ଧ ବାରି ହେଉଛି। ପୂର୍ବରୁ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଖାତିର କରିନଥିବା ଅଭିଯୋଗ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବାରମ୍ବାର ଏଡ଼ାଇବା ପରେ ଏବେ ଯେତେବେଳେ ଗଣତି ହେଉଛି, ସେତେବେଳେ ହିସାବ ମିଳୁନାହିଁ। ଆଇନଜୀବୀ ଦିଲ୍ଲୀପ ବରାଳଙ୍କ ଅଭିଯୋଗ ଅନୁଯାୟୀ, ରତ୍ନଭଣ୍ଡାରରୁ ରତ୍ନ ଚୋରି ହୋଇଥାଇପାରେ। ସେପଟେ ପ୍ରଶାସନିକ ସ୍ତରରେ ଏହାକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି।
ମହାପ୍ରଭୁଙ୍କ ସମ୍ପତ୍ତିରେ କୌଣସି ବି ହେରଫେର ଓଡ଼ିଶାବାସୀ ସହିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନକୁ ଏହାର ଉତ୍ତର ରଖିବାକୁ ପଡ଼ିବ। ସ୍ୱଚ୍ଛତା ନାମରେ ଏହି ପ୍ରହସନ କେତେଦିନ ଚାଲିବ? ଯଦି ରତ୍ନ ଚୋରି ହୋଇଛି, ତେବେ ସେହି ମହାପାପୀ କିଏ? ଖୁବଶୀଘ୍ର ଏହି ମାମଲା ପୁଣି କୋର୍ଟକୁ ଯାଇପାରେ।
